ଜନ୍ମଦିନରେ ଜୀବୀକା ଦେଲେ, ରୋଜଗାର ଯୋଗାଇଲେ… ଅଭାବୀ, ଅସହାୟଙ୍କ ଦୁଃଖ ଦେଖି ରହି ପାରିଲେନି ଦରଦୀବନ୍ଧୁ । ନିଜ ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ଉପହାର ଦେଲେ ଗ୍ରୋସରୀ ଦୋକାନ । ଅସହାୟ ଯୁବତୀଙ୍କୁ ଯୋଗାଇଲେ ସିଲେଇ ମେସିନ । ସୋନୁ, ସବ୍ୟଙ୍କ ପରି ସାମ୍ନାକୁ ଆସିଲେ ଆଉ ଜଣେ ବିପଦର ବନ୍ଧୁ

109

କନକ ବ୍ୟୁରୋ: ଜନ୍ମଦିନରେ ଜୀବୀକା ଯୋଗାଇଲେ, ନୂଆ ଜୀବନ ଜିଇଁବାକୁ ବାଟ ଖୋଲିଦେଲେ । ନିଜ ଜନ୍ମଦିନରେ ଅଭାବୀ, ଅସହାୟଙ୍କୁ ସାହଯ୍ୟ କରି ସବୁଦିନ ପାଇଁ ସ୍ମୃତିମୟ କଲେ ଯୁବକ । ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଆଜିର ଯୁବପୀଢୀ ବିଭିନ୍ନ ପନ୍ଥା ଆପଣଉଛନ୍ତି । କିଏ କେକ୍ କାଟି ସେଲିବ୍ରେସନ କରୁଛି ତ ପୁଣି କିଏ ସାଙ୍ଗମାନଙ୍କ ସହ ଭୋଜି କରି ନାଚଗୀତରେ ଜନ୍ମଦିନକୁ ପାଳୁଛି । ହେଲେ ପୁରୀ ନିମାପଡାର ଜଣେ ଯୁବକ ନିଆରା ଢଙ୍ଗରେ ପାଳିଛନ୍ତି ନିଜ ଜନ୍ମଦିନ । ଆଉ ଅନ୍ୟକୁ ଦେଇଛନ୍ତି ରୋଜଗାରର ରାସ୍ତା ।

ବିକ୍ରମ କେଶରୀ ସାମଲ । ସମାଜସେବୀ ଭାବେ ନିମାପଡା ଅଞ୍ଚଳରେ ବେଶ ଜଣାଶୁଣା । ନିଜେ ଏକ ଦୋକାନ କରି ଚଳୁଥିବା ବେଳେ ଉକ୍ତ ଦୋକାନରୁ ଯାହା କିଛି ରୋଜଗାର ହୁଏ ସେସବୁ ସମାଜ ସେବାରେ ଲଗାଇ ଦିଅନ୍ତି । ଅସହାୟ, ଅଭାବୀଙ୍କ ଆଖିର ଲୁହ ଦେଖି ନପାରି ସାହାଯ୍ୟ ପାଇଁ ଦୌଡି ଯାଆନ୍ତି ବିକ୍ରମ । ଆଉ ଏବେ ନିଜ ଜନ୍ମଦିନରେ ସେମିତି କିଛି ଗରିବ ଲୋକଙ୍କୁ ସାହାଯ୍ୟ କରି ବଡ ହୃଦୟର ପରିଚୟ ଦେଇଛନ୍ତି ବିକ୍ରମ ।

ତେବେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନରେ ଅନୁପ୍ରାଣିତ ହୋଇଥିବା ବିକ୍ରମ ନିଜ ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ଏକ ଦୋକାନ ଉପହାର ଦେଇଛନ୍ତି । ମୂଲଲାଗି ପରିବାର ଚଳାଉଥିବା ଦିବ୍ୟାଙ୍ଗ ପ୍ରଦୀପ୍ତ ଭୋଇଙ୍କୁ ଆତ୍ମନିର୍ଭର କରିବାକୁ ପାଟପୁର ବଜାରରେ ଏକ ଗ୍ରୋସରୀ ଦୋକାନ କରିଦେଇଛନ୍ତି ବିକ୍ରମ । ଆଉ ସାହାଯ୍ୟ ପାଇ ଓଠରେ ହସ ଫେରାଇଛନ୍ତି ଦିବ୍ୟାଙ୍ଗ ଯୁବକ ।

ଖାଲି ଦୋକାନ ନୁହେଁ ଢିଅବାରୀ ଗାଁର ଅସହାୟ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାକୁ ତାଙ୍କୁ ଏକ ସିଲେଇ ମେସିନ କିଣି ଦେଇଛନ୍ତି । ସିଲେଇ କରି ନିଜ ଗୋଡରେ ନିଜେ ଛିଡା ହେବାକୁ ଅନୁରାଧାଙ୍କୁ ସାହାଯ୍ୟ କରିଛନ୍ତି ବିକ୍ରମ । ତେବେ ମଣିଷଙ୍କୁ ଭଲପାଉଥିବା ମଣିଷ ବିକ୍ରମ ମେଡିକାଲରେ ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଥିଲେ ।

ତେବେ କରୋନା ମହାମାରୀ ବେଳେ ସାଧାରଣ ଲୋକ ଅନେକ ହଇରାଣ ହରକତ ହେଉଥିବା ବେଳେ ଅର୍ଥ ପାଇଁ ଗରିବ ଅସହାୟଙ୍କ ଆଖିରୁ ଲୁହ ଶୁଖୁନି ଆଉ ଠିକ ଏତିକି ବେଳେ ସେମାନଙ୍କୁ ସାହା ହୋଇ ମଣିଷପଣିଆର ପରିଚୟ ଦେଇଛନ୍ତି ବିକ୍ରମ । ଆଉ ସୋନୁ, ସବ୍ୟଙ୍କ ପରି ଏବେ ବେସାହାରାଙ୍କ ବିପଦର ବନ୍ଧୁ ପାଲଟିଛନ୍ତି ବିକ୍ରମ ।