ପୋଲ ତଳେ ପାଞ୍ଚ ବର୍ଷ । ଆମେ ପକ୍କା ଘରେ, ଏମାନେ ପୋଲ ତଳେ… କରୋନା ପାଇଁ ଦେଶ କବାଟ କିଳି ରହିଛି, ପୋଲ ତଳେ ପାଞ୍ଚ ପ୍ରାଣୀଙ୍କ ଜୀବନ ବିତୁଛି । ଏବେ ନୁହେଁ ତ କେବେ ଶୁଣିବେ ସରକାର…?

864

କନକ ବ୍ୟୁରୋ: ପୋଲ ଉପରେ ଯାନ, ପୋଲ ତଳେ ଜୀବନ । ପାଣିର ଘର ଭିତରେ ଏବେ ବଞ୍ଚୁଛି ପ୍ରାଣ । ଆଜି କି କାଲି ନୁହେଁ ଦୀର୍ଘ ୫ ବର୍ଷ ହେବ ଏଇ ପୋଲ ତଳେ କଟୁଛି ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ଦିନ । ଭୁତାଣୁ ଭୟ ପାଇଁ ଘରେ ରହିଛି ସାରା ବିଶ୍ୱ । କୋରାନ ମୁକାବିଲା ପାଇଁ ସମସ୍ତେ କବାଟ କିଳି ଘରେ ରହିଥିବା ବେଳେ ପୋଲ ତଳେ ନିଜ ପିଲାଙ୍କ ପାଇଁ ମାଆ ତିଆରିଛି ମାଟିର କାନ୍ଥ । ଭୟ ଭିତରେ ବି ନିଜ ପଣତର ଭରସା ଦେଇ ପିଲାଙ୍କୁ ପୋଲତଳେ ସୁରକ୍ଷିତ ରଖିଛି ଏ ଅସହାୟ ମାଆ ।

ବଲାଙ୍ଗୀର ପାଟଣାଗଡ ଭରତବାହାଲ ପଞ୍ଚାୟତ ବରଭଗା ଗାଁର ଏ ଜଙ୍ଗଲିଆ ରାସ୍ତା ତଳେ ପଡେ ଏହି ଛୋଟିଆ ପୋଲ । ଯାହା ତଳେ ରୁହନ୍ତି ସମାରୁ ଧରୁଆ ଓ ତାଙ୍କ ପତ୍ନୀ ଅନିତା ଧରୁଆଙ୍କ ସହ ୩ ପିଲା । ଗାଁ ଲୋକ ମାରଧର କରି ସେମାନଙ୍କୁ ଗାଁରୁ ତଡି ଦେବା ପରେ ନିରୁପାୟ ହୋଇ ରାସ୍ତା କଡରେ ଏକ କୁଡିଆ କରି ରହିଥିଲେ । ହେଲେ ହାତୀ ଓ ମାଓବାଦୀ ଭୟ ପାଇଁ ଏଇ ପୋଲ ତଳେ ଆଶ୍ରୟ ନେଇଛନ୍ତି ପାଞ୍ଚ ଜଣ । ତେବେ ଜଙ୍ଗଲ ଭିତରେ ଏହି ପୋଲ ଥିବାରୁ ଏମାନଙ୍କୁ ଭୂତାଣୁର ଭୟ ନୁହେଁ ବରଂ ଜୀବଜନ୍ତୁଙ୍କ ଭୟ ଅଧିକ ଘାରୁଛି ।

ସେପଟେ ପୋଲର ଦୁଇ ପାଖରେ ବିଲ ଥିବାରୁ ବର୍ଷା ଦିନରେ ପାଣି ମାଡି ଆସିବାର ବି ସମ୍ଭାବନା ରହିଛି । ହେଲେ ପ୍ରାଣ ଆଗରେ ପାଣିକୁ ଅଟକାଇବାର ସବୁ ପନ୍ଥା ଆପଣାଇଛନ୍ତି ଏମାନେ । ଆଉ ଜୀବନକୁ କଷ୍ଟେମଷ୍ଟେ କାନ୍ଥ ଭିତରେ ଲୁଚାଇ ଅସହାୟତାର ଆଖିରୁ ଲୁହ ନିଗାଡୁଛନ୍ତି ଏମାନେ ।

ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ପାଞ୍ଚ ବର୍ଷ ଧରି ପୋଲ ତଳେ ସଙ୍ଘର୍ଷ କରୁଥିବା ସମାରୁଙ୍କ କରୁଣ କାହାଣୀ ସ୍ଥାନୀୟ ସରପଞ୍ଚଙ୍କ କାନରେ କେମିତି ପଡିଲାନି? ସେହି ପୋଲ ଉପରେ ପ୍ରଶାସନ ଓ ନେତାମନ୍ତ୍ରୀଙ୍କ ଗାଡି ଗଡିଥିଲେ ବି କଣ ସେମାନଙ୍କ ନଜରରେ ଏମାନଙ୍କ ଉପରେ ପଡିନି । କରୋନା ମୁକାବିଲା ବେଳେ ସରକାର ଅସହାୟ ଓ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଲୋକଙ୍କୁ ସହାୟତା ଦେଉଥିବା ବେଳେ ପୋଲ ତଳେ ପ୍ରାଣ ପାଇଁ ସରକାରଙ୍କ ସହାୟତାକୁ ଚାହିଁ ବସିଥିବା ସମାରୁଙ୍କ ପରିବାରକୁ କଣ ସରକାରୀ ସୁବିଧା ସାତ ସପନ ?