ଦଶମ ପରୀକ୍ଷା ଦେବ ପୁଅ, ହେଲେ ଶ୍ରମିକ ବାପା ବୋଲି ପାଖରେ ନଥିଲା ଟଙ୍କା । ଦାରିଦ୍ର୍ୟତା ସାମ୍ନାରେ ହାର୍ ମାନିଲେନି, ସାଇକେଲରେ ୧୦୫ କିଲୋମିଟର ଚଳାଇ ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଲେ । ସ୍ୱପ୍ନ ବୁଣିବାକୁ ସାହସ ଦେଲେ…

858

ଏ କାନ୍ଧ ସିମେଣ୍ଟ ବୋହିବା ଜାଣିଛି
କଷ୍ଟକୁ କାନେ୍ଧଇ କାନେ୍ଧଇ ନେବା ଶିଖିଛି
ଝାଞ୍ଜି, ଖରା ଝଡ଼ ବି ସହିବା ଜାଣିଛି
ନିଜେ ଯନ୍ତ୍ରଣାର ଚାବୁକ ଖାଇ
ଚିରାକନା ବି ଢ଼ାଙ୍କି ହୋଇଛି
କଷ୍ଟ-କଷଣର ଲୁହକୁ ପିଇ ପିଇ
କୁନି ପାଦକୁ ବଡ଼ କରିଛି…

କନକ ବ୍ୟୁରୋ: ବାପା…ଦୁଇଟି ଅକ୍ଷରରେ ହିଁ ସାରା ବିଶ୍ୱ । ମାଆ ଜନ୍ମଦାତ୍ରୀ ହେଲେ ବାପା ଜୀବନ ଦାତା । ଆଉ ନିଜ ଛୁଆର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜୀବନରେ ଏମିତି ଅନେକ ବାପା-ମାଆ ଦୁଃଖର ପାହାଡ଼କୁ ଚିରି ପ୍ରତି ମୁହୂର୍ତ୍ତରେ ଜୀବନର ପରୀକ୍ଷା ଦେଇଥାନ୍ତି । ଆଉ ଜଣେ ବାପା ନିଜ ସନ୍ତାନର ସଫଳତା ପାଇଁ କେତେ କଷ୍ଟ କରିପାରେ ମଧ୍ୟପ୍ରଦେଶରୁ ଆସିଛି ସେଭଳି ଏକ ମର୍ମସ୍ପର୍ଶୀ ବାପା-ପୁଅଙ୍କ କାହାଣୀ । ଯାହାକୁ ଦେଖିଲେ ଆପଣଙ୍କର ବି ପିଲାଦିନର କଥା ମନେ ପଡ଼ିଯିବ ଆଖିରୁ ଲୁହ ଜକେଇ ଆସିବ ।

ମଧ୍ୟପ୍ରଦେଶ ମନାୱର ତହସିଲ୍ ନୀବାସୀ ଶୋଭାରାମ୍ । ଜଣେ ଶ୍ରମିକ ହେଲେ ବି ନିଜ ଛୁଆର ଭବିଷ୍ୟତ ପାଇଁ ସଂଘର୍ଷର ସମୂଦ୍ର ପହଁରି ଯାଇଛନ୍ତି । କରୋନା କାଳରେ କାମଧନ୍ଧା ମିଳୁନଥିବାରୁ ପାରିବାରିକ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ, ତେଣୁ ୧୦୫ କିଲୋମିଟର ସାଇକେଲ ଯାତ୍ରା କରି ପୁଅକୁ ପରୀକ୍ଷା ସେଣ୍ଟରରେ ପହଁଚାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ, ମଧ୍ୟପ୍ରଦେଶରେ ‘ରୁକ୍ ଜାନା ନେହିଁ’ ଏକ ଅଭିଯାନରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଅସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଉଥରେ ସୁଯୋଗ ଦିଆଯାଉଛି । ସେଥିପାଇଁ ଶୋଭାରାମ୍ ତାଙ୍କ ପୁଅ ଆଶିଷକୁ ନେଇ ତାଙ୍କ ଘରଠୁ ୧୦୫ କିଲୋମିଟର ଦୂରରେ ଧାର୍ ସ୍ଥିତ ପରୀକ୍ଷା ସେଣ୍ଟରରେ ସାଇକେଲରେ ପହଁଚାଇଛନ୍ତି ।

ତେବେ ଶୋଭାରାମ୍ ଗତ ମଙ୍ଗଳବାର ରାତି ୧୨ଟାରୁ ଘରୁ ବାହାରି, ବୁଧବାର ସକାଳ ସାଢ଼େ ୭ଟାରେ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଁଚାଇଥିଲେ । ନିଛାଟିଆ ରାତିକୁ ୧୦୫ କିଲୋମିଟର ସାଇକେଲ ଯାତ୍ରା ତାଙ୍କୁ ଲାଗୁଥିଲା ଜୀବନର ପରୀକ୍ଷା ଭଳି । ହେଲେ ପରୀକ୍ଷାର ଠିକ୍ ୧୫ ମିନିଟ୍ ପୂର୍ବରୁ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଁଚାଇଥିଲେ ଶୋଭାରାମ୍ । ତେବେ ପୁଅର ଦୁଇଟି ପରୀକ୍ଷା ଶେଷ ହୋଇଥିବାବେଳେ ଆଜି ଅନ୍ତିମ ପରୀକ୍ଷା ବାକି ଅଛି ।

ଶୋଭାରାମଙ୍କ କହିବା କଥା, ସେ ଶ୍ରମିକ ହେଲେ କ’ଣ ହେଲା, ପୁଅକୁ ମୋ ଭଳି ଶ୍ରମିକ ହେବାକୁ ଦେବିନି, ମୋ ପୁଅକୁ ଅଫିସର୍ କରିବି । ଆଉ ତା’ ପାଇଁ ମୋତେ ଯେତେ ସଂଘର୍ଷ କରିବାକୁ ପଡୁ କିମ୍ବା ଝାଳ ବୁହାଇବି ପଛେ ମୋ ପୁଅର ସ୍ୱପ୍ନ ପୂରା କରିବି । ତେବେ ସତରେ ଶୋଭାରାମ୍ ଶ୍ରମିକ ବାପା ହେଲେ ବି ବାପା ନିଜ ଛୁଆଙ୍କ ପାଇଁ ପ୍ରକୃତରେ କେତେ କଷ୍ଟ ସହିବା ଜାଣନ୍ତି ଆଉ କେମିତି ପିଲାମାନଙ୍କର ସ୍ୱପ୍ନ ସାକାର କରିବାକୁ ସଂଘର୍ଷ କରିଥାନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରମିକ ବାପା ଶୋଭାରାମ୍ ।