ମହାନଦୀରୁ ବାହାବେଦୀ: ୫ ବର୍ଷ ପୂର୍ବେ ଯେଉଁ ମହାନଦୀରେ ଭାସିଆସିଥିଲେ ସେହି ମହାନଦୀ କୂଳରେ ହେଲା ମହାମିଳନ, ନଦୀକନ୍ୟା ଆରମ୍ଭ କଲେ ନୂଆ ଜୀବନ ।

304
କନକ ବ୍ୟୁରୋ: ହାତରେ ମେହେନ୍ଦୀ, ପାଦରେ ଅଳତା, ଦେହରେ ଲାଲ ଫର୍ ଫର୍ ଶାଢୀ ଓ ମଥାରେ ନାଲି ଓଢଣୀ । ଏଭଳି ନବବଧୂ ବେଶରେ ସଜେଇ ହୋଇ ବିବାହ ବେଦୀରେ ବସିଛନ୍ତି ନଦୀକନ୍ୟା ସୋନୀ ଯାଦବ । ମହାନଦୀରୁ ବାହାବେଦୀ । ହୋମ ନିଆଁକୁ ସାକ୍ଷୀ ରଖି ପଡ଼ିଲା ନଦୀକନ୍ୟାଙ୍କ ହାତଗଣ୍ଠି । ୫ ବର୍ଷ ପୂର୍ବେ ମହାନଦୀର ଅକାତ କାତ ପାଣିରେ ଛତିଶଗଡ଼ରୁ ଭାସି ଆସିଥିବା ଝିଅ ସାଜିଲା ବୋହୂ । ବୈଦିକ ରୀତିନୀତିରେ ବିବାହ କରାଇଲେ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିଥିବା ପରିବାର । ଆଉ ଶଙ୍ଖା ସିନ୍ଦୂର ପିନ୍ଧି ନୂଆ ଜୀବନ ଆରମ୍ଭ କରିଛନ୍ତି ଦୌପଦୀ ଯାଦବ ଓରଫ୍ ସୋନୀ ।
ଅଗ୍ନିକୁ ସାକ୍ଷୀ ରଖି ହାତକୁ ଦୁଇ ହାତ ହୋଇଛନ୍ତି ସୋନୀ । ଯେଉଁ ମହାନଦୀରେ ମୁହଁରେ ଦିନେ ଭାସି ଆସିଥିଲେ, ସେହି ମହାନଦୀ କୁଳରେ ଆଜି ତାଙ୍କ ହାତଗଣ୍ଠି ପଡ଼ିଛି । ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସୋନୀ ନୂଆ ସଂସାର ଗଢ଼ିଛନ୍ତି । ଧରମଜୟଗଡ ଗାଁର ପ୍ରେମ ସିଂହ ଯାଦବଙ୍କ ପୁଅ ପୁରୁଷୋତ୍ତମ ଯାଦବଙ୍କ ସହ ସୋନୀର ବାହାଘର ହୋଇଛି । ଆଉ କନ୍ୟାଦାନ କରିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ । କୋଭିଡ୍ କଟକଣା ଭିତରେ ବିବାହଟି ବେଶ୍ ଧୁମଧାମ୍ ସମ୍ପନ୍ନ ହେବାପରେ କୁସମେଲ୍ ଗ୍ରାମବାସୀ ଭାବପ୍ରବଣ ହୋଇ ସୋନୀକୁ ଅଶ୍ରୁଭରା ନୟନରେ ବିଦାୟୀ କରିଛନ୍ତି ।
ପାଞ୍ଚ ବର୍ଷ ତଳେ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଜେବ୍ରା ଗାଁର ବାପା-ମା’ ଛେଉଣ୍ଡ ଯୁବତୀ ସୋନୀ ଯାଦବ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିଲେ । ନିକଟସ୍ଥ ମହାନଦୀ କୂଳରେ ହାତ ଗୋଡ଼ ଧୋଉ ଧୋଉ ହଠାତ୍ ନଦୀରେ ସେ ଖସି ପଡ଼ିଥିଲେ । ମହାନଦୀର ପ୍ରଖର ସ୍ରୋତରେ ପ୍ରାୟ ୫୦ କିଲୋମିଟର ଭାସି ଭାସି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁସମେଲ ଗାଁ ନିକଟରେ କେଲୋ ନଦୀ ସଙ୍ଗମ ସ୍ଥଳରେ ଲାଗିଥିଲେ । କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ଗଭୀର ମହାନଦୀରୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ । ଦୀର୍ଘ ୧୨ଘ । ଧରି ପାଣିରେ ପ୍ରାୟ ୮୦କିଲୋମିଟର ଭାସିବା ପରେ ମଧ୍ୟ ସୋନୀ ଜୀବିତ ଥିବା ସ୍ଥାନୀୟ ଲୋକଙ୍କ ପାଇଁ ଏକ ଚମତ୍କାରରୁ କିଛି କମନଥିଲା  । ପରେ ସନ୍ନ୍ୟାସୀ କାଲୋ ଏବଂ ତାଙ୍କ ଧର୍ମପତ୍ନୀ ଅହଲ୍ୟା କାଲୋ ସମସ୍ତ ଆବଶ୍ୟକ ନଥିପତ୍ର କରାଇ ସୋନୀଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ । ଦୀର୍ଘ ସାଢ଼େ ୪ବର୍ଷ କାଳ କାଲୋ ଦମ୍ପତି ସୋନୀଙ୍କ ସେବା, ଯତ୍ନ କରିବା ସହ ଶିକ୍ଷିତ ଓ ସିଲାଇ ତାଲିମ ଦେଇ ଆତ୍ମନିର୍ଭରଶୀଳ କରାଇଛନ୍ତି ।
ସୋନୀ ବିବାହଯୋଗ୍ୟ ବୟସରେ ଉପନୀତ ହେବା ପରେ ବାହା କରାଇବା ଲାଗି କାଲୋ ପରିବାର ପାଖରେ ଆବଶ୍ୟକୀୟ ସମ୍ବଳ ନ ଥିଲା । ସୋନୀର ବାହାଘରରେ ଅର୍ଥ ବାଧକ ସାଜିଥିବା ଜାଣିବା ପରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କନ୍ୟାଦାନ କରିବା ସହ ବାହାଘରର ସମସ୍ତ ଖର୍ଚ୍ଚ ବହନ କରିବା ଲାଗି ସ୍ୱତଃସ୍ପୁର୍ତ୍ତ ଆଗେଇ ଆସିଥିଲେ । କିଶୋର ମହାନ୍ତି ନିଜେ ସୁନା ଅଳଙ୍କାର, ଗାଡି ସମେତ ଅନ୍ୟାନ୍ୟ ଆସାବପତ୍ର କିଣି ଯୌତୁକ ଆକାରରେ ସୋନୀକୁ ଦେଇଛନ୍ତି । ତେବେ ମହାନଦୀକୁ ନେଇ ଉଭୟ ଛତିଶଗଡ଼-ଓଡ଼ିଶା ମଧ୍ୟରେ ଜଳ ବିବାଦ ଲାଗି ରହିଥିବାବେଳେ. ଛତିଶଗଡ଼କୁ ବୋହୂ ହୋଇ ଯାଇଛନ୍ତି ନଦୀକନ୍ୟା ସୋନୀ । ଏବେ ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାରେ ସୋନୀ ଯାଦବ ସୁତ୍ରଧର ପାଲଟିବେ ବୋଲି ଆଶା କରାଯାଉଛି ।