ଆଉ କେତେ ଜୀବନ ଦେଇ ଜଳିବି? ହଜାର ହଜାର କିଲୋମିଟର ଲମ୍ବିଥିବା ମୋ ବାହୁରେ ବାରୁଦ ଭଳି ନିଆଁ ବ୍ୟାପିଛି । ହୃଦୟରେ ଲାଗିଥିବା ନିଆଁ ଏବେ ବି ହୁତହୁତ ହୋଇ ଜଳୁଛି, ମୁଁ ଶିମିଳିପାଳ କହୁଛି…

ଗତ ୨ ସପ୍ତାହେ ହେବ ମୋ ଦେହରେ ନିଆଁ ଲାଗିଛି, ମୋ ଶିରାପ୍ରସିରାରେ ହୁ ହୁ ହୋଇ ଅଗ୍ନି ଆତଙ୍କିତ କରିଛି, ଆଖି ବୁଜିହେଲା ପରି ଲାଗୁଥିଲେ ବି ଏତେ ବଡ଼ ଶରୀର ପାଇଁ ମୁଁ ବି ପ୍ରାକୃତି ଆଗରେ ହାରମାନି ଯାଇଛି ।

207
କନକ ବ୍ୟୁରୋ:
ମୁଁ ଶିମିଳିପାଳ…. ଆପଣଙ୍କ ଶିମିଳିପାଳ
ମୋ ଘର ଓଡ଼ିଶାର ମୟୁରଭଞ୍ଜରେ
ମୋ ଉଚ୍ଚତା ହାରାହାରି ୯୦୦ ମିଟର
ମୋ ବୟସ କେତେ ମୁଁ ନିଜେ ଜାଣିନି
କିନ୍ତୁ ମୋ ବାହୁ ୨୭୫୦ ବର୍ଗ. କିଲୋମିଟର ଯାଏଁ ବ୍ୟାପିଛି
୧୯୮୦ ଦଶକରେ ମୋତେ ପରିଚୟ ମିଳିଥିଲା
୨୦୦୯ ମେ ୨୭ରେ  ମୁଁ ୟୁନିସ୍କୋ ତରଫରୁ ବିଶ୍ୱ ଐତିହ୍ୟ ମାନ୍ୟତା  ବି ପାଇଛି
ମୋ କୋଳରେ ୧୦୧୫ ଜାତିର ଉଦ୍ଭିଦ, ୧୪୯ ଜାତିର ପ୍ରାଣୀ ୪୬ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୬୨ ପ୍ରକାର ପକ୍ଷୀ, ୨୯ ପ୍ରକାର ସରୀସୃପ ଓ ୧୨ ପ୍ରକାର ଉଭୟଚର ଶାନ୍ତିର ନିଦ୍ରାରେ ଶୁଅନ୍ତି । କାରଣ ମୁଁ ରାଜ୍ୟ ତଥା ଦେଶର ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଘଲ । କେବଳ ଏତିକି ନୁହେଁ ମୁଁ ଏସିଆ ମହାଦେଶ ଦ୍ୱିତୀୟ ଅମ୍ଳଜାନର କେନ୍ଦ୍ର । ମୋ ଖ୍ୟାତି ହାରାହାରି ୨୮ଶହ କିଲୋମିଟର ଯାଏଁ ବ୍ୟାପିଥିଲେ ବି ଆଜି ମୋ ଛାତିରେ ବନାଗ୍ନିର ବାରୁଦ ବ୍ୟଥିତ କରିଛି ।
ମୁଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସଜେଇ ହୋଇକି ବି ଆଜି ଜଙ୍ଗଲ ନିଆଁରେ ଜଳି ଜଳି ମରୁଛି, ମୋ ଦେହରେ କିଏ ନିଆଁ ଲଗାଇଲା ମୁଁ ଜାଣିନି, ଆଉ ଜଣିଥିଲେ ବି ମୁଁ କଣ କହିପାରିବି। କାରଣ ମୋ କୋଳରୁ କେବଳ ବାଘ, କଲରାପତ୍ରିଆ ବାଘ, ଜଙ୍ଗଲ ବିରାଡ଼ି, ଗଧିଆ, ହାତୀ, ଗୟଳ, ହରିଣ, ଝିଙ୍କ, କଇଁଛଙ୍କ ଶବ୍ଦ ଶୁଣାଯିବ।ହେଲେ ଏବେ ସେମାନେ ବି ଚିତ୍କାର କରୁଛନ୍ତି, ମୋ ଅଙ୍ଗ ପ୍ରତ୍ୟଙ୍ଗରେ ଏବେ ଅଗ୍ନିଶିଖା ଅସ୍ତବ୍ୟସ୍ତ କରିଦେଇଛି ।
ଗତ ୨ ସପ୍ତାହେ ହେବ ମୋ ଦେହରେ ନିଆଁ ଲାଗିଛି, ମୋ ଶିରାପ୍ରସିରାରେ ହୁ ହୁ ହୋଇ ଅଗ୍ନି ଆତଙ୍କିତ କରିଛି, ଆଖି ବୁଜିହେଲା ପରି ଲାଗୁଥିଲେ ବି ଏତେ ବଡ଼ ଶରୀର ପାଇଁ ମୁଁ ବି ପ୍ରାକୃତି ଆଗରେ ହାରମାନି ଯାଇଛି । ମୋ ଦେହର ନିଆଁକୁ ଲିଭେଇବା ପାଇଁ ସୋସିଆଲ ମିଡ଼ିଆରେ ମୟୁରଭଞ୍ଜରୁ ଦିଲ୍ଲୀ ଦରବାରକୁ ଖବର ଯାଇଛି, ରାଜକୁମାରୀଠୁ ରାଜ୍ୟ ସରକାର ମୋ ପାଇଁ ଚିନ୍ତିତ ଅଛନ୍ତି ଆଉ ସୋସିଆଲ ମିଡ଼ିଆରେ ତ ମୋତେ ବଞ୍ଚେଇବାକୁ ଅନେକ ପ୍ରାର୍ଥନା କରୁଛନ୍ତି, ହେଲେ ମୁଁ ଜଳୁଛି…. ଆଉ ଜଳୁଛି…
ଆଗରୁ ଏମିତି ଅନେକ ବାର ମୁଁ ଜଳିଛି, କେତେବେଳେ ମୋ କୋଳରେ ବଢୁଥିବା ଗଛଲତାଙ୍କ ପୁନର୍ଜନ୍ମ ପାଇଁ ତ ଆଉ କେତେବେଳ ମଣିଷର ପେଟକୁ ଦୁଇ ଓଳି ଦାନା ଦେବା ପାଇଁ… ହଁ ଏଇଟା ସତ ମୋତେ କ୍ଷତାକ୍ତ କରି ମୋର ୨୭୫୦ ବର୍ଗ. କିଲୋମିଟର ଭଳି ବାହୁରୁ ଖଣ୍ଡେ ଖଣ୍ଡେ ହାତ କଟିନେଇ ଯାଆନ୍ତି ହେଲେ ମୁଁ ମନଦୁଃଖ କରେନି । କିନ୍ତୁ ଏଇ କିଛି ଦିନର ନିଆଁ ମୋ ଦେହରେ ସମାହିତ ଥିବା ନଭଶ୍ଚୁମ୍ବୀ ମେଘାସନୀ ପର୍ବତଠୁ ବଳି ଯାଇଛି । ଏମିତିକି ବୁଢ଼ାବଳଙ୍ଗ, ଗଙ୍ଗାହାର, ସୋନ, ଦେଓ, ସଞ୍ଜ, ଖଇରୀ ଓ ହଣ୍ଡନ ଭଳି ନଦୀବି ନିଆଁ ଆଗରେ ମୁଣ୍ଡ ନୁଆଁଇ ଦେଇଛନ୍ତି।
ମୋ ସବୁଜ ବନାନୀ ଆଜି ବନାଗ୍ନି ପାଲଟିଛି, ଭାସ୍ୟ ମାନ ମେଘମାଳାର ମୁହଁ କଳା ପଡିଯାଇଛି, କଳ କଳ ନାଦ କରି ବୋହି ଯାଉଥିବା ଝରଣାରେ ମୋ ଲୁହ ଝରିଯାଉଛି, ଆଉ ମୋ ମନୋରମର ମଲମ ମୁଁ ଏଯାଏଁ ଖୋଜୁଛି। ମୋ ଦେହର ନିଆଁ ଲିଭୁ କି ନଲିଭୁ କିଛି ଲୋକ ଏଇ ତାତି କୁ  ନେଇ ତାଙ୍କ ରାଜନୈତିକ ତାୱାରେ ରୁଟି ସେକିଛନ୍ତି, ନିଆଁ ଲିଭେଇବା ବଦଳରେ ମୋ ହାଲଚାଲ ପଚାରି ପଳାଇଉଛନ୍ତି, ଜାଣିନି ମୋ ଦେହର ଦରଜ ପାଇଁ ମଲମ କେବେ ମିଳିବ ହେଲେ ମୁଁ ଯଦି ଗୋଟେ ଗଛ ନହୋଇ ଭୋଟର ହୋଇଥାନ୍ତି ହୁଏତ ଆଜି ଏମିତି ଜଳି ନଥାନ୍ତି।
ଶେଷରେ ଏତ୍ତିକି କହିବି ମୋ ଭଳି ଅନେକ ଅପରିଚିତ ବନରେ ଆଜି ଯେଉଁ ଅଗ୍ନିଶିଖା ଲାଗିଛି, ଆମ ସୌନ୍ଦର୍ଯ୍ୟ ସର୍ବହରା ହେବା ପୂର୍ବରୁ ଆମକୁ ବଞ୍ଚେଇ ଦିଅ, ମୋତେ ହାଣି କାଟି ଜାଳି ଯଦି ଖୁସି ପାଉଛ ତା ହେଲେ ଏମିତି ଜଳିବାକୁ ଛାଡିଦିଅ….
ନିଆଁ ନଲିଭିବା ଯାଏଁ ଆମର ଅଭିଯାନ ଜାରି ରହିବ…