ପେଟ୍ରୋଲ୍ ଓ ଡିଜେଲ ଦର ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଲୋକମାନେ ଯେଉଁ ତେଲ କିଣୁଛନ୍ତି ତା’ଉପରେ ମୋଟା ଅଙ୍କର ଟିକସ ଗଣୁଛନ୍ତି। ତେଲ୍ର ପ୍ରକୃତ ମୂଲ୍ୟ ଯେତିକି ଟଙ୍କା ତା’ଠାରୁ ଅଧିକ ଟିକସ ଦେଉଛନ୍ତି। ଏକ ଲିଟର ପେଟ୍ରୋଲ୍ କିଣିବା ବେଳେ ଗ୍ରାହକମାନେ ପ୍ରାୟ ୩୯ ଟଙ୍କାର ଟିକସ ଦେଉଛନ୍ତି। ସେହିପରି ଏକ ଲିଟର୍ ଡିଜେଲ୍ରେ ୩୫ ଟଙ୍କାର ଟିକସ ଆଦାୟ କରାଯାଉଛି।
ଚିନ୍ତାଜନକ ବିଷୟ ହେଲା ଏବେ ଏହି ଅବସ୍ଥା ଆଗକୁ ବି ଜାରି ରହିପାରେ । କାହିଁକି ନା ଡଲାର ତୁଳନାରେ ଟଙ୍କା ଦୂର୍ବଳ ହେବା ପରେ ରାଷ୍ଟ୍ରାୟତ ତେଲ କମ୍ପାନିମାନଙ୍କ ଉପରେ ଚାପ ବଢିଯାଇଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚସ୍ତରରେ ଥିବାବେଳେ ଟଙ୍କା ଦୁର୍ବଳ ହେବା ଫଳରେ ତେଲକମ୍ପାନିମାନେ ତେଲ କିଣିବାକୁ ଅଧିକ ଡଲାର ବ୍ୟୟ କରିବାକୁ ପଡୁଛି । ଏକ ହିସାବ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଭାରତର ତୈଳ ଆମଦାନୀ ବ୍ୟୟଭାର ପ୍ରାୟ ୨୬ ବିଲିୟନ ଡଲାର ବଢିବ । ଏହାର ସିଧାସଳଖ ଅର୍ଥ ହେଉଛି ଆଗାମୀ ଦିନରେ ଦେଶରେ ପେଟ୍ରୋଲ, ଡିଜେଲ ଦର ଆହୁରି ବଢିପାରେ ।
ସରକାରୀ ତୈଳ କଂପାନୀଗୁଡିକ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ସୋମବାର ଦିଲ୍ଲୀରେ ପେଟ୍ରୋଲ ୭୯.୧୫ ଟଙ୍କା ପ୍ରତିଲିଟର ରେକର୍ଡ ସ୍ତର ଏବଂ ଡିଜେଲ ୭୧.୧୫ ଟଙ୍କା ପ୍ରତି ଲିଟର ପିଛା ରେକର୍ଡ ସ୍ତରରେ ପହଂଚିଛି । ସେହିପରି ଦେଶର ବାକି ସମସ୍ତ ମେଟ୍ରୋ ସହରମାନଙ୍କରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ଦାମ ଦିଲ୍ଲୀଠାରୁ ଅଧିକ ରହିଛି । ତେବେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ୧୯ ଟଙ୍କା ୪୮ ପଇସା ଓ ଡିଜେଲ୍ ଉପରେ ୧୫ ଟଙ୍କା ୩୩ ପଇସାର ଉତ୍ପାଦନ ଶୁଳ୍କ ଲଗାଇଛନ୍ତି। ତେଲ ଦରରେ ଯେତେ ହ୍ରାସ/ବୃଦ୍ଧି ହେଲେ ଏହି ଟିକସରେ କୌଣସି ପରିବର୍ତ୍ତନ ହୁଏ ନାହିଁ। କିନ୍ତୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍ରେ ନିୟମିତ ପରିବର୍ତ୍ତନ ହୋଇଥାଏ। ତେଲ ଦରରେ ହେଉଥିବା ବୃଦ୍ଧି ଯୋଗୁ ରାଜ୍ୟଗୁଡ଼ିକ ଅଧିକ ରାଜସ୍ୱ ପାଇଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୧୦ ଦିନ ହେଲା ବୃଦ୍ଧି ପାଉଛି। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୪ ମଧ୍ୟରେ ପେଟ୍ରୋଲ୍ ଦର ୧ ଟଙ୍କା ୬୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୨ ଟଙ୍କା ୩୩ ପଇସା ମହଙ୍ଗା ହୋଇଛି।
ଓଡ଼ିଶା ବଜାର ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଡିଜେଲ୍ ଦର। ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଏହାର ପ୍ରଭାବ ସିଧାସଳଖ ତେଲ ଉପରେ ପଡ଼ିଛି। ଭାରତ ଏହାର ତୈଳ ଚାହିଦାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ତେଣୁ ତେଲ କିଣିବା ବାବଦରେ ସରକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ସରକାର ତେଲ ଦରକୁ ନିଜ ନିୟନ୍ତ୍ରଣରୁ ମୁକ୍ତ କରିସାରିଥିବାରୁ ଏହାର ବୋଝ ମଧ୍ୟ ଖାଉଟିଙ୍କ ଉପରେ ପଡ଼ୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)