କନକ ବ୍ୟୁରୋ: ହାତରେ ଖୁର କଇଁଚି ପେଶାରେ ବାରିକ, ବୟସ ଡେଇଁଲାଣି ୯୦ । ହେଲେ ହାର୍ ମାନିନି ମନୋବଳ କି ସେବା କରିବାର ସାହସ । ବାଲେଶ୍ୱର ସଦର ଉପନିର୍ବାଚନରେ ଜଣେ ଏମିତି ଚେହେରା ସାମ୍ନାକୁ ଆସିଛନ୍ତି ଯାହାଙ୍କୁ ଦେଖିଲେ ଜଣେ ହାରି ଯାଇଥିବା ମଣିଷ ମନରେ ଜିତିବାର ଜୋଶ୍ ଭରିଯିବ । ବୟସର ଅପରାହ୍ନରେ ବି ଲଢ଼େଇ କରିବାକୁ ସାହସ ଆସିବ ।
ନା ଅଛି ଅର୍ଥବଳ, ନା ଗାଡ଼ି-ଘୋଡ଼ା । ନା ହାଇଟେକ୍ ପ୍ରଚାର ନା କୌଣସି ଦଳୀୟ ବଳ । କଇଁଚିରେ ଘର ଘର ବୁଲି ଖିଅର କରୁଥିବା ଏହି ବୁଢ଼ା ମଉସା ଜଣକୁ ହେଉଛନ୍ତି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଗୁଡ଼ିପଦା ୨୨ ନମ୍ବର ୱାର୍ଡର ବେଣୁଧର ବାରିକ୍ । ବୟସ ୯୦ ପାର୍ କଲାଣି ହେଲେ କଇଁଚି ଭଳି ପାଦରୁ ଧାର କମିନି କି ମନରୁ ସେବା କରିବାର ଅସରନ୍ତି ଆଶା ମରିନି । ଚମ ଧୁଡ଼ୁଡ଼ୁଡୁ ଦେହରେ ଦୁଇଖଣ୍ଡ ଗାମୁଛା ପିନ୍ଧି ବାଲେଶ୍ୱର ବ୍ୟାଟେଲରେ ଏଥର ସ୍ୱାଧିନ୍ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ସକାଳୁ ସକାଳୁ କୂଳ ବେଉସାକୁ ସାରି ଛିଡ଼ା ଚପଲରେ ଭୋଟ୍ ମାଗିବାକୁ ବାହାରି ପଡୁଛନ୍ତି । ଧନବଳ ନଥାଉ କିନ୍ତୁ ମନୋବଳରେ ମଣିଷ ଜିତିବାକୁ ବେଣୁଧର ବାଲେଶ୍ୱର କରୁକ୍ଷେତ୍ରକୁ ଏଥର ଓହ୍ଲାଇଛନ୍ତି ।
ସବୁଠାରୁ ବଡ଼ କଥା ହେଲା, ଗାଉଁଲି ଭାଷାକୁ ବେଣୁଧରଙ୍କ ଦେଶୀ ଅନ୍ଦାଜ୍ ଚର୍ଚ୍ଚାର ବିଷୟ ପାଲଟିଛି । ବସ୍ତିବାସିନ୍ଦାଙ୍କ ଏହି ନେତା ଏବେ ଉପନିର୍ବାଚନର ହଟସ୍ପଟ୍ ବାଲେଶ୍ୱରର ବାଜିଗର ହେବାକୁ ବଳକଷୁଛନ୍ତି । ସେ କୁହନ୍ତି ମୋ ପାଖରେ ଧନ ବଳ ନାହିଁ କି ଗାଡ଼ି ଘୋଡ଼ା ନାହିଁ । ଦୁର୍ନୀତି, ମହିଳାଙ୍କ ଉପରେ ନିର୍ଯ୍ୟାତନା ବିରୁଦ୍ଧରେ ଲଢ଼େଇ କରିବାକୁ ଆସିଛି । ଲୋକଙ୍କ ମତରେ ମୁଁ ଛିଡ଼ା ହୋଇଛି । ହାରେ କି ଜିତେ ଡରିବି କ’ଣ ପାଇଁ ।
ବେଣୁଧରଙ୍କ ଏଭଳି ମନୋବଳ ଏବଂ ବୟସ ସହ ବ୍ୟାଟେଲ ଦେଖି ଅନେକ ହାର୍ ମାନୁଥିବା ଲୋକ ବି ଜିତିବାର ଆଶା ବାନ୍ଧିବେ । ତେବେ ବେଣୁଧର ବାଲେଶ୍ୱର ସଦରର ବାଜିଗର ହୁଅନ୍ତୁ କି ନାହିଁ ଜଣେ ଗରିବୀର ଗର୍ବକୁ ଭାଙ୍ଗି କିଳଭି ଜୀବନ ଯୁଦ୍ଧରେ ଜିତିବେ ତାହାର ଉଦାହରଣ ହେଉଛନ୍ତି ଏହି ୯୦ ବର୍ଷୀୟ ବୃଦ୍ଧ ।
Follow Us