ମରିଗଲେ ହେଲେ ଭୁଲିଲେନି କର୍ତ୍ତବ୍ୟ । ମହାସୁନାମୀରେ ଆସିଲା ମାନବିକତାର ମହାନ ଚିତ୍ର । ନିଜେ ମରି ବଂଚାଇଲେ ଶହ ଶହ ଲୋକଙ୍କ ଜୀବନ
ଉତ୍ତର ଇଣ୍ଡୋନେସିଆର ସୁଲାବେସି ଦ୍ୱୀପରେ ଗତକାଲି ଆସିଥିବା ଭୂକମ୍ପ ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରଳୟ ସୃଷ୍ଟି କରିଛି ।୭.୫ ତୀବ୍ରତାର ଭୂକମ୍ପ ପରେ ୧୮ ଫୁଟ ଉଚ୍ଚକୁ ଉଠିଥିଲା ସମୂଦ୍ର ଜୁଆର । ସୁନାମି ଫଳରେ ସୁଲାବେସି ଦ୍ୱୀପରେ ଯେଉଁ ଜଳ ପ୍ରଳୟ ସୃଷ୍ଟି ହୋଇଛି ସେଥିରେ ଦିନକୁ ଦିନ ମୃତ୍ୟୂ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୩ ଶହ ୮୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସଂପୂର୍ଣ୍ଣ ପାଣିରେ ବୁଡିଯାଇଛି “ପାଲୁ’ ସହର । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା କହିଛି, ଦଙ୍ଗଲା ସହରର ୩୫ କିଲୋମିଟର ପୂର୍ବରୁ ଭୁକମ୍ପର କେନ୍ଦ୍ର ସ୍ଥଳୀ ଥିଲା ।ଏହା ପରେ ଶନିବାର ସକାଳୁ ମଧ୍ୟ ମୃଦୁ ଭୂକମ୍ପ ଝଟକା ଅନୂଭୂତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଭୁକମ୍ପ ପ୍ରଭାବରେ ମାଡି ଆସିଥିବା ସମୂଦ୍ର ଜଳ ଜନବସତିରେ ପ୍ରବେଶ କରିଛି ।ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୁନାମୀ ଚେତାବନୀ ଜାରି କରିଥିଲେ ବି ତଟବର୍ତୀ ଅଂଚଳକୁ ସୁରକ୍ଷିତ କରାଯାଇପାରିନାହିଁ । ଭୂକମ୍ପ ପରେ ଶତାଧିକ ଘର ମାଟିରେ ମିଶିଯାଇଥିବା ବେଳେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ହସ୍ପିଟାଲ, ହୋଟେଲ ଓ ସପିଂ ମଲ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି ।
ତେବେ ଧୀରେ ଧୀରେ ଏହି ସୁନାମୀର କରାଳ ରୂପ ସାମନାକୁ ଆସୁଛି । କୁଢକୁଢ ଶବ ପାଣିରେ ଭାସୁଛି । ପାଲୁ ସହରଟି ଏପର୍ଯ୍ୟନ୍ତ ଜଳବନ୍ଦୀ ହୋଇ ରହିଛି । କିନ୍ତୁ ଏହା ମଧ୍ୟରେ କେତେକ ସାହସ ଓ କର୍ତ୍ତବ୍ୟନିଷ୍ଠାର ଖବର ମଧ୍ୟ ଆସୁଛି । ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାବେସି ରାଜ୍ୟର ରାଜଧାନୀ ପାଲୁ ସହରର ଏୟାରପୋର୍ଟରେ କାର୍ଯ୍ୟରତ ଅନ୍ଥୋନିଓ ଅଗଙ୍ଗ ଅସୀମ ସାହସ ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇ ନିହତ ହୋଇଛନ୍ତି ।
ସେ ଏୟାରଟ୍ରାଫିକ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିଲେ । ଭୂମିକମ୍ପ ଆସିବା ବେଳେ ଉକ୍ତ ଏୟାରପୋର୍ଟରେ ଏକ ବିମାନ ଉଡାଣ ଆରମ୍ଭ କରୁଥିଲା । ଏହି ସମୟରେ ଏୟାରଟ୍ରାଫିକ ଟାଓ୍ଵାରଟି ଥରିବାକୁ ଆରମ୍ଭ କଲା । ଅନ୍ୟମାନେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଲେ । କିନ୍ତୁ ସେ ବିମାନଟି ଉଠିବା ପର୍ଯ୍ୟନ୍ତ ସେଠାରେ ରହିଲେ । ବିମାନଟି ଉଠିବା ପରେ ଆଉ ସମୟ ନଥିଲା । ସେ ପ୍ରାଣ ବିକଳରେ ଉପରୁ ଡେଇଁ ପଡିଲେ, କିନ୍ତୁ ବଞ୍ଚିପାରିଲେ ନାହିଁ ।