ଏଟିଏମ୍ ମେସିନରେ ବଡ଼ ପରିବର୍ତ୍ତନ ! ଆଉ ମିଳିବନି ୨୦୦୦ ଟଙ୍କିଆ ନୋଟ୍ ?

661

କନକ ବ୍ୟୁରୋ: ବିମୂଦ୍ରାୟନ ପରେ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି ୨୦୦୦ ଟଙ୍କିଆ ନୋଟ୍ । କେତେବେଳେ ନୋଟର ସୁରକ୍ଷା ଏବଂ ନୋଟ୍ ବନ୍ଦ ହେବା ନେଇ ମଧ୍ୟ କେତେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ତେବେ ପୁଣି ଥରେ ଏହି ୨୦୦୦ ଟଙ୍କିଆ ନୋଟ୍ ର ଭାଗ୍ୟ ଭବିଷ୍ୟତକୁ ନେଇ ଆସିଛି ବଡ଼ ଖବର । କାରଣ ବିଭିନ୍ନ ବ୍ୟାଙ୍କ ଗୁଡ଼ିକ ତରଫରୁ ଏଟିଏମ୍ ଗୁଡ଼ିକରେ ୨ ହଜାର ଟଙ୍କିଆ ନୋଟ୍ ବଦଳରେ ଏବେ ପ୍ରଚୁର ପରିମାଣର ୫୦୦ ଟଙ୍କିଆ ନୋଟ୍ ରଖାଯାଉଥିବା ବେଳେ ଏବେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ପ୍ରତିଷ୍ଠିତ ଗଣମାଧ୍ୟମ ବିଜନେସ୍ ଷ୍ଟାଣ୍ଡର୍ଡ ସୂଚନା ମୁତାବକ, ଦେଶରେ ଥିବା ୨ ଲକ୍ଷ ୪୦ ହଜାର ଏଟିଏମ୍ ମେସିନରେ ୨୦୦୦ ଟଙ୍କିଆ ନୋଟ୍ ବଦଳରେ ୫୦୦ ଟଙ୍କିଆ ନୋଟ୍ ମହଜୁଦ୍ ରଖାଯାଉଛି । ଏପରିକି ଏଟିଏମ୍ ମେସିନ୍ ଗୁଡ଼ିକରେ ସାଧାରଣତଃ ୪ଟି କାସେଟ୍ ଥାଏ ଯେଉଁଥିରେ ୨୦୦୦, ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍ ରହିଥାଏ । କିନ୍ତୁ ବର୍ତ୍ତମାନର ଏଥିରେ ପରିବର୍ତ୍ତନ କରାଯାଇ ଏଟିଏମ୍ ମେସିନରେ ୨୦୦୦ ଟଙ୍କିଆ ନୋଟ୍ ରହୁଥିବା କାସେଟ୍ କୁ କାଢ଼ି ଦିଆଯାଉଛି । ତେବେ ବର୍ତ୍ତମାନ ଯେଉଁ ୨୦୦୦ ଟଙ୍କିଆ ନୋଟ୍ ଆସୁଛି ତାହାକୁ ବ୍ୟାଙ୍କର କରେନ୍ସି ଚେଷ୍ଟରେ ରଖାଯାଉଛି । ଏପରିକି କିଛିମାସ ମଧ୍ୟରେ ଏହି ନୋଟକୁ ରିଜର୍ଭ ବ୍ୟାଙ୍କର ବୋଲ୍ଟକୁ ଫେରାଇ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ୨୦୧୬ ନଭେମ୍ବର ୮ରେ ମୋଦି ସରକାର କରିଥିବା ବିମୂଦ୍ରୀକରଣ ପରେ ପରେ ୨୦୧୭ ଆରମ୍ଭରୁ ହିଁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୭ ଆର୍ଥିକ ବର୍ଷରେ ବ୍ୟାଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ନୋଟ୍ ମଧ୍ୟରୁ ୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା । ହେଲେ ୨୦୧୯ ଆର୍ଥିକ ବର୍ଷରେ ସେଥିରେ ହ୍ରାସ ହୋଇଛି । ୨୦୦୦ ବଦଳରେ ଏବେ ୫୧ ପ୍ରତିଶତ ୫୦୦ ଟଙ୍କିଆ ନୋଟ୍ ଅଧିକ ପ୍ରଚଳନ କରାଯାଉଥିବା ରିଜର୍ଭ ବ୍ୟଙ୍କ ତଥ୍ୟ କହୁଛି ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୦୦ ଟଙ୍କିଆ ନୋଟ୍ ବିଧିବଦ୍ଧ ଭାବେ ବନ୍ଦ ହେବନାହିଁ ବରଂ ଏହାକୁ ଧିରେ ଧିରେ ବଜାରରୁ ହଟାଇ ଦିଆଯିବ । ସେଥିପାଇଁ ଏଟିଏମ୍ ମେସିନ୍ ଗୁଡ଼ିକର କାସେଟ୍ କୁ ଧିରେ ଧିରେ ବଦଳାଉଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ । ତେଣୁ କରି ଗ୍ରାହକମାନଙ୍କୁ ଭୟବୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି । ସେପଟେ ପବ୍ଲିକ ସେକ୍ଟରର ଇଣ୍ଡିଆନ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଜଣାଦେଇଛି ଯେ ଆସନ୍ତା ମାସ ପହିଲାରୁ ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍ ମେସିନରୁ ୨୦୦୦ ଟଙ୍କିଆ ନୋଟ୍ ବାହାରିବ ନାହିଁ କାରଣ ମେସିନରୁ ୨୦୦୦ ଟଙ୍କିଆ ନୋଟ୍ ରହୁଥିବା କାସେଟକୁ କାଢ଼ି ଦିଆଯାଇଛି ଏବଂ ଏହା ଗ୍ରାହକଙ୍କ ସୁବିଧା ପାଇଁ ହିଁ ବ୍ୟାଙ୍କର ଏଭଳି ନିଷ୍ପତି ବୋଲି କୁହାଯାଇଛି ।

Comments are closed.