ଏଣିକି ମହଙ୍ଗା ହେବ ଅନ୍ ଲାଇନ୍ ପେମେଣ୍ଟ୍ ! ଇ-ପେମେଣ୍ଟ୍ କଂପାନିଙ୍କ ଉପରେ ଲାଗୁ ହେବ ସାଇବର୍ ନିରାପତ୍ତା ସେସ୍

47

ବିମୁଦ୍ରାକରଣ ପରେ କେନ୍ଦ୍ର ସରକାର ଡିଜିଟାଲ୍ ପେମେଣ୍ଟ୍ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ନଗଦ ଅର୍ଥ ବଦଳରେ କିଭଳି ଲୋକମାନେ ଡିଜିଟାଲ୍ ପେମେଣ୍ଟ୍ କରିବେ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ମାତ୍ର ସରକାର ଏବେ ଏଭଳି ଏକ ଯୋଜନା ଉପରେ କାମ କରୁଛନ୍ତି ତାହା ଯଦି ଲାଗୁ ହେବ ତେବେ ଲୋକମାନେ ନଗଦ ଅର୍ଥରେ କାରବାର କରିବାକୁ ବାଧ୍ୟ ହେବେ ।

ଇ-ପେମେଣ୍ଟ୍ ସୁବିଧା ପ୍ରଦାନ କରୁଥିବା କଂପାନିଗୁଡ଼ିକ ଉପରେ ସରକାର ସାଇବର୍ ନିରାପତ୍ତା ସେସ୍ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନା ଲାଗୁ ହେଲେ ପ୍ରତି ଥର ଅନଲାଇନ୍ ପେମେଣ୍ଟ୍ କରିବା ବେଳେ ଏକ ନିର୍ଦିଷ୍ଟ ପରିମାଣର ନିରାପତ୍ତା ରାଶି ଜମା କରିବାକୁ ପଡ଼ିବ । ଏହା ଦ୍ୱାରା ଅନଲାଇନ୍ ପେମେଣ୍ଟ୍ ମହଙ୍ଗା ହେବ ।

ଗଣମାଧ୍ୟମରେ ଏକ ସମ୍ପର୍କରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମିଳିତ ଭାବେ ଏହି ଯୋଜନା ଉପରେ କାମ କରୁଛନ୍ତି । ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସାଇବର୍ ନିରାପତ୍ତା ସେସ୍ ବାବଦରେ ସଂଗ୍ରହ କରାଯାଇଥିବା ଅର୍ଥ ଖର୍ଚ କରାଯିବ । ବର୍ତ୍ତମାନ ଦେଶରେ ଡିଜିଟାଲ୍ ପେମେଣ୍ଟ୍ ଉପରେ ଅନେକ ପ୍ରକାର ଶୁଳ୍କ ଗଣିବାକୁ ପଡୁଛି। କନଭିନିଏନ୍ସ ଫି’, କାରବାର ଶୁଳ୍କ, ପ୍ଲାଷ୍ଟିକ୍ କାର୍ଡର ମୂଲ୍ୟ, ବାର୍ଷିକ ଶୁଳ୍କ ଏବଂ ମର୍ଚାଣ୍ଟ୍ କାରବାର ଶୁଳ୍କ ଆଦି ଗଣିବାକୁ ପଡୁଛି । ଏହା ଉପରେ ଯଦି ସେସ୍ ଲାଗୁ କରାଯିବ ତେବେ ଲୋକମାନଙ୍କୁ ଅନଲାଇନ ପେମେଣ୍ଟ୍ କରିବାକୁ ନିରୁତ୍ସାହିତ କରିବ ।