ଋଣ ନଶୁଝିଲେ କମ୍ପାନି ଛାଡ଼ !

33

ଋଣ ପରିଶୋଧ କରୁ ନଥିବା ସଂସ୍ଥା ଗୁଡ଼ିକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଶୁକ୍ରବାର ସତର୍କ ବାଣୀ ଶୁଣାଇଛନ୍ତି । ସେ କମ୍ପାନି ଗୁଡ଼ିକୁ ବ୍ୟାଙ୍କ ଋଣ ପରିଶୋଧ କରିବାକୁ କହିଛନ୍ତି । ଯଦି ଋଣ ପରିଶୋଧ ନକରୁଛ ତାହେଲେ ଅନ୍ୟକୁ କମ୍ପାନି ପରିଚାଳନା କରିବାର ଅନୁମତି ଦିଅ ବୋଲି ଅର୍ଥନୀତିଜ୍ଞ ସମ୍ମିଳନୀରେ ଯୋଗଦେଇ ଜେଟଲି ଏହା କହିଛନ୍ତି ।

ଦେଶରେ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଋଣ ଆଦାୟ ନ ହୋଇ ପଡ଼ି ରହିଛି । ଏହା ମଧ୍ୟରୁ ମାତ୍ର ୧୨ଟି ବଡ଼ ଘରୋଇ କମ୍ପାନି ଉପରେ ୨ ଲକ୍ଷ କୋଟି ଟଙ୍କାର ଋଣ ରହିଛି । ତେଣୁ ଏମାନଙ୍କ ବିରୋଧରେ ନୂଆ ଦେବାଳିଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ୟାଙ୍କ ଗୁଡ଼ିକୁ କହିବା ଲାଗି ସରକାର ନିକଟରେ ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି । ଜେଟଲି ଏହା ମଧ୍ୟ କହିଛନ୍ତି ବ୍ୟାଙ୍କ ଗୁଡ଼ିକୁ ଅଧିକ ପୁଞ୍ଜି ଦେବା ପରିବର୍ତ୍ତେ ଚାପଗ୍ରସ୍ତ ଋଣ ଆଦାୟ କରିବା ଉପରେ ସରକାର ଅଗ୍ରାଧିକାର ଦେଇଛନ୍ତି ।

ତେଣୁ ଯେଉଁମାନେ ଋଣ ପରିଶୋଧ କରୁ ନାହାନ୍ତି ସେମାନେ ଅନ୍ୟମାନଙ୍କୁ କମ୍ପାନି ପରିଚାଳନା କରିବାକୁ ଛାଡ଼ି ଦିଅନ୍ତୁ ବୋଲି ଜେଟଲି କହିଛନ୍ତି । ସରକାରୀ ବ୍ୟାଙ୍କକୁ ଟିକସଦାତାଙ୍କ ଅର୍ଥ ପ୍ରଦାନ କରିବା ଏକ ସହଜ ସମାଧାନ । ତେବେ ସରକାର ବ୍ୟାଙ୍କ ଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ଦେଇ ସାରିଲେଣି ଏବଂ ଅଧିକ ପୁଞ୍ଜି ଦେବା ନେଇ ସରକାରଙ୍କ ଦ୍ୱାର ମଧ୍ୟ ଉନ୍ମୁକ୍ତ ରହିଛି । ଜେଟଲି ବ୍ୟାଙ୍କ ମିଶ୍ରଣ ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ ସରକାରୀ ବ୍ୟାଙ୍କ ପରିବର୍ତ୍ତେ ଆମେ କମ୍ ସଂଖ୍ୟକ ଦୃଢ଼ ବ୍ୟାଙ୍କ ଆବଶ୍ୟକ କରୁ ବୋଲି ସେ କହିଛନ୍ତି ।

୨୧ଟି ସରକାରୀ ବ୍ୟାଙ୍କର ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ନିଷ୍ପତ୍ତି ନେଇଛି । ସରକାରୀ ବ୍ୟାଙ୍କ ଗୁଡ଼ିକ ନିକଟରେ ପ୍ରାୟ ୭୪ ପ୍ରତିଶତ ଅର୍ଥ ଜମା ରହିଛି । ତେବେ ସୁଧ ହାର ହ୍ରାସ ସମ୍ପର୍କରେ ଜେଟଲି କହିଛନ୍ତି ସୁଧ ହାର ହ୍ରାସ ପାଉ ବୋଲି ସବୁ ଅର୍ଥମନ୍ତ୍ରୀ ଚାହିବେ । କିନ୍ତୁ ସୁଧ ହାର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହିଁ ରିଜର୍ଭ ବ୍ୟାଙ୍କ ନେଇଥାଏ । ଦେଶରେ ସୁଧ ହାର ପରିବର୍ତ୍ତନ ପାଇଁ ଏକ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ହିଁ ସୁଧ ହାର ନିର୍ଣ୍ଣୟ କରିଥାଏ ବୋଲି ସେ କହିଛନ୍ତି ।

ସୌଜନ୍ୟ: ଇକୋନୋମିକ ଟାଇମ୍ସ