ସାଇକେଲରେ ବର ଓ ସାଇକେଲରେ ବରଯାତ୍ରୀ । ବାଟରେ ସଚେତନ କରାଇଲେ ଆଉ ଗଛ ବି ବାଣ୍ଟିଲେ ।

236

କନକ ବ୍ୟୁରୋ: ହାତରେ ଗଛ ଲଗାଇବାର ପ୍ଲାଗକାର୍ଡ । ସାଇକେଲରେ ମାର୍କୁଣ୍ଡିଙ୍କ ସହ ପରିବେଶ ସୁରକ୍ଷା ପାଇଁ ପୋଷ୍ଟର । ପ୍ରକୃତିର ଜୀବନ ରକ୍ଷା ପାଇଁ ନିଜ ବାହାଘରକୁ ଏତେ ସାଧାସିଧା ସରଳ ଭାବେ କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ାର ରାଜେଶ କୁମାର ବାରିକ । ବର ବେଶରେ ନିଜେ ସାଇକେଲରେ ଯିବା ସହ ବାରଯାତ୍ରୀଙ୍କୁ ବି ସାଇକେଲରେ ଧରି ବାହାରିଛନ୍ତି । ଏମିତି ନିଆରା ଢ଼ଙ୍ଗରେ ପରିବେଶ ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ବର ରାଜେଶ ।

ନା ଦରକାର ପଡ଼ିଲା ଦାମୀ କାର୍, ନା ଦରକାର ପଡ଼ିଲା ଆତସବାଜି । ବିନା ବାଣ ଡିଜେ ସାଉଣ୍ଡରେ ବି ହୋଇପାରେ ବରଯାତ୍ରୀ, ପଡ଼ିପାରେ ହାତଗଣ୍ଠି । କେନ୍ଦ୍ରାପଡା କନ୍ତିଆ ଗାଁର ରାଜେଶ କୁମାର ବାରିକ ବିବାହ ସମୟରେ ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି ଶ୍ୱଶୁର ଘର ଗରଦପୁରକୁ । ପୂରା ବରଯାତ୍ରୀଙ୍କୁ ଧରି ସାଇକେଲରେ ଯିବା ସହ ରାସ୍ତାରେ ଲୋକଙ୍କୁ ବାଣ୍ଟିଛନ୍ତି ଗଛ । ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ନା ବାଣ, ନା ଡିଜେ । ଶବ୍ଦ ପ୍ରଦୂଷଣକୁ ନା ବାୟୂ ପ୍ରଦୂଷଣକୁ ବି ନା । ଏମିତି ଏକ ଢ଼ଙ୍ଗରେ ନିଆରା ବରଯାତ୍ରୀ ଏବେ ଅନ୍ୟମାନଙ୍କୁ ପ୍ରେରଣା ଦେଇଛି । ପରିବେଶକୁ କିଭଳି ସ୍ୱଚ୍ଛ, ସୁରକ୍ଷିତ ରଖିପାରିବା ଶହଶହ ଲୋକଙ୍କୁ ସଚେତନ କରାଇ ନିଜ ବରଯାତ୍ରୀରେ ସାମିଲ କରାଇଛନ୍ତି କେନ୍ଦ୍ରାପଡ଼ାର ବର । ଲୋକେ ବି ଏମିତି ବରଯାତ୍ରୀ ଦେଖି ବେଶ୍ ଆନନ୍ଦିତ ଅଛନ୍ତି । ନିଆରା ବରଯାତ୍ରୀକୁ ରାସ୍ତାକଡ଼ରେ ଛିଡ଼ା ହୋଇ ମୋବାଇଲରେ ସୁଟିଂ କରୁଛନ୍ତି । ଆଉ ବାଟରେ ରହି ରହି ସାଇକେଲରୁ ଓହ୍ଲାଇ ଗଛ ବାଣ୍ଟୁଛନ୍ତି ବର ରାଜେଶ । ଯାହାକୁ ନେଇ କନିଆ ଘରେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ନିଜ ବାହାଘରକୁ ନିଆରା କରିବାକୁ ସଭିଏଁ ଚାହାନ୍ତି । କିଏ ବିଳାଶପୂର୍ଣ୍ଣ ତ କିଏ ସାଧାରଣ ଭାବେ କରି ଚର୍ଚ୍ଚାକୁ ଆସନ୍ତି । ହେଲେ ରାଜେଶଙ୍କ ପରିବେଶ ପ୍ରେମ ବାହାଘରକୁ ସବୁଠୁ ନିଆରା କରିଦେଇଛି । ସେ ନିଜେ ସାଇକେଲରେ ମାର୍କଣ୍ଡିକୁ ଧରି ବରଯାତ୍ରୀଙ୍କୁ ସାଇକେଲରେ ଆଣି ଆଗାମୀ ଯୁବପୀଢ଼ିଙ୍କ ପାଇଁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ।