ବୁଲା କୁକୁରଙ୍କ ସହ ଜନ୍ମଦିନ ପାଳିଲେ, କେକ୍ କାଟି ହାତରେ ଖୁଆଇଲେ ପଶୁପ୍ରେମୀ । ସମାଜ ଘୃଣା କରୁଥିବା ପଶୁକୁ ସ୍ନେହପ୍ରେମରେ ବାନ୍ଧି ଚର୍ଚ୍ଚାରେ ପୁରୀର ସନ୍ତୋଷ ମହାନ୍ତି

578

କନକ ବ୍ୟୁରୋ: କୁକୁରଙ୍କ ସହ ଜନ୍ମଦିନ ପାଳନ । ବର୍ଷା ଭିଜା ରାତିରେ ବୁଲା କୁକୁରଙ୍କ ସହ ବର୍ଥଡେ ପାଳିଲେ ପଶୁପ୍ରେମୀ । ଯେତେବେଳେ ଏ ସମାଜ, ଏ ମଣିଷ ବୁଲା କୁକୁରଙ୍କୁ ଘୃଣା ଚକ୍ଷୁରେ ଦେଖଛି, ଦୂର ଦୂର ଖିନ୍ ଖିନ୍ କରୁଛି ଠିକ୍ ସେତିକି ବେଳେ ରାସ୍ତାରେ ବୁଲୁଥିବା କୁକୁରଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ରହିଛନ୍ତି ପୁରୀର ସନ୍ତୋଷ ମହାନ୍ତି । ଏମିତି କି କୁକୁରଙ୍କ ସହ କେକ୍ କାଟି ସେମାନଙ୍କୁ ଖୁଆଇଛନ୍ତି

ପଶୁ ଭିତରେ ବୁଲା କୁକୁରଙ୍କୁ ମଣିଷ ଦେଖିଲେ ବାଡାଏ, ମାତ୍ର ସନ୍ତୋଷ ସେମାନଙ୍କୁ ଦୟା କରିଛନ୍ତି । ସହରର ଗଳି କନ୍ଦିରେ ବୁଲୁଥିବା କୁକୁରଙ୍କୁ ସ୍ନେହ ଆଦର କରି ନିଜର କରିଛନ୍ତି । ଯେତେବେଳ ଲକଡାଉନ, ସଟଡାଉନ ପାଇଁ ସବୁକିଛି ବନ୍ଦ ହୋଇଯାଉଛି ସେତେବେଳେ ସହର ସାରା ବୁଲି ବୁଲା କୁକୁରଙ୍କୁ ଖାଇବା ଦେଉଛନ୍ତି ସନ୍ତୋଷ । ଆଉ ସେଇଥିପାଇଁ କୁକୁର-ମଣିଷ ଭିତରେ ବଢିଯାଇଛି ଭଲପାଇବା । ଏମିତିକି କୁକୁରଙ୍କୁ ଦିନେ ନଦେଖିଲେ ତାଙ୍କୁ ଭଲଲାଗେନି । ଯଦି ବୁଲା କୁକୁରଙ୍କ ଠାରୁ ଏତେ ଆତ୍ମୀୟତା ମିଳୁଛି ତେବେ କୁକୁରଙ୍କ ସହ କେକ୍ କାଟିଲେ ଅସୁବିଧା କଣ ବୋଲି ସନ୍ତୋଷ କହିଛନ୍ତି ।

ତେବେ ଖାଲି ସନ୍ତୋଷ ନୁହଁନ୍ତି କୁକୁରମାନେ ବି ସନ୍ତୋଷଙ୍କ ପଛେ ପଛେ ବୁଲୁନ୍ତି । ସେ ଯେଉଁଠି ପହଞ୍ଚିଯାଆନ୍ତି କୁକୁରମାନେ ବି ସେଠାରେ ହାଜର ହୋଇଯାଆନ୍ତି । ସେପଟେ ଖାଲି କୁକୁର କାହିଁକି ସବୁ ପଶୁଙ୍କୁ ନିଜର କରିପାରନ୍ତି ପଶୁପ୍ରେମୀ ସନ୍ତୋଷ । ବୁଲା ଷଣ୍ଢ କି ଗୋରୁଗାଈ ଯଦି ରୋଗାଗ୍ରସ୍ତ ହୁଅନ୍ତି କି ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ସେମାନଙ୍କୁ ଚିକିତ୍ସା କରାନ୍ତି । ଏପରିକି ଗତ ରାକ୍ଷୀ ପୂର୍ଣ୍ଣିମାରେ ବୁଲି ବୁଲି ସମସ୍ତ ଗୋରୁଗାଈଙ୍କୁ ରାକ୍ଷୀ ବାନ୍ଧିଥିବା ବେଳେ ପୂଜା କରିଛନ୍ତି ସନ୍ତୋଷ । ଦୁନିଆ ଯେଉଁ ପଶୁକୁ ନିଚ୍ଚ ଆଖିରେ ଦେଖେ ସେହି ପଶୁକୁ ସ୍ନେହ ଦେଇ ଆପଣେଇ ନେଇଛନ୍ତି ସନ୍ତୋଷ ।