କନକ ବ୍ୟୁରୋ: ସନ୍ଧ୍ୟା ୬ଟାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପ୍ରେସମିଟ୍ । ସମ୍ଭାବ୍ୟ ବାତ୍ୟା ନେଇ ମୁକାବିଲା ନେଇ ରାଜ୍ୟବାସୀଙ୍କୁ ସୂଚନା ଦେବେ ଏସଆରସି ପ୍ରଦୀପ କୁମାର ଜେନା । ଏହାପୂର୍ବରୁ ଏସଆରସିଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ ବସିଥିଲା । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।

Advertisment

ଅନ୍ୟପଟେ ଫୋକସରେ ରହିଛି ଜିଲ୍ଲାସ୍ତରରେ ପ୍ରସ୍ତୁତି । ଗତକାଲି ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍ଆରସି । ପ୍ରାଥମିକତା ଭିତିରେ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲିବା ସହ ଏଠାରେ ଫୋନ୍ ଫାକ୍ସ କାର୍ଯ୍ୟକ୍ଷମ ଅବସ୍ଥାରେ ରହିଥିବା ଜରୁରୀ । ବିପଦ ଆଶଙ୍କା ଥିବା ଅଂଚଳରେ ରହୁଥିବା ଲୋକଙ୍କୁ ନିରାପଦସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳକୁ ପ୍ରାଥମିକତା ଭିତିରେ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ କଚା ଘର, ତଳି ଅଂଚଳ, ସମୁଦ୍ରକୂଳିଆ ଅଂଚଳର ଲୋକଙ୍କ ସମେତ ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା, ମହିଳା ଓ ଶିଶୁଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ଏଥିପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବିପଦ ଆଶଙ୍କା ଥିବା ଅଂଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିରାପଦ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ସ୍ଥାନୀୟ ବିଡିଓ ଏବଂ ତହସିଲଦାର ଅଂଚଳର ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକର ଅବସ୍ଥା ଯାଂଚ କରିବେ । ସପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କୁ ଗ୍ରାଉଣ୍ଡ ଲେବଲରେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ପ୍ରସ୍ତୁତିି ଆହୁରି ଜୋରଦାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।