ଜାଣିନି ଗୁରୁଣ୍ଡି ଗୁରୁଣ୍ଡି କେବେ ଗୋଡ଼ରେ ଛିଡ଼ା ହେଲି, ତୋ ମମତା ମନ୍ଦିର ଛାଇ ତଳେ କେବେ ବଡ଼ ହେଲି । ଆଜି ବି ସେମିତି ତୋ ପାଇଁ ଧନ, ଗେହ୍ଲା ହେଇଅଛି, ମା’ ତୋ ପଣତ କାନି ତଳେ ସେମିତି ମୁଁ ଛୋଟ ପିଲାଟିଏ ଭଳି ଅଛି…

204

କନକ ବ୍ୟୁରୋ: ବୋଉ, ମମି, ମା, ଆମା… ତା’ ନାଁ ଅନେକ ହେଲେ ମମତା ଏକ । ଆମ ‘ଜନ୍ମ’ର ‘ଜ’ ଅକ୍ଷରରେ ଜୀବନ ଭରିଦେବା ପାଇଁ ଯେଉଁ ଜୀବନଦାତ୍ରୀ ମାସ ମାସ ଧରି କଷ୍ଟ ସହିଛି ତା’ ଋଣ ହୁଏ ତ ସୁଝିବା ଜୀବନରେ କେବେ ସମ୍ଭବ ନୁହେଁ । କିନ୍ତୁ ତା’ ପାଇଁ ମନରେ ଥିବା କିଛି ଅକୁହା କଥା ଆଉ ତା ତ୍ୟାଗ ବଳିଦାନକୁ ଆଜି ଯଦି ଏକ ‘ବହି’ କରି ବାଖ୍ୟା କରିଦେବା ହୁଏତ ଦୁନିଆର ସବୁ ମା’ ମାନଙ୍କ ପଣତ କାନି ପୂରି ଉଠିବ । ତେବେ ଆସନ୍ତୁ ମା’ ପାଇଁ କିଛି ଲେଖିବା ମା’କୁ ମନର କଥା କହିବା…

ଜନ୍ମରୁ ମୃତ୍ୟୁ, ଏନ୍ତୁଡ଼ିଶାଳରୁ ଜୀବନର ଶେଷ ଠିକଣା ଯାଏଁ, ମୋ ମୁଣ୍ଡ ଉପରେ ଯଦି ତୋ ପଣତ କାନି ନଥାଆନ୍ତା ମୋ ପରିଚୟ ଏ ସମାଜ ନିଶ୍ଚିତ ପଚାରିଥାନ୍ତା ।

୧୦ ମାସ ୧୦ ଦିନ ଦୁନିଆର ସବୁଠୁ ସୁରକ୍ଷିତ କବଚ ତଳେ ତୁ ସାହାରା ନଦେଇଥିଲେ ହୁଏତ ଏ ଆଖି କେବେ ଖୋଲି ନଥାନ୍ତା, ଏ ମାଂସ ଗଢ଼ା ଶରୀରରୁ ମଣିଷ ହୋଇ ନଥାଆନ୍ତା ।

ତୁ ଗର୍ଭ ଯନ୍ତ୍ରଣା ସହିନଥିଲେ ମୋ ଗୋଡ଼ ମାଟିରେ ଲାଗି ନଥାଆନ୍ତା, ମୋ କୁଆଁ କୁଆଁ କାନ୍ଦ ଆଉ କଅଁଳ ହାତ ଆଜି ଶକ୍ତ ବାହୁରେ ବଦଳି ନଥାଆନ୍ତା ।

ତୁ ଚିରା ପଣତରେ ଝାଳ ପୋଛି । ମୋତେ ପେଟରେ ଧରି…ଇଟା ଭାଟିଠୁ, ସିମେଣ୍ଟ ଗୋଡି ମାଟି, ଯଦି ନପିଟି ଥାଆନ୍ତୁ, ମୋ ଭୋକ ମରି ନଥାଆନ୍ତା କି ଏ ଆଖି ଖୋଲି ନଥାଆନ୍ତା ।

ଟାଣ ଖରା, ହେଉ କି ବର୍ଷା, ବିଜୁଳି ମାରୁ କି ବାତ୍ୟା, ତୋ ଭଳି ମା’ ଯଦି ବିଲରେ ବଳ ଦେଖାଇ ନଥାଆନ୍ତା ହୁଏ ତ ଏ ବାହୁ ଦୁଇଟି ଆଜି ବଳଶାଳୀ ହୋଇ ନଥାଆନ୍ତା ।

ନିଜେ ଛିଣ୍ଡା-କନାକୁ ସିଲେଇ କରି ପିନ୍ଧି, ମୋ ଦେହରେ ନୂଆ ନୂଆ କପଡ଼ା ଯଦି ନ ଢ଼ାଙ୍କି ଥାଆନ୍ତୁ, ବୋଧ ହୁଏ ମୋତେ ଏ ସମାଜ ଇଜ୍ଜତ୍ ଦେଇ ନଥାଆନ୍ତା ।

ତୋ ଛାଲ ପଡ଼ିଯାଇଥିବା ହାତ, ଚମଡ଼ା ଉତୁରି ଯାଇଥିବା ପାଦ ଯଦି ମୋ ପାଇଁ ଆଗକୁ ବଢ଼ି ନଥାଆନ୍ତା, ହୁଏ ତ ମୋ ପାଦ ଆଜି ଏତେ ବାଟ ଚାଲିବାକୁ ସକ୍ଷମ ହୋଇନଥାନ୍ତା ।

ମୋ ରାଗ ରୁଷା, ମୋ ଅଳି ଅର୍ଦ୍ଦଳି, ଏ ସବୁକୁ ଯଦି ତୋ କୋଳରେ କୋଳେଇ ନଥାଆନ୍ତୁ ବୋଧ ହୁଏ ଆଜି ଏ ନିଶ୍ୱାସ ଚାଲୁ ନଥାଆନ୍ତା,

ସତରେ ମାଟିରୁ ଆକାଶ ଯାଏଁ ଯେଉଁ ମା’ ଶବ୍ଦ ଟି ମମତାର ମନ୍ଦିର ଭଳି ଛିଡ଼ା ହୋଇଛି । ସେ ମନ୍ଦିରର ମହାନତା ଯେତେ ବଖାଣିଲେ ବି କମ୍ ପଡ଼ିବ । କିନ୍ତୁ ଆଜି ବିଶ୍ୱ ମାତୃ ଦିବସ ମା’ ପାଇଁ ଦିନଟିଏ ତ ସଭିଏଁ କହିବେ ହେଲେ ମା’ ପାଇଁ ସାରା ଜୀବନ ବି ଶେଷ ହୋଇଗଲେ ସରିବନି ସେ ସ୍ନେହମୟୀର ସାଗର… ଶେଷରେ ମା’ ପାଇଁ ଏତିକି କହିବି…

ମା’ ତୁ ମୋ ପ୍ରଥମ ପ୍ରେମ, ତୁ ମୋ ପରିଚୟ
ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥ ସ୍ନେହର ସାଗର
ହଁ ବେଳେ ବେଳେ ମୁଁ କରେ ଅଳି ଅର୍ଦ୍ଦଳୀ
ହେଲେ ତୋ ଗାଳି ମୋ ପାଇଁ ଦାଣ୍ଡର ଧୂଳି
ତୁ ପାଖରେ ଥିଲେ କିଛି ଲୋଡ଼ା ନାହିଁ
ଛାତି ଫୁଲାଇ ଦୁନିଆର ସବୁଠୁ ଧନୀ ବୋଲି ଦେବି କହି