ବିଚିତ୍ର ବିଧିର ବିଧାନ! ସାପ କାମୁଡ଼ାରେ ଚାଲିଯାଇଥିଲେ ବାପା, ଏବେ ଦୁଇ ଭଉଣୀଙ୍କୁ କରେଣ୍ଟ କରିଦେଲା ମା’ ଛେଉଁଣ୍ଡ, ମେରୁଦଣ୍ଡ ଭାଙ୍ଗିଗଲା କେମିତି ଚଳିବ ପରିବାର?

3,191

କନକ ବ୍ୟୁରୋ: ବର୍ବର, ହୃଦୟବିଦାରକ ଆଉ ଏତେ ଅକଥନୀୟ ବିଧିର ବିଧାନ ତାହା କେହି କେବେ କଳ୍ପନାରେ ବି ଭାବିନଥିଲେ । ହସଖୁସିରେ ନିର୍ବନ୍ଧ ପାଇଁ ଗୋଟିଏ ବସରେ ଯାଉଥିଲେ ଅନେକ ପରିବାର ହେଲେ ବ୍ରହ୍ମପୁର ମେନ୍ଦ୍ରାଜପୁରଠାରେ ଜଗି ରହିଥିଲା ୧୧ କେ.ଭିର ମୃତ୍ୟୁର ତାର । କେହି କିଛି ବୁଝିବା ପୂର୍ବରୁ ପୂରା ବିଦ୍ୟୁତ୍ ବାହୁରେ ଆସିଗଲା ଚଳନ୍ତା ବସ୍ ଆଉ ଉଡ଼ିଗଲା ଅନେକ ପରିବାରର ପ୍ରାଣବାୟୁ । ତେବେ ଏହି ବସରେ ଏମିତି ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଯାହାଙ୍କ ଉପରେ ପରିବାରର ୩କୁଟୁମ୍ବ ନିର୍ଭର କରନ୍ତି । ଏବେ ତାଙ୍କୁ ହରାଇ ପୂରାପରିବାର ଦୁଃଖ ଦାଉରେ ଭାଙ୍ଗି ପଡ଼ିଛି ।

ଆମେ କହୁଛୁ, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚିକିଟି ଡଙ୍କଲପାଡୁ ଗାଁର ବି.ଏରାମାଙ୍କ କଥା, ଦୀର୍ଘ ୧୦ ବର୍ଷ ତଳେ ସାପ କାମୁଡ଼ାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଘରର ଛାତ ଚାଲିଗଲା ଭଳି ସ୍ୱାମୀଙ୍କୁ ହରାଇ ଦୁଇ ଝିଅଙ୍କ ସହ ବୁଢ଼ି ମାର ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ବି.ଏରାମା । ହେଲେ ଗତକାଲିର ବର୍ବର ବସ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ବିଧିର ବିଧାନ ଏମିତି ଲେଖାଥିଲା ପ୍ରଥମେ ବାପା ଛେଉଁଣ୍ଡ ଏବେ ମା ଛେଉଁଣ୍ଡ ହୋଇଯାଇଛନ୍ତି ଦୁଇ ଭଉଣୀ । ଆର୍ଥିକ ସ୍ଥିତି ଶୋଚନୀୟ ହୋଇଥିଲେ ମଧ୍ୟ ପରପାରିକୁ ସ୍ୱାମୀ ଗଲାପରେ ବଡ଼ ଝିଅକୁ ଦଶମ ଓ ସାନ ଝିଅକୁ ଅଷ୍ଟମରେ ପାଠ ପଢ଼ାଉଥିଲେ, ଆଉ ସେହି ଶେଷ ଆଶା ଭରସାକୁ ବିଧାତା ଛଡ଼ାଇ ନେଇଛି । ଏବେ ଆମେ କ’ଣ କରିବୁ କେମିତି ଚଳିବୁ କହି ବାହୁନି କାନ୍ଦୁଛନ୍ତି ଦୁଇ ଭଉଣୀ ।

ସେପଟେ ବୋଝ ଉପରେ ନଳିତା ବିଡ଼ାପରି ବୁଢ଼ି ମା’କୁ ଆଦରି ବସିଛନ୍ତି ଦୁଇ ଭଉଣୀ । ହେଲେ ଯେଉଁ ବୟସରେ ପୁଅ-ବୋହୁଙ୍କ ଠାରୁ ସେବା ପାଇଁ ଶାନ୍ତି ଚାହୁଁଥିଲେ ଏବେ ନାତୁଣୀ ଦୁହିଁଙ୍କୁ ପରିଣତ ବୟସରେ କେମିତି ପାଳିବେ ତାହା ତାଙ୍କୁ ବଡ଼ ଦୁଃଖ ଆଣିଦେଇଛି । ପୁଅ ପରେ ନିଜ ବୋହୁକୁ ହରାଇ ଡହଳ ବିକଳ ହେଉଛନ୍ତି ଡଙ୍କଲପାଡୁର ଏହି ପରିବାର । ତେବେ ସ୍ଥାନୀୟ ସମାସେବୀ ସ୍ୱର ଉଠାଇ ଏହି ଅସହାୟ ପରିବାରକୁ ସରକାର ସହାୟତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।