ପୁଣି ଆତଙ୍କୀ ଆକ୍ରମଣରେ ଦୋହଲିଲା ପୁଲୱାମା । ଘରେ ପଶି ପୁଲିସ୍ ଅଧିକାରୀଙ୍କ ସମେତ ପତ୍ନୀ ଓ ଝିଅକୁ ବି ମାରିଦେଲେ ଆତଙ୍କବାଦୀ ।

306

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରେ ପୁଣି ଆତଙ୍କୀ ହମଲା । ଆତଙ୍କୀ ଆକ୍ରମଣରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଛି । ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ହରିପରିଗାମ୍ ଅଂଚଳରେ ଜଣେ ପୋଲିସ ଅଧିକାରୀଙ୍କ ଘରେ ପଶି ଆତଙ୍କବାଦୀ ମାନେ ଘଟାଇଛନ୍ତି ଏଭଳି ନାରକୀୟ କାଣ୍ଡ ।

ଅଶାନ୍ତ କାଶ୍ମୀର…ଗୋଟିଏ ପରେ ଗୋଟିଏ ଆତଙ୍କୀ ଆକ୍ରମଣ । ଜମ୍ମୁକାଶ୍ମୀରରେ ପୁଣି ଆତଙ୍କୀ କାଣ୍ଡ । ଆତଙ୍କୀଙ୍କ ଆକ୍ରମଣରେ ଜଣେ ଏସପିଓ, ତାଙ୍କ ସ୍ତ୍ରୀ ଓ ଝିଅଙ୍କ ମୃତ୍ୟୁ ଘଟିଛି । କାଶ୍ମୀରର ପୁଲୱାମା ଜିଲ୍ଲାରେ ହରିପରିଗାମ୍ ଗାଁରେ ପୋଲିସ୍ ଅଫିସରଙ୍କ ଘରେ ଆଖିବୁଜା ଗୁଳିଚାଳନା କରିଥିଲେ ଆତଙ୍କବାଦୀ । ଏଥିରେ ଘଟଣାସ୍ଥଳରେ ଏସପିଓ ଫୟାଜ ଅହମଦ ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା । ଏହାସହ ତାଙ୍କର ୨୨ ବର୍ଷୀୟ ଝିଅ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ୍ ଯୋଗେ ଆକ୍ରମଣ ପରେ ଏହା ଆଉ ଏକ ଆତଙ୍କୀ କାଣ୍ଡ । ସେପଟେ ଏହି ଡ୍ରୋନ୍ ଆକ୍ରମଣ ପଛରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହାତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀକୁ ନିକଟରେ ଗିରଫ କରିଥିଲା ଜମ୍ମୁକାଶ୍ମୀର ପୋଲିସ୍ । ତା ନିକଟରୁ ୫କେଜି ଆଇଡି ବିସ୍ଫୋରକ ଜବତ ହୋଇଥିଲା । ଏହି ଲିଙ୍କକୁ ଅନୁଧ୍ୟାନ କରି ଡ୍ରୋନ୍ ଆକ୍ରମଣରେ ଲସ୍କର ଇ-ତୋଇବାର ହାତ ଥିବା ଜଣାପଡ଼ିଛି ।

ଜମ୍ମୁ ଏୟାର ଫୋର୍ସ ଷ୍ଟେସନରେ ରବିବାର ଡ୍ରୋନ୍ ଆକ୍ରମଣ ପରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଏଥିରେ ବାୟୁ ସେନାର ଦୁଇ କର୍ମଚାରୀ ଆହତ ହୋଇଥିଲେ । ଗତକାଲିର ଡ୍ରୋନ୍ ଆକ୍ରମଣ ପରେ ଆଉ ଏକ ଡ୍ରୋନ୍ ସୀମାରେ ଦେଖିବାକୁ ମିଳିଥିଲା । ସୀମାରେ ମୁତୟନ ଯବାନ ଡ୍ରୋନ୍ ଉପରକୁ ଗୁଳି ଚଳାଇଥିଲେ, ଏହାପରେ ଡ୍ରୋନଟି ଅଦୃଶ୍ୟ ହୋଇଯାଇଥିଲା ।