ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର : ମାସକରେ ୪ଥରରୁ ଅଧିକ ଉଠାଣ କଲେ ଦେବାକୁ ପଡିବ ଅତିରିକ୍ତ ଶୁଳ୍କ

209

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆଜିଠାରୁ କିଛି ନୂଆ ନିୟମ ଲାଗୁ ହୋଇଛି । ଯେଉଁଥିରେ ଏବେ ଟଙ୍କା ଉଠାଇବା ଲୋକଙ୍କୁ ଆହୁରି ମହଙ୍ଗା ପଡିପାରେ । ଚେକ୍ ବୁକ୍ ହେଉ ଅବା ଏଟିଏମରୁ ସବୁ କ୍ଷେତ୍ରରେ ଏବେ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ଟଙ୍କା ଉଠାଣ ହେଲେ ବ୍ୟାଙ୍କ୍ ଶୁଳ୍କ ଆଦାୟ କରିବ ବୋଲି ଘୋଷଣା କରିଛି ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ମୌଳିକ ସଂଚୟ ବ୍ୟାଙ୍କ ଜମା ଅର୍ଥାତ ବିଏସବିଡି ଖାତାଧାରୀଙ୍କ ପାଇଁ ଏହି ନୂଆ ନିୟମ ଆଣିଛି । ଏଣିକି ଏହି ଆକାଉଂଟଧାରୀ ମାନେ ମାସକୁ କେବଳ ୪ ଥର ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ । ୪ ଥରରୁ ଅଧିକ ଥର ଟଙ୍କା ଉଠାଇବାକୁ ହେଲେ ଏଣିକି ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ତେବେ ୪ ଥର ପରେ ପ୍ରତିଥର ସେମାନଙ୍କୁ ୧୫ ଟଙ୍କା ସହ ଜିଏସଟି ମଧ୍ୟ ଗଣିବାକୁ ପଡିବ ବୋଲି ଏସବିଆଇ ଘୋଷଣା କରିଛି ।

ସେହିପରି ଚେକବୁକରେ ମଧ୍ୟ ଏହି ବିଏସବିଡି ଖାତାଧାରୀ ମାନେ ଏବେ କେବଳ ୧୦ଟି ଚେକ୍ ମାଗଣାରେ ବ୍ୟବହାର କରିପାରିବେ । ୧୦ଟି ଚେକ୍ ପରେ ସେମାନଙ୍କୁ ଚେକ୍ ବୁକରେ ଟଙ୍କା ଉଠାଇବାକୁ ହେଲେ ଅତିରିକ୍ତ ଚାର୍ଜ ଦେବାକୁ ହେବ । ୧୦ଟି ଚେକ୍ ପରେ ଆଉ ୧୦ଟି ଚେକ୍ ପାଇବା ପାଇଁ ସେମାନଙ୍କୁ ୪୦ ଟଙ୍କା ପ୍ଲସ୍ ଜିଏସଟି । ଏବଂ ୨୫ଟି ଚେକ୍ ପାଇବା ପାଇଁ ୭୫ ଟଙ୍କା ପ୍ଲସ୍ ଜିଏସଟି ଦେବାକୁ ପଡିବ । ଖାଲି ସେତିକି ନୁହେଁ, ଜରୁରୀକାଳୀନ ସ୍ଥିତିରେ ୧୦ଟି ଚେକ୍ ପାଇଁ ଏଣିକି ବିଏସବିଡି ଖାତାଧାରୀଙ୍କୁ ୫୦ ଟଙ୍କା ଏକ୍ସଟ୍ରା ଚାର୍ଜ ସହ ଜିଏମସଟି ମଧ୍ୟ ଗଣିବାକୁ ପଡିବ ବୋଲି ଏସବିଆଇ ଘୋଷଣା କରିଛି । ତେବେ ଚେକ୍ ବୁକ ସେବାରେ ବରିଷ୍ଠ ନାଗରିକମାନଙ୍କୁ କିନ୍ତୁ ଏହି ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବନି ।

ଆଇଆଇଟି ବମ୍ବେର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୫ରୁ ୨୦ ଭିତରେ ୧୨ କୋଟି ବିଏସବିଡି ଖାତାଧାରୀଙ୍କ ଉପରେ ଷ୍ଟେଟ୍ ବ୍ୟାଙ୍କ ଶୁଳ୍କ ଲାଗୁ କରି ୩ ଶହ କୋଟି ଆୟ କରିଛି । ମାସିକ ମାଗଣା କୋଟା ଶେଷ ହେବା ପରେ ପ୍ରତିଥର ଡେବିଟ୍ କାର୍ଡ କାରବାର ଲାଗିି ଏସବିଆଇ ଗ୍ରାହକଙ୍କଠାରୁ ୧୭ ଟଙ୍କା ୭୦ ପଇସା ଶୁଳ୍କ ଆଦାୟ କରିଛି । ଆଉ ଏବେ ଏହି ନୂଆ ନିୟମ ପୁଣି ଗ୍ରାହକଙ୍କ ପାଇଁ ମହଙ୍ଗା ପଡିବ ।