ଟୀକା ନାଁରେ ସାଇବର ଠକଙ୍କ ଷଡ଼ଯନ୍ତ୍ର । ମୋବାଇଲକୁ ଆସୁଛି ଏମିତି ମେସେଜ୍, କ୍ଲିକ୍ କରିଦେଲେ ହ୍ୟାକ୍ ହୋଇଯିବ ମୋବାଇଲ, ବର୍ତ୍ତିବାର ବାଟ ବତାଇଲେ ବିଶେଷଜ୍ଞ...

Advertisment
ଟୀକା ନାଁରେ ସାଇବର ଠକଙ୍କ ଷଡ଼ଯନ୍ତ୍ର । ମୋବାଇଲକୁ ଆସୁଛି ଏମିତି ମେସେଜ୍, କ୍ଲିକ୍ କରିଦେଲେ ହ୍ୟାକ୍ ହୋଇଯିବ ମୋବାଇଲ, ବର୍ତ୍ତିବାର ବାଟ ବତାଇଲେ ବିଶେଷଜ୍ଞ...

କନକ ବ୍ୟୁରୋ: ଆଜ୍ଞା ଟୀକା ନେବେ କି? ସ୍ଲଟ୍ ବୁକିଂ କରିବାରେ ଅସୁବିଧା ହେଉଛି କି? କେବଳ ଗୋଟିଏ କ୍ଲିକରେ ଆପଣ ପାଇପାରିବେ ଟୀକା, ବେଶୀ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । ଏମିତି କିଛି ମେସେଜ୍ ଓ ଫୋନ୍ ର ଜାଲ ବିଛାଉଛନ୍ତି ସାଇବର୍ ଅପରାଧୀ । କରୋନାର ଦ୍ୱିତୀୟ ଲହରକୁ ନେଇ ଲୋକ ହନ୍ତସନ୍ତ ହେଉଥିବାବେଳେ ଭୂତାଣୁ ଭିତରେ ଚିନ୍ତା ବଢ଼ାଇଛନ୍ତି ସାଇବର ଠକ । ଦେଶ ଟୀକାକୁ ନେଇ ଟେନସନରେ ଥିବାବେଳେ ଏମାନେ କିନ୍ତୁ ଆପଣାଉଛନ୍ତି ଡିଜିଟାଲ ଠକାମୀର ନୂଆ ନୂଆ ତରିକା । ଆଉ ଏହି ସାଇବର ଠକଙ୍କ ଜାଲରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ପୁଲିସ ବାବୁ ।

ସୂଚନା ମୁତାବକ, ଜଣେ ପୁଲିସ ଇନ୍ସପେକ୍ଟରଙ୍କ ମୋବାଇଲକୁ ଏକ ଏସଏମଏସ୍ ଆସିଥିଲା। ସେହି ମେସେଜରେ ଏକ ଲିଙ୍କ୍ ରହିଥିଲା। ୧୮ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେବା ପାଇଁ ଦିଆଯାଇଥିବା ଆପ୍ର ଲିଙ୍କକୁ ଡାଉନଲୋଡ୍ କରିବା ପାଇଁ କୁହାଯାଇଥିଲା। ଆପ୍ ଡାଉନଲୋଡ୍ ହେଲା ପରେ ଟିକା ପାଇଁ ରେଜିଷ୍ଟ୍ରେସନ୍ ହୋଇପାରିବ ବୋଲି ଉଲ୍ଲେଖ ରହିଥିଲା। ପୁଲିସ ଇନ୍ସପେକ୍ଟର ଜଣଙ୍କ ପୂର୍ବରୁ ସମ୍ମୁଖ ଯୋଦ୍ଧାଭାବେ ଟିକା ନେଇ ସାରିଛନ୍ତି। କିନ୍ତୁ ତାଙ୍କର ଜଣେ ପରିବାର ସଦସ୍ୟଙ୍କ ଟିକା ପାଇଁ ସେହି ଆପ୍ ଡାଉନଲୋଡ୍ କଲେ ହଠାତ୍ ତାଙ୍କ ବୁଦ୍ଧି ଉଦୟ ହେଲା ଏବଂ ସେ ଚିନ୍ତା କଲେ ଯେ, ଆପ୍ ଜରିଆରେ ସ୍ଲଟ୍ ଫାଙ୍କା ରହୁ ନଥିବା ବେଳେ ଏହି ଟିକା କେମିତି ମିଳିବ? ଏମିତି କିଛି ସନ୍ଦେହ ହେବାରୁ ସେ ଜଣେ ବିଶେଷଜ୍ଞଙ୍କ ଦ୍ବାରା ଏହାକୁ ଯାଞ୍ଚ କରାଇଥିଲେ । ଏହାପରେ ତାହା ଠକଙ୍କ କାରନାମା ବୋଲି ଜଣାପଡ଼ିଥିଲା। ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ ପୁଲିସ ବାବୁ । ତେବେ ଆପଣଙ୍କୁ ଯଦି ଏମିତି କିଛି ମେସେଜ୍ ଆସୁଛି ତା’ ହେଲେ କିଛି ଜରୁରୀ ସୂଚନା ଜାଣି ରଖନ୍ତୁ...

ଆପ୍ ଡାଉନଲୋଡ୍ କଲେ କ’ଣ ହେବ ଅସୁବିଧା?

ଆପଣଙ୍କ ମୋବାଇଲକୁ ସାଇବର ଠକ ପଠାଇଥିବା ଲିଙ୍କକୁ ଯଦି କ୍ଲିକ୍ କରି ସେହି ଆପ୍ ଡାଉନଲୋଡ୍ କଲେ ତେବେ ସାଂଘାତିକ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପ୍ ଡାଉନଲୋଡ୍ କଲା ପରେ ତତକ୍ଷଣାତ୍ ମୋବାଇଲ ଅକାମି ହୋଇଯିବ। ମୋବାଇଲର ସମସ୍ତ ତଥ୍ୟ ମେସେଜ୍ ପଠାଇଥିବା ସାଇବର ଅପରାଧୀ ପାଖକୁ ଚାଲିଯିବ। ଏପରିକି ମୋବାଇଲରେ ଥିବା ନେଟ୍ ବ୍ୟାକିଂ, ପେଟିଏମ୍, ଫୋନ୍ ପେ’ ସମ୍ପର୍କିତ ସମସ୍ତ ତଥ୍ୟ ମଧ୍ୟ ଚାଲିଯିବ।
କେବଳ ଏତିିକି ନୁହେଁ ନେଟ୍ ବ୍ୟାକିଂ ଜରିଆରେ ଟଙ୍କା ହଡ଼ପ କରିବାର ସମ୍ଭାବନା ରହିଛି। ମୋବାଇଲର ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅପରାଧୀ ହାତରେ ଲାଗିଯିବ। ଯାହାର ଦୁରୂପଯୋଗ କରିବାର ସମ୍ଭାବନା ମଧ୍ୟ ବେଶ୍ ଅଧିକ ।

କେମିତି ବର୍ତ୍ତିବେ?

ଟିକାକରଣ ପାଇଁ ସରକାରଙ୍କ ତିନୋଟି ଆପ୍ ରହିଛି। ସେଗୁଡ଼ିକ ହେଲା, କୋୱିନ୍, ଆରୋଗ୍ୟ ସେତୁ ଓ ଉମଙ୍ଗ। ଏହା ମାଧ୍ୟମରେ ରେଜିଷ୍ଟ୍ରେସନ୍ କରିହେବ। କିନ୍ତୁ ମୋବାଇଲକୁ ଆସୁଥିବା ମେସେଜଗୁଡ଼ିକ ସାଇବର ଠକ ପଠାଉଛନ୍ତି।

ତେବେ ଟେକ୍ନୋଲୋଜୀ ଯେତେ ଆଗକୁ ଯାଉଛି ସାଇବର ଠକ ମଧ୍ୟ ଠକାମି ପାଇଁ ନୂଆ ନୂଆ ବାଟ ବାହାର କରୁଛନ୍ତି । ଯଦି ଆପଣ ଏହାପ୍ରତି ଧ୍ୟାନ କିମ୍ବା ସରକାର ଓ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ଗୁଡ଼ିକ ବାବଦରେ ଅବଗତ ନହୁଅନ୍ତି ତେବେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe