ଗୋଟିଏ ଜାଗାରେ ଯନ୍ତ୍ରଣା ଓ ଜିତର କଥା । ଦୁର୍ଗାପୂଜାରେ ଦେଶ ଦେଖିଲା ସଂକ୍ରମଣ ଭିତରେ ସଙ୍ଘର୍ଷ ଓ ସମ୍ମାନର କାହାଣୀ । ଲକଡାଉନଠୁ ରକ୍ତଭିଜା ରୁଟି, ଫୋଟକା ପାଦଠୁ ଭୋକିଲା ପେଟ…

157

ଭାରତରେ ଭୂତାଣୁ ବଢୁଥିଲା… ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବି ବଢୁଥିଲା । କିଏ ଘରକୁ ନଆସିପାରି ଛଟପଟ ହେଉଥିଲା ତ ଆଉ କିଏ ଘରକୁ ଫେରିବା ବାଟରେ ଶବ ପାଲଟି ଯାଉଥିଲା । କରୋନାର ଏହି କରାଳ ରୂପ କେତେ ଯେ କାହାଣୀ କହିଛି ତାହା ବୋଧ ହୁଏ ବାକ୍ୟରେ ବୟାନ କରିବା ସମ୍ଭବ ନୁହେଁ । କିନ୍ତୁ, ଗୋଟିଏ ଫ୍ରେମରେ ସଂକ୍ରମଣ, ସଂଘର୍ଷ ଓ ସମ୍ମାନର ସବୁ ଚିତ୍ର ଦେଶ ଦେଖିବାକୁ ଯାଉଛି ।

କାହାଣୀ ନମ୍ବର-୧

ଏ ହେଉଛି ପ୍ରବାସୀଙ୍କ ଘର ବାହୁଡା ବେଳର ଦୃଶ୍ୟ । ଯେତେବେଳେ କରୋନା ମହାମାରୀ ଦେଶରେ ତାଣ୍ଡବ ରଚୁଥିଲା ସେତେବେଳେ ଘରକୁ ଫେରିବା ପାଇଁ ହାତରେ ପେଡି ପୁଟୁଳି ଧରି ବଣ ଜଙ୍ଗଲ ଦେଇ ଚାଲି ଚାଲି ଘରକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । କାହିଁକି ନା ସେତେବେଳେ ସାରା ଦେଶରେ ପଡିଥିଲା ତାଲା । ଘରକୁ ଫେରିବା ବାଟରେ କଟକଣା ଲଗାଇଥିଲେ ସରକାର । ସେହି ସମୟରେ ସଂକ୍ରମଣର ଭୟ ଶ୍ରମିକଙ୍କୁ ନିଜ ଭିଟାମାଟି କଥା କେତେ ଯେ ମନେ ପକାଇଥିଲା ତାହା ଏ ଦୃଶ୍ୟ ହିଁ ବୟାନ କରୁଛି ।

କାହାଣୀ ନମ୍ବର-୨

ହଠାତ୍ ଟିଭିରେ ଖବର ପ୍ରସାରଣ ହେଲା, ଟ୍ରେନ୍ ଲାଇନରେ ଶୋଇଥିବା କିଛି ଶ୍ରମିକଙ୍କ ଉପରେ ଟ୍ରେନ୍ ମାଡିଯାଇଛି । ଲୌହ ଦାନବର ଚକା ତଳେ ଶ୍ରମିକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଛି ତ ରକ୍ତ ଭିଜା ରୁଟି ଏଣେତେଣେ ପଡ଼ିଛି । ଆଉ ଏଇଠୁ ହିଁ ଆରମ୍ଭ ହୋଇଥିଲା ଶ୍ରମିକଙ୍କ ସଂଘର୍ଷର କାହାଣୀ । କରୋନା କୋପରେ ଧିରେ ଧିରେ କମ୍ପାନୀ ସବୁ ବନ୍ଦ ହୋଇଗଲା , ହାତରୁ କାମଧନ୍ଦା ଚାଲିଗଲା । ପେଟ ପୋଷିବାକୁ ପାଖରେ ଥିବା ସଞ୍ଚିତ ଧନ ବି ସରି ସରି ଆସିଲା… ଭୋକିଲା ପେଟରେ କେତେ ବା ଆଉ କଷ୍ଟ ସହିଥାନ୍ତେ, ବାଧ୍ୟ ହୋଇ କିଏ ଫେସବୁକ୍ ଜରିଆରେ ସରକାରଙ୍କୁ ଘରକୁ ଫେରାଇ ନେବା ପାଇଁ ଗୁହାରି କଲା ତ ଆଉ କିଏ ସିମେଣ୍ଟ ଗୋଳା ମେସିନ ତ ଆଉ ମାଲବାହୀ ଟ୍ରକରେ ଲୁଚି ଛପି ଘରକୁ ଫେରିବାକୁ ସାହାସ ଜୁଟାଇଲା । ଠିକ୍ ସେତିକିବେଳେ ଦେଶବାସୀଙ୍କୁ ବ୍ୟଥିତ କରିଥିଲା ଶ୍ରମିକ ମା’ର ସୁଟକେସ୍ ବୁଲେଟ୍ ଟ୍ରେନ୍ କାହାଣୀ । ଯେତେବେଳେ ଜଣେ ମାଆ ସୁଟକେସ ଉପରେ ତାର କୁନି ପୁଅକୁ ସୁଆଇ ଶହ ଶହ କିଲୋମିଟର ଟାଣି ନେଉଥିଲା । ସେ ଦୃଶ୍ୟ ସୋସିଆଲ ମିଡ଼ିଆରୁ ଭାଇରାଲ ହେବାରେ ଲାଗିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ।

କାହାଣୀ ନମ୍ବର -୩

ସାରା ଶ୍ରମିକଙ୍କ ଦୁଃଖ, ଦୁର୍ଦ୍ଦଶାର ଘଟଣା ସାମ୍ନାକୁ ଆସୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ସଙ୍କଟମୋଚନ ସାଜି ଆସିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । କାହାକୁ ବସରେ ତ ଆଉ କାହାକୁ ଟ୍ରେନ୍ ଆଉ ବିମାନରେ ବ୍ୟବସ୍ଥା କରି ବାହାରେ ଫସିଥିବା ଅସହାୟଙ୍କୁ ଘରକୁ ପଠାଇଲେ । ପେଟଠୁ ପାରିଶ୍ରମିକ ସବୁ ବ୍ୟବସ୍ଥା କରି ଏକ ନୂଆ ଜୀବନ ଦେଲେ ମଣିଷ ରୂପର ଜିଅନ୍ତା ଭଗବାନ । ଖାଲି ଏତିକି ନୁହେଁ ମୁଣ୍ଡ ଗୁଞ୍ଜିବାକୁ ଘର, ପଢ଼ିବାକୁ ବହିବସ୍ତାନୀର ବ୍ୟବସ୍ଥା କରାଇ ହୃଦୟର ହିରୋ ପାଲଟିଗଲେ ସୋନୁ । ଏପଟେ ଭୂତାଣୁ ଭୟରୁ ରକ୍ଷା କରିବା ପାଇଁ କରୋନା ସାମ୍ନାରେ କବଚ ସାଜିଥିବା ଆଗଧାଡିର ଯୋଦ୍ଧାଙ୍କ ଗାଥା ବି ଏହି ପୂଜା ପଣ୍ଡାଲରେ ଦେଖିବାକୁ ମିଳିଛି । ତେବେ ଦୁର୍ଗାପୂଜାରେ ଦେଶବାସୀଙ୍କୁ କରୋନା କାଳର ଅନେକ ସଂଘର୍ଷର କାହାଣୀ ସହ ଏହି ସଂକଟ ସମୟର ସାହାସୀ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଉଦ୍ୟମ କରିଛି କୋଲକାତାର ଏକ ପୂଜା କମିଟି ।