ମହାଯୁଦ୍ଧ ପାଇଁ ମହାପ୍ଲାନ, ମହାବଳୀକୁ ଅଟକାଇବ ମହାମେଂଟ! ମୋଦି ବିରୋଧରେ ଲଢିବ ମହାଗଠବନ୍ଧନ

76

କନକ ବ୍ୟୁରୋ : ମୋଦି ହାୱା ବିପକ୍ଷ ରାଜନୈତିକ ଦଳଙ୍କ ନିଦ ଉଡାଇଲାଣି । ଉତ୍ତରପ୍ରଦେଶ ନିର୍ବାଚନ ପରେ ବିରୋଧି ଶକ୍ତି ଘାଇଲା । କିଭଳି ମୋଦି ସୁନାମୀ ଅଟକିବ, ବିଜେପି ଶକ୍ତି ହରାଇବ ତିଆରି ଚାଲିଛି ରଣନୀତି । ୨୦୧୯ର ମହାଯୁଦ୍ଧ ଜିତିବାକୁ ବିଜେପିର ମୁଳଦୁଆ ୟୁପିରେ ପଡିସାରିଥିବା ବେଳେ ବିରୋଧୀ ନୂଆ ରଣନୀତି ସହ ସାଧାରଣ ନିର୍ବାଚନକୁ ସାମ୍ନା କରିବାକୁ ଚଳାଇଛନ୍ତି ପ୍ରସ୍ତୁତି । ପ୍ରତି ଦିନ ନେତା ଦେଉଛନ୍ତି ବୟାନ, ମୋଦିଙ୍କୁ ଅଟକାଇବାକୁ ପଡିବ, ସମସ୍ତଙ୍କୁ ଏକଜୁଟ ହେବାର ଆବଶ୍ୟକତା ଅଛି । ଆଉ ଖାସ ଏଥିପାଇଁ ତିଆରି ଚାଲିଛି ମହାପ୍ଲାନ ୨୦୧୯ । ରାଜନୈତିକ ପରିସ୍ଥିତି ଗୋଟିଏ ସ୍ପଷ୍ଟ ବାର୍ତ୍ତା ଦେଉଛି, କୈାଣସି ଦଳ ଏକାକି ମୋଦିଙ୍କୁ ହରାଇବା ଅସମ୍ଭବ, ତେଣୁ ପୁରୁଣା ରାଗ, ରୁଷା ଆଉ ଅଭିମାନ ଭୁଲିବାକୁ ନେତା ପରାମର୍ଶ ଦେଲେଣି । ଅର୍ଥାତ ୨୦୧୯ରେ ମୋଦି ବନାମ ମିଳିତ ଶକ୍ତି ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ନଜର ପକାନ୍ତୁ କଣ ଏହି ମହାପ୍ଲାନ ୨୦୧୯ । କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ଏହା ସ୍ୱୀକାର କରିଛନ୍ତି, ମୋଦିଙ୍କୁ କଂଗ୍ରେସ ଏକାକୀ ହରାଇବା ଅସମ୍ଭବ । ତେଣୁ ଜାତୀୟ ସ୍ତରରେ ମହାଗଠବନ୍ଧନର ଆବଶ୍ୟକତା ରହିଛି । ସବୁ ରାଜନୈତିକ ଦଳଙ୍କୁ ନିଜ ସ୍ୱାର୍ଥ ପଛରେ ରଖି ମୋଦିଙ୍କୁ ହରାଇବା ପାଇଁ ଏକାଠି ହେବାକୁ ପଡିବ । କଂଗ୍ରେସରେ ରାହୁଲ ବିରୋଧୀ ମନୋଭାବକୁ ନେଇ ଅୟାର କହିଛନ୍ତି, ରାହୁଙ୍କ ସ୍ଥାନ ଦଳରେ ଠିକ ଅଛି କିନ୍ତୁ ସଂଗଠନରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ମହାସଚିବ ପଦରେ ଯୁବନେତାଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି ।

୨୦୧୯ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା କଂଗ୍ରେସ କହିଛି, ୨୦୧୪ ନିର୍ବାଚନ ପରେ ସାମଗ୍ରିକ ରାଜନୈତିକ ସ୍ଥିତି ବଦଳିଯାଇଛି । ନୂଆ ନୂଆ ଆହ୍ୱାନ ସାମ୍ନାକୁ ଆସିଛି । ତେଣୁ ପୁରା ଦେଶରେ କଂଗ୍ରେସକୁ ଅନ୍ୟ ରାଜନୈତିକ ଦଳ ସହ ତାଳମେଳ ରଖିବାର ଆବଶ୍ୟକତା ରହିଛି । ବିହାରରେ ଯେଉଁ ପ୍ରୟୋଗ ସଫଳ ହେଲା, ୟୁପିରେ ବିଫଳ ହେଲା । କାରଣ ବିଏସପିକୁ ନେଇ ମହାମେଂଟ ଗଠନ ହୋଇପାରିନଥିଲା । ଆଉ ଏହାରି ଭିତରେ ଜେଡିୟୁ ବିହାର ଫର୍ମୁଲା ଉପରେ ଜୋର ଦେଇ ଆସୁଛି । ଯେଉଁଠି ପରସ୍ପର ବିରୋଧାଭାଷକୁ ପଛରେ ରଖି ମୋଦିଙ୍କ ବିରୋଧରେ ତିଆରି ହୋଇଥିଲା ମହାମେଂଟ । ୨୦୧୯ ପୂର୍ବରୁ ଏହି ମହାମେଂଟର ରୁପରେଖ ଚୁଡାନ୍ତ ହୋଇପାରେ । ଯେଉଁଠି ଲଢେଇ ମୋଦି ବନାମ ମିଳିତ ଶକ୍ତି ହେବ ।

ତେବେ ବଡ କଥା ହେଉଛି, ଏହି ଶକ୍ତିର ଚେହେରା କିଏ ହେବ? କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ନେଇ ସ୍ୱପ୍ନ ଦେଖିଥିବା ବେଳେ ଜେଡିୟୁ ସଫା ସଫା କହିଛି ନୀତିଶ ହିଁ ମୋଦିଙ୍କ ସହ ଲଢିପାରିବେ । ଆଉ ଏହି ନେତା କଂଟା ମିଳିତଶକ୍ତି ପାଇଁ ବଡ ଚାଲେଂଜ ଆଣିବ । ପୂର୍ବରୁ ଏହି ପ୍ରୟୋଗ ସଫଳ ମଧ୍ୟ ହୋଇଥିଲା । ୨୦୦୪ରେ ବାଜପାୟୀ ହାରିବେ, ହୁଏତ ବହୁତ କମ ଲୋକ ଏହା ଅନୁମାନ କରିଥିଲେ କିନ୍ତୁ କଂଗ୍ରେସ ନେତତ୍ୱାଧୀନ ୟୁପିଏ ବିଜେପିକୁ ହଟାଇ କ୍ଷମତାକୁ ଆସିଥିଲା ଏବଂ ୧୦ ବର୍ଷ ରାଜ କରିଥିଲା । ୨୦୧୯ ପାଇଁ ଏହି ମହାପ୍ଲାନ ଉପରେ ଏବେ ନେତା ମାନସ ମନ୍ଥନ କରିବା ଆରମ୍ଭ କଲେଣି ।