ଜଙ୍ଗଲ ଦସ୍ୟୁ ବୀରାପ୍ପାନ: ଚନ୍ଦନ କାଠ, ହାତୀ ଦାନ୍ତର କରୁଥିଲା ଚୋରି । ତିନିଟି ରାଜ୍ୟର ପୋଲିସକୁ ଦେଉଥିଲା ଚକମା ।

473

କନକ ବ୍ୟୁରୋ: ୧୮ ଅକ୍ଟୋବର ୨୦୦୪ , ଦେଶର ସବୁ ଚ୍ୟାନେଲରେ ଗୋଟିଏ ଏନକାଉଟଂର ଖବର ସାମ୍ନାକୁ ଆସିଲା । ଲୋକମାନେ ମଧ୍ୟ ବେଶ ଆଗ୍ରହର ସହ ଟିଭି ମୁହଁରେ ବସିଥାନ୍ତି । ଆଉ ପୋଲିସର ବାଃ ବାଃ କରୁଥାନ୍ତି । କାହିଁକି ନା, ଦୀର୍ଘ ବର୍ଷର ଅପରେସନ ପରେ ପୋଲିସ ଏହି ଏନକାଉଟଂର କରିବାକୁ ସଫଳ ହୋଇଥିଲା । ଏହି ଅପରେସନରେ ଯେଉଁ ଲୋକ ମରିଥିଲା, ତାକୁ ତିନି ତିନିଟି ରାଜ୍ୟର ପୋଲିସ ଖୋଜୁଥିଲେ । ସେ ଥିଲା ବୀରାପ୍ପାନ ।

ବୀରାପ୍ପାନ, ଲୁଟେରା ଦୁନିଆଁର ଏଭଳି ଏକ ନାଁ ଯାହାକୁ ଆପଣ କେବେ ନାଁ କେବେ ନିଶ୍ଚୟ ଶୁଣିଥିବେ । ଏହି ଲୋକ ହିଁ ଚନ୍ଦନ କାଠ ଓ ହାତୀ ଦାନ୍ତର ତସ୍କରୀ କରି ସାରା ଦେଶରେ ଚହଳ ପକାଇଥିଲା । ଆଉ ତାରି ହାତରେ ପ୍ରାଣ ହରାଇଥିଲେ ପାଖାପାଖି ୧୮୬ ଜଣ ଲୋକ । ଯା ଭିତରେ ଅଧାରୁ ଅଧିକ ପୋଲିସ ଅଫିସର ରହିଥିଲେ । ତସ୍କରୀ ଦୁନିଆଁରେ ଏ ଏମିତି ଅପରାଧ କରିଥିଲା ଯେ, ତାକୁ ତାମିଲନାଡୁ ସହ କର୍ଣ୍ଣାଟକ ଓ କେରଳ ରାଜ୍ୟର ପୋଲିସ ବି ଖୋଜିବାକୁ ଲାଗିଥିଲେ । କୁହାଯାଏ ଦୀର୍ଘ ୩୬ ବର୍ଷ ଧରି ଜଙ୍ଗଲରେ ରାଜ କରିଥିଲା ବୀରାପ୍ପାନ ।

କର୍ଣ୍ଣାଟକର ଗୋପୀନାଥମରେ ଏକ ତାମିଲ ପରିବାରରେ ୧୯୫୨ ମସିହାରେ ଜନ୍ମ ହୋଇଥିଲା ବୀରାପ୍ପାନ । ଆଉ ମାତ୍ର ୧୭ ବର୍ଷ ବୟସରେ ସେ ପ୍ରଥମ କରି ଜଣେ ଫରେଷ୍ଟ ଅଫିସରକୁ ହତ୍ୟା କରିଥିଲା । ଯେଉଁଠୁ ଜଙ୍ଗଲରେ ଆରମ୍ଭ ହୋଇଥିଲା ବୀରାପ୍ପାନା ଯୁଗ । ଏହାପରେ ପରେ ବୀରାପ୍ପାନ ପ୍ରାୟ ଦୁଇରୁ ତିନି ହଜାର ହାତୀଙ୍କୁ ମାରିଥିବା ସହିତ ସେମାନଙ୍କ ଦାନ୍ତଙ୍କୁ ବିକ୍ରି କରିଥିବା ଖବର ମିଳେ । ଖାଲି ସେତିକି ନୁହେଁ, ହାତୀ ଦାନ୍ତ ଚୋରା ଚାଲାଣ ସହିତ ସେ ଜଙ୍ଗଲରୁ ମୂଲ୍ୟବାନ ଚନ୍ଦନ କାଠ ମଧ୍ୟ ଚୋରି କରି ପୂଳା ପୂଳା ଟଙ୍କା ରୋଜଗାର କରୁଥିଲା ।

ତେବେ ବୀରାପ୍ପାନର ନାଁ ସେତେବେଳେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲା । ଯେତେବେଳେ ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ଜଣାଶୁଣା ଅଭିନେତା ରାଜକୁମାରକୁ କିଡନାପ କରିନେଇ ୧୦୯ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ରଖିଥିଲା । ତା ସହ ବୀରାପ୍ପାନ କର୍ଣ୍ଣାଟକ ରାଜ୍ୟର ଜଣେ ମନ୍ତ୍ରୀ ଏଚ୍ ନାଗାପ୍ପାଙ୍କୁ ମଧ୍ୟ କିଡନାପ କରିନେଇଥିଲା । ଖାଲି ସେତିକି ନୁହେଁ ବୀରାପ୍ପାନ ସେତେବେଳେ ଚିଦାମ୍ବରମ ନାମକ ଜଣେ ଫରେଷ୍ଟ ଅଫିସରକୁ ଗାଏବ କରିଦେବା ସହିତ ୨୨ ଜଣ ପୋଲିସ ଅଫିସରଙ୍କୁ ହତ୍ୟା କରିଥିଲା । ଯାହାକୁ ନେଇ ସେତେବେଳେ ସାରା ଭାରତରେ ଚର୍ଚ୍ଚା ହୋଇଥିଲା ।

ବୀରାପ୍ପାନକୁ ଧରିବାକୁ ସ୍ୱତନ୍ତ୍ର ଭାବେ ଏକ ସ୍ପେଶାଲ୍ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଆଉ ଏହି ଟିମର ନେତୃତ୍ୱ ନେଉଥିଲେ କେ ବିଜୟ କୁମାର । କୁହାଯାଏ, ବିଜୟ କୁମାରଙ୍କ ଚାଲାକି ଯୋଗୁଁ ହି ପୋଲିସ ହାତରେ ଧରାପଡିଥିଲା ବୀରାପ୍ପାନା । ଏସଟିଏଫ୍ ବୀରାପ୍ପାନକୁ ଧରିବାକୁ ଅପରେସନ କୋକନ ଆରମ୍ଭ କରିଥିଲା । ଆଉ ୨୦୦୪ ମସିହା ଅକ୍ଟୋବର ମାସ ୧୮ ତାରିଖରେ ଏସଟିଏଫ ଗୁଳିରେ ବୀରାପ୍ପାନ ଟଳିପଡିବା ସହିତ ଲୁଟେରା ଦୁନିଆଁରୁ ଏହି ଆତଙ୍କରାଜ ଶେଷ ହୋଇଥିଲା ।