ଦେଶର ଆଗାମୀ ଭବିଷ୍ୟତଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଉଛନ୍ତି କରାଟେ ମାଷ୍ଟର, କେନ୍ଦ୍ରାପଡ଼ା ନାରାୟଣଙ୍କ କରାଟେ କ୍ଲାସକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

174
କନକ ବ୍ୟୁରୋ: ପେଶାରେ ଗୁପଚୁପ୍ ବିକାଳୀ, ନିଶାରେ କରାଟେ ମାଷ୍ଟର । ‘ଟାଇକୋଣ୍ଡ’ ବ୍ଲାକ୍ ବେଲ୍ଟ ମାଷ୍ଟରଙ୍କ ମଣିଷ ତିଆରି କାରଖାନାରେ ଗଢ଼ା ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ । ଶାରୀରିକ ଅକ୍ଷମତାକୁ ଆତ୍ମବିଶ୍ୱାସ ବଳରେ ହରାଇ ଦେଇଛନ୍ତି ଡେରାବିଶ ବ୍ଲକର ଗୁପଚୁପ୍ ବିକାଳୀ ନାରାୟଣ ସାହୁ । ନା ସାଥ୍ ଦେଇଛନ୍ତି ସରକାରୀ ନା ତାଙ୍କ ପାଖରେ ପହଁଚିଛି ପ୍ରଶାସନ, ହେଲେ ହାର ନମାନି ବାଣ୍ଟିଚାଲିଛନ୍ତି ବଞ୍ଚିବାର ମନ୍ତ୍ର ।
ନାଁ ନାରାୟଣ ସାହୁ, ଏବେ କେନ୍ଦ୍ରାପଡ଼ାର କରାଟେ ମାଷ୍ଟର । ରାତି ୪ରୁ ଉଠି ଦୈନିକ କର୍ମସାରି, ଗୁପଚୁପ୍ ପ୍ରସ୍ତୁତ କରନ୍ତି । ଆଉ ତା”ପରେ ଠିକ୍ ସକାଳ ୬ଟାରୁ ୮ଟା ଯାଏଁ ପିଲାଙ୍କୁ ‘ଟାଇକୋଣ୍ଡ’ ମାର୍ସଲଆଟ୍ ଭଳି ସେଲ୍ଫ ଡିଫେନ୍ସ ନେଇ ତାଲିମ ଦିଅନ୍ତି । ଆଉ ଏ ହେଉଛି କରାଟେ କ୍ଲାସ୍ ପରର ଦୃଶ୍ୟ । ପରିବାରର ପେଟ ପୋଷିବା ପାଇଁ ନିଜ ପେଶାକୁ ଧରି ଗାଁ ଦାଣ୍ଡରେ ବୁଲି ବୁଲି ଗୁପଚୁପ୍ ବିକୁଛନ୍ତି ନାରାୟଣ । ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା ନାହିଁ କି ବିଧାତା ଉପରେ ରୋଷ ନାହିଁ । ନିଜର ଆତ୍ମବିଶ୍ୱାସ ବଳରେ ଏପଟେ ଗୁପଚୁପ୍ ସେପଟେ ଖୋଲିଛନ୍ତି ମଣିଷ ତିଆରି କାରଖାନା । ଶହ ଶହ ଛାତ୍ରଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ନେଇ ତାଲିମ ଦେଇଛନ୍ତି ନାରାୟଣ । ନିଜେ କରାଟେରେ ଗୋଲ୍ଡ ମେଡାଲିଷ୍ଟ ସହ ହାସଲ କରିଛନ୍ତି ‘ଟାଇକୋଣ୍ଡ’ ବ୍ଲାକବେଲ୍ଟ । ଆଉ ପାଖରେ ଅଛି ମାଳମାଳ ସମ୍ମାନପତ୍ର କିନ୍ତୁ ପହଁଚିନାହିଁ ସରକାରୀ ପ୍ରୋତ୍ସାହନ । ହେଲେ ନିଜେ ନଭାଙ୍ଗି ନୂଆ ପରିଚୟ ତିଆରି କରୁଛନ୍ତି କରାଟେ ମାଷ୍ଟର ନାରାୟଣ ।
ସବୁଠାରୁ ବଡ଼କଥା ହେଲା କି, ଯେଉଁମାନେ ବିଧାତାକୁ ଦୋଷ ଲଦି ବାହାନା କରି ବେକାରୀର ପରଚିୟ ଦେଉଛନ୍ତି ସେମାନଙ୍କ ପାଇଁ ନାରାୟଣ ପାଲଟିଛନ୍ତି ଏକ ଉଦାହରଣ ।  ଆଉ ନାରାୟଣଙ୍କ ଏହି ସଂଘର୍ଷ ଭିତରେ ସଫଳତା ଭରା କାହାଣୀ  ପାଇଁ ସ୍ଥାନୀୟ ଲୋକଙ୍କ ସହ ଖୋଦ୍ ସରପଞ୍ଚ  ମଧ୍ୟ ପ୍ରଶଂସା କରିଛନ୍ତି । ମାତ୍ର ନାରାୟଣଙ୍କ ଏଭଳି ପ୍ରଚେଷ୍ଟା ଆଉ ଆଗାମୀ ପୀଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତ ଦେଖୁଥିବା ନାରାୟଣଙ୍କ ପାଖରେ ପ୍ରଶାସନ ପହଁଚିବ ବୋଲି ଆମେ ଆଶା କରୁଛୁ ।