ବାପା ପାଇଁ ଷ୍ଟାଣ୍ଡ ସାଜିଲା କୁନିଝିଅ । ସାଲାଇନ ବୋତଲ ଧରାଇଦେଲେ ଡାକ୍ତର । ବାପାର ଜୀବନ ବଂଚାଇବା ପାଇଁ ଦୀର୍ଘ ୨ ଘଂଟା କାଳ ଠିଆ ହୋଇରହିଲା ୭ବର୍ଷର ଝିଅ

42

ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ତାର ବାସ୍ତବିକ ଚିତ୍ର ଆପଣ ଏହି ଫଟୋଟିକୁ ଦେଖି ବୁଝିପାରୁଥିବେ । ଏଠାରେ ଆପଣ ଯେଉଁ ଫଟୋଟିକୁ ଦେଖୁଛନ୍ତି ତାହା କୌଣସି ଉପାନ୍ତ ଅଂଚଳରେ ଥିବା ଡାକ୍ତରଖାନାର ଚିତ୍ର ନୁହେଁ ବରଂ ଔରାଙ୍ଗବାଦ ଘାଟିରେ ଥିବା ଏକ ସରକାରୀ ଡାକ୍ତରଖାନାର ।

ସୂଚନା ମୁତାବକ, ଔରଙ୍ଗାବାଦରେ ରହୁଥିବା ଏକନାଥ ଗବଲି ନାମକ ଜଣେ ବ୍ୟକ୍ତିଙ୍କୁ ଗତ ୫ ତାରିଖରେ ଏହି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଠାରେ ତାଙ୍କର ଅପରେସନ ୭ ମଇରେ କରାଯାଇଥିଲା ଏବଂ ଅପରେସନ ପରେ ଯେତେବେଳେ ତାଙ୍କୁ ୱାର୍ଡରେ ଭର୍ତ୍ତି କରାଯାଥିଲା ସେତେବେଳେ ସେଠାରେ ସାଲାଇଲ ରଖିବାକୁ ଷ୍ଟାଣ୍ଡ ନଥିଲା । ଯେଉଁଥିପାଇଁ ଏକନାଥଙ୍କୁ ଚିକିତ୍ସା କରୁଥିବା ଡାକ୍ତର ୭ବର୍ଷର ଏହି କୁନିଝିଅ ହାତରେ ସାଲାଇନ ବୋତଲ ଧରାଇଦେଇ, ସାଲାଇଲ ସରିବା ପର୍ଯ୍ୟନ୍ତ ସେମିତି ବୋଲତ ଧରି ଠିଆ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ରୋଗାକ୍ରାନ୍ତ ବାପାର ଆରୋଗ୍ୟ ପାଇଁ ହାତରେ ସାଲାଇନ ବୋତଲ ଧରି ଦୀର୍ଘ ୨ ଘଂଟା ଧରି ଠିଆ ହୋଇଥିଲା ଏହି କୁନିଝିଅଟି ।

ବାପାର ଜୀବନ ବଂଚାଇବା ପାଇଁ ଏହି କୁନିଝିଅଟି ପାଖାପାଖି ୨ ଘଂଟା କାଳ ସେମିତି ସାଲାଇନ ବୋତଲ ଧରି ଠିଆହୋଇ ରହିଥିଲା । ଯାହାର ଫଟୋ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାଟି ପ୍ରଘଟ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତରଫରୁ ସଫେଇ ଦିଆଯାଇଥିଲା କି, ଅପରେସନ ଥିଏଟରରୁ ୱାର୍ଡ ସିଫ୍ଟ କରିବା ସମୟରେ ରୋଗୀ ସାଥିରେ ଥିବା ଏହି ଝିଅଟିକୁ ମାତ୍ର କିଛି ସମୟ ପାଇଁ ସାଲାଇନ ବୋତଲ ଧରେଇ ଦିଆଯାଇଥିଲା । ଆଉ ଏହି ସମୟରେ ହିଁ କେହି ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛି ।

ଏଠାରେ ଆମେ କହି ରଖୁଛୁ କି, ସବୁଠାରୁ ବଡ ତଥା ୧୨୦୦ ବେଡ ଥିବା ଏହି ସରକାରୀ ଡାକ୍ତରଖାନାରେ ଔରଙ୍ଗାବାଦ ସମେତ ଆଖପାଖ ପ୍ରାୟ ୮ଟି ଜିଲ୍ଲାର ଲୋକେ ଚିକିତ୍ସା ପାଇଁ ଆସିଥାନ୍ତି ।