ଅନଲାଇନ ପାଠପଢା ପାଇଁ ମେଧାବୀ ଛାତ୍ରଙ୍କୁ ମିଳିଲାନି ସ୍ମାର୍ଟଫୋନ : ମାଲକାନଗିରିର ଛାତ୍ରଙ୍କୁ ଦାଦନ ଖଟାଇବାକୁ ତେଲେଙ୍ଗାନା ନେଉଥିଲା ଦଲାଲ; ଉଦ୍ଧାର କଲା ମୋବାଇଲ ଦେଲା ସ୍ୱେଚ୍ଛାସେବୀ ସଙ୍ଗଠନ

142

କନକ ବ୍ୟୁରୋ : ଖପରା ଛପରର ଏ ଘର ଭିତରେ ଖାକି ବର୍ଦ୍ଦିର ସ୍ୱପ୍ନ । ମୁଁ ପାଠ ପଢିବି ପୋଲିସ ବନିବି । ଗରିବିର ଗୋବର ଲିପା କାନ୍ଥକୁ ଆଉଜି ଏମିତି ଏକ ବଡ ସ୍ୱପ୍ନ ଦେଖୁଛି ଗାଈ ଜଗୁଆଳିର ପୁଅ । ହେଲେ ତା ସ୍ୱପ୍ନ ସତ ହେବା ଆଗରୁ ସପନର ପଥରେ ବାଟ ଓଗାଳିଲା ବ୍ୟବସ୍ଥା ।

କରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ଥିବା ବେଳେ ସରକାର ଅନଲାଇନ୍ ପାଠ ପଢା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ବ୍ୟବସ୍ଥା ପାଇଁ ଜଣେ ମେଧାବୀ ଛାତ୍ରଙ୍କ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଅନଲାଇନ୍ କ୍ଲାସ କରିବା ପାଇଁ ସ୍ମାର୍ଟଫୋନ୍ କିଣିବା ପାଇଁ ପାଠ ଛାଡି ଦାଦନ ଖଟିବାକୁ ବାହାରିଥିଲେ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୁରେନ୍ଦ୍ର ଖରା ।

ତେଲେଙ୍ଗାନାରେ ଦାଦନ ଖଟେବାକୁ କହି ଦଲାଲ ବାଙ୍ଗାଲୋର ନେଇଯାଉଥିବା ବେଳେ ବାଟରୁ ଫେରିଆସିଥିଲେ ସୁରେନ୍ଦ୍ରଙ୍କ ସହ କିଛି ପିଲା । ବାଟରେ ଦଲାଲ ସହ ଯୁକ୍ତି କରି ପିଲାଙ୍କୁ ଉଦ୍ଧାର କରିଥିଲେ ଜୟ ମାଲକାନଗିରି ସଙ୍ଘଠନର ଯୁବକମାନେ । ପରେ ସୁରେନ୍ଦ୍ରଙ୍କ ପାଠ ପଢା ପାଇଁ ସଙ୍ଘର୍ଷର କଥା ଶୁଣି କାଲିମେଳା ତହସିଲଦାର ତାଙ୍କୁ ଏକ ସ୍ମାର୍ଟ ଫୋନ ଯୋଗାଇ ଦେବା ସହ ପାଠପଢାର ସବୁ ଖର୍ଚ୍ଚ ବୁଝିବେ ବୋଲି କହିଛନ୍ତି । ଆଉ ମୋବାଇଲ ପାଇ ବେସ ଖୁସିରେ ପାଠ ପଢୁଛି ସୁରେନ୍ଦ୍ର ।