କରୋନା ପାଇଁ କଳା ଉପରେ କଟକଣା, ହେଲେ ହାରିନି କଳାକାର । ଅଭିନେତା ପରି ବୃତି ବଦଳାଇଛି, ବିକଳ୍ପ ବାଛିଚି । ଜୀବନ ଜୀବୀକା ଦୋଛକିରେ ଛିଡା ହୋଇ କଳାକାର ଡେଲିଭରୀ ବୟ ସାଜିଛି । ମହାମାରୀ ମଞ୍ଚରେ ଜୀବନ ଜିଇଁବାର ନୂଆ ନାଟକ କରୁଛନ୍ତି ନଳିନୀକାନ୍ତ । କରୋନା କାଳର ବ୍ରହ୍ମପୁରରୁ ଆସିଲା ପ୍ରେରଣାଦାୟୀ କାହାଣୀ…

135

କନକ ବ୍ୟୁରୋ: ଶୁଣିଥିଲି ସମୟ ସବୁକିଛି ବଦଳାଇଦିଏ । ସମୟ କେତେବେଳେ କାହାକୁ କେଉଁଭଳି ସଜାଇଦିଏ ତାହା କେହି କେବେ କଳ୍ପନା କରିନଥିବେ । ନାଟକର ଅଭିନେତା ନିର୍ଦ୍ଦେଶକର କଥାରେ ନାଚିବା ପରି ସମୟର ଇସାରାରେ ନାଚେ ମଣିଷ । ଏଇ ଯେମିତି ମୁଁ… ରଙ୍ଗମଞ୍ଚ ଛାଡି, ମୁହଁର ରଙ୍ଗ ପାଉଡର ଲିଭାଇ କଳାକାରରୁ ଆଜି ସାଜିଛି ଡେଲିଭରି ବୟ । ଆଜି ମଞ୍ଚରେ ଦର୍ଶକ ନାହାନ୍ତି, ମୁଁ କିନ୍ତୁ ପହଞ୍ଚୁଛି ଦର୍ଶକଙ୍କ ପାଖରେ, କଳାକାର ନୁହେଁ ବିକ୍ରେତା ଭାବରେ । ସେ ତାଳି ଆଜି ଅଳି ପାଲଟିଛି, ସେ ଲୁହ ଆଜି ଝାଳ ହୋଇ ବହିଯାଉଛି । ପେଟ ଚାଖଣ୍ଡେ ପାଇଁ ବିଧାତା ରଚିଥିବା ଏ ବିଚିତ୍ର ନାଟକରେ ମତେ ଆଜି ଅଭିନୟ କରିବାକୁ ପଡୁଛି… କାରଣ ଜୀବନଟା ପରା ଗୋଟେ ନାଟକ…

କରୋନା ବଦଳାଇ ଦେଲା ଜୀବନଜୀବୀକା । କାଲି ଯିଏ ମଞ୍ଚ, ମଣ୍ଡପରେ କଳାକାର ସାଜିଥିଲେ ଆଜି ସିଏ ଘର ଘର ବୁଲି ସାମଗ୍ରୀ ଯୋଗାଉଛନ୍ତି, ସେବା ଦେଉଛନ୍ତି । ଆଉ ପେଟ ପାଇଁ ଅଭିନେତାରୁ ପାଲଟିଛନ୍ତି ଅନଲାଇନ ଡେଲିଭରି ବୟ । ହଁ, ବ୍ରହ୍ମପୁରର ନଳିନୀକାନ୍ତ ଗୌଡ । ନାଟ୍ୟକାର ଭାବେ ରାଜ୍ୟର ବଡ ବଡ ମଞ୍ଚରେ ଅଭିନୟ କରିଛନ୍ତି । ନାଟକ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ହେଲେ କରୋନା ପାଇଁ ନାଟକ, ରଙ୍ଗମଞ୍ଚ ଉପରେ କଟକଣା ଥିବାରୁ ଅନେକ ଅଭିନେତାଙ୍କ ପରି ନଳିନୀ ବି ହରାଇଛନ୍ତି ଜୀବୀକା । ରୋଜଗାରର ସବୁ ପନ୍ଥା ବନ୍ଦ ହୋଇଯିବା ପରେ ହାତବାନ୍ଧି ବସିଥିଲେ ନଳିନୀ । ହେଲେ ଜଣେ କଳାକାର ହୋଇଥିବାରୁ ସ୍ୱାଭିମାନକୁ ଜଳାଞ୍ଜଳୀ ଦେଇ କାହା ପାଖେ ହାତପାତି ନାହାନ୍ତି ସେ । ପରିବାର ୪ ଜଣଙ୍କୁ ପୋଷିବାକୁ ବୃତି ବଦଳାଇଛନ୍ତି, ବିକଳ୍ପ ବାଛିଛନ୍ତି…

ରଙ୍ଗମଞ୍ଚରୁ ରାସ୍ତାକୁ ଓହ୍ଲାଇ ଘର ଘର ବୁଲି ଜିନିଷ ଯୋଗାଉଛନ୍ତି ନଳିନୀ । ତେବେ ରୋଜଗାର ପାଇଁ ଚିହ୍ନା ପରିଚିତ ଓ ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ଯୋଗାଡ କରି ପ୍ରଥମେ ହ୍ୱାଟ୍ସଆପରେ ଏକ ଗ୍ରୁପ କଲେ । ପରେ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣି ସେମାନଙ୍କ ଘରେ ପହଞ୍ଚାଇବାକୁ ନିବେଦନ କଲେ । ଆଉ ଏବେ ଯିଏ ଯାହା ବରାଦ କରୁଛନ୍ତି ସବୁତକ ତାଲିକା କରି, ଲୋକଙ୍କ କହିବା ମୁତାବକ ପନିପରିବା ଓ ଗ୍ରୋସରୀ ସାମଗ୍ରୀ ଘରେ ପହଞ୍ଚାଉଛନ୍ତି । ତେବେ ବଜାର ଦର ବାଦ୍ ଘର ପିଛା ହୋମ୍ ଡେଲିଭରି ବାବଦକୁ ୧୦ ଟଙ୍କା ନେଉଛନ୍ତି ନଳିନୀ । ଯେଉଁଥିରେ ତାଙ୍କ ଛୋଟ ପରିବାର ଚଳାଉଛନ୍ତି ।

ତେବେ ଘର ଘର ବୁଲି ସେବା ଯୋଗାଉଥିବା ନଳିନୀଙ୍କ ବ୍ୟବହାର, ମିଷ୍ଟ ଭାଷା ଓ ବିଭିନ୍ନ ଅଙ୍ଗଭଙ୍ଗୀରେ କଥାବାର୍ତ୍ତା ସମସ୍ତଙ୍କୁ ଭଲଲାଗେ । ଏମିତିକି ଅର୍ଡର ଡେଲିଭରି ବେଳେ ଲୋକଙ୍କ ଭଲମନ୍ଦ ବୁଝିବା ସହ କରୋନା ସଚେତନତା କରନ୍ତି ।

ଖାଲି ଅନଲାଇନରେ ଡେଲିଭରି କରନ୍ତିନି ବରଂ ଘରେ ମାସ୍କ ସିଲେଇ କରି ବଜାରରେ ବିକ୍ରି କରନ୍ତି ଏ କଳାକାର ଜଣଙ୍କ । ତେବେ ଅନେକ ନାଟକରେ ଅଭିନୟ କରିଥିବା ନଳିନୀ, ପିଲାଙ୍କୁ ଡ୍ରାମା ଶିଖାନ୍ତି, ବ୍ରହ୍ୁପୁର ଆକାଶବାଣୀରେ କେବେ କେବେ ଉଦଘୋଷକ ଭାବେ କାମ କରନ୍ତି । ଆଉ ବହୁ ପ୍ରତିଭାର ଅଧିକାରୀ ଥିବା ଏ ଅଭିନେତା ଆଜି କରୋନା ପାଇଁ କଳାକାରରୁ ଡେଲିଭରି ବୟ ସାଜିଛନ୍ତି । ସମୟର ରଙ୍ଗମଞ୍ଚରେ ନୂଆ ଏକ ନାଟକରେ ଅଭିନୟ କରୁଛନ୍ତି…