କିଛି ଦିନ ଆଗରୁ ଭାରତୀୟ ଚଳଚିତ୍ର ଇତିହାସର ସର୍ବଶ୍ରେଷ୍ଠ ଚଳଚିତ୍ର ବାହୁବଳୀକୁ ନେଇ ବକ୍ସ ଅଫିସରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଯାହାର ଏକ ଦୃଶ୍ୟରେ ରାଣୀ ଶିବଗାମୀ ବାହୁବଳୀଙ୍କୁ ବଂଚାଇବାକୁ ଅଥଳ ଜଳରାଶି ଭିତରେ ନିଜ ଜୀବନକୁ ବାଜି ଲଗାଇଥିଲେ । ଇଶ୍ୱରଙ୍କ ପାଖରେ ନିଜକୁ ସମର୍ପି ହାତରେ ଶିଶୁ ମହେନ୍ଦ୍ର ବାହୁବଳୀଙ୍କୁ ବଂଚାଇ ରଖିଥିଲେ ଶିବଗାମୀ । ଯିଏ ପରବର୍ତ୍ତୀ ପର୍ଯ୍ୟାୟରେ ମାହେଶ୍ମତୀ ସାମ୍ରାାଜ୍ୟର ରକ୍ଷକ ସାଜିଥିଲେ ।
ରାଜନୀତିର ଚର୍ଚ୍ଚା ଆଉ ପର୍ଯ୍ୟାଲୋଚନା ଭିତରେ ବାହୁବଳୀର ସନ୍ଦର୍ଭ ଉଠିବା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହେଲେ ଏହାର ପ୍ରାସଙ୍କିତା ରହିଛି । ଯେତେବେଳେ ବିଜୁ ଜନତା ଦଳର ଉପସଭାପତି ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କଂଗ୍ରେସ ଅଛୁଆଁ ନୁହେଁ ବୋଲି ବୟାନ୍ ଦେଇଛନ୍ତି । ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଏହି ବୟାନର ଯଥେଷ୍ଟ ମହତ୍ତ୍ୱ ରହିଛି ।
୨୦୧୯ରେ ବିଜେପିର ମିଶନ ୧୨୦କୁ ବିଜେଡି ଦିବାସ୍ୱପ୍ନ ବୋଲି ପ୍ରମାଣିତ କରିବ । ଏହି ମିଶନରେ ଯିଏ ସହଯୋଗ କରିବ, ଆମେ ତାଙ୍କୁ ଗ୍ରହଣ କରିବୁ । ସାମ୍ପ୍ରଦାୟିକ ଶକ୍ତି ବିଜେପିକୁ ରୋକିବାକୁ କଂଗ୍ରେସ ଆସିଲେ, ଆମେ ସ୍ୱାଗତ କରିବୁ । ବିଜେପିର ସାମ୍ପ୍ରଦାୟିକ ମନୋଭାବକୁ ଅଣ ବିଜେପି ଦଳ ମୁକାବିଲା କରିବା ଦରକାର । ୧୪୭ ଆସନରୁ କେତେ ଆସନରେ କଂଗ୍ରେସ ଜିତିବ କହିଲେ, ଆମେ ବୁଝାମଣା ବାବଦରେ ଆଗକୁ ବଢିବୁ । ଚୁଡାନ୍ତ ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ । ଆଦର୍ଶଗତ ଦୃଷ୍ଟିରୁ ବିଜେପି ଶତ୍ରୁ, କଂଗ୍ରେସ ଶତ୍ରୁ ନୁହେଁ କେବଳ ପ୍ରତିଦ୍ୱନ୍ଦ୍ୱୀ । ସାମ୍ପ୍ରଦାୟିକ ମଂଜିକୁ ରୋକିବାକୁ କଂଗ୍ରେସ ଆଗ୍ରହୀ ହେଲେ ବିଜେଡି କଥା ହେବ : ଦାମୋଦର ରାଉତ, କୃଷିମନ୍ତ୍ରୀ
ଦାମୋଦର ରାଉତଙ୍କ ଏହି ବୟାନ ପୁଣି ଥରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ସରଗରମ କରିଛି । ୨୦୧୯ ନିର୍ବାଚନ ବେଳକୁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଂଟ ହେବ କି? ଆସନ ବୁଝାମଣା କରି ବିଜେପିକୁ ରୋକିବାକୁ ଉଦ୍ୟମ କରାଯିବ କି? ଜାତୀୟ ସ୍ତରରେ ଯେଉଁ ମହାମେଂଟର ପରିକଳ୍ପନା କରାଯାଉଛି, ଓଡିଶା ମଧ୍ୟ ତାର ଅଂଶବିଶେଷ ହେବ କି? ଅଭିଜ୍ଞ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଦାମୋଦର ରଉତଙ୍କ ଏହା ବ୍ୟକ୍ତିଗତ ବୟାନ ଭାବେ ଦେଖାଯିବ ନା ଏହା ପଛରେ ଦଳୀୟ ଆଭିମୁଖ୍ୟ ରହିଛି । ସୋମବାର ଯଥାସମ୍ଭବ ଦଳ ଏହାକୁ ବ୍ୟକ୍ତିଗତ ବୟାନ କରି ନିଜକୁ ଏହି ବିବାଦରୁ ଦୁରେଇ ରଖିଥିଲା ।
ଦାମ ବାବୁ ବିଜେପି ବିରୋଧୀ ଆଭିମୁଖ୍ୟ ରଖିଛନ୍ତି । ବିଜେଡି ସବୁବେଳେ ଗୋଟିଏ ଉଭୟ ୟୁପିଏ ଓ ଏନଡିଏ ଠାରୁ ସମଦୁରତ୍ୱ ଅବଲମ୍ବନ କରି ଆସୁଛନ୍ତି : ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର
ଦାମ ବାବୁଙ୍କର ଏହା ବ୍ୟକ୍ତିଗତ ମତ । ରାଜ୍ୟରେ ଏକାକି ଲଢେଇ କରିବାକୁ ବିଜେଡି ସକ୍ଷମ, ଦଳର ସଂଗଠନ ବେଶ ମଜଭୁତ ରହିଛି । ଆସନ୍ତା ନିର୍ବାଚନରେ ବିଜେଡି ୧୨୩ ଆସନ ଜିତିବ : ସୁର୍ଯ୍ୟ ପାତ୍ର, ଯୋଗାଣ ମନ୍ତ୍ରୀ
ବିଜୁ ଜନତା ଦଳର ଏଭଳି ବୟାନ ଦର୍ଶାଉଛି ଯେ, ବିଜେପି ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳ ସେମାନଙ୍କ ପାଇଁ ଅଛୁଆଁ ନୁହଁନ୍ତି । ତେବେ ବର୍ଷକ ତଳେ ଏଭଳି ମତ ରଖିଥିବା ଭର୍ତ୍ତୃହରି ମହତାବଙ୍କ ପାଇଁ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲେ । ଏପରିକି ସେହି ସମୟରେ ଭର୍ତ୍ତୃହରିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ହେଲେ ନୋଟିର ଜବାବ କଣ ଆସିଲା ଓ ବିଜେଡି ସୁପ୍ରିମୋ ତାଙ୍କ ପାଇଁ କିଭଳି ଆଭିମୁଖ୍ୟ ପୋଷଣ କଲେ ତାହା ଆଜି ବି ଅନ୍ଧାରରେ ।
ବିଜେପିର ମୁକାବିଲା ପାଇଁ କଂଗ୍ରେସ ସହିତ ମେଂଟ କରିବାକୁ ବିଜେଡି ପଛାଇବନି । ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ ଏହି ବକ୍ତବ୍ୟ ରଖିଛି । ସ୍ୱତନ୍ତ୍ର ରାଜ୍ୟ ପ୍ରସଙ୍ଗରେ କଂଗ୍ରେସ ଆମ ସହ ଥିଲା, ବିରୋଧରେ ବିଜେପି ଗଲା । ରାଜନୀତିର ତ୍ରିକୋଣୀୟ ପ୍ରତିଯୋଗୀତାରେ ବିଜେଡିକୁ ଫାଇଦା ହିଁ ଫାଇଦା । ସମଦୂରତା ରଖୁଥିବା ବିଜେଡିକୁ, କେନ୍ଦ୍ରମନ୍ତ୍ରୀ ରାଜ୍ୟରେ କାହିଁକି ସମାଲୋଚନା କରୁଛନ୍ତି? : ଭର୍ତ୍ତୃହରି ମହତାବ, ବିଜେଡି ସାଂସଦ
ମହତାବଙ୍କ ଏହି ବୟାନକୁ ବିଜେଡିର ସବୁ ସ୍ତରରେ ନିନ୍ଦା କରାଯାଇଥିଲା । ଏପରିକି ଦଳୀୟ ସ୍ତରରେ ଏହାର ଅନୁଧ୍ୟାନ କରାଯିବ ବୋଲି ମୁଖପାତ୍ର କହିଥିଲେ । ହେଲେ ଦାମ ବାବୁଙ୍କ ବୟାନ ପରେ କିନ୍ତୁ ଦଳର ଆଭିମୁଖ୍ୟ ଗରମ ନୁହେଁ, ନରମ ଅଛି । ତେବେ ଏହାରି ଭିତରେ କଣ ଏଭଳି ପରିବର୍ତ୍ତନ ଆସିଛି ଯେ, ଦାମ ବାବୁଙ୍କ ବୟାନକୁ ଦଳୀୟ ନେତା ଭିନ୍ନ ଚକ୍ଷୁରେ ଦେଖୁଛନ୍ତି ।
ଭର୍ତ୍ତୃହରି ମହତାବ ନଭେମ୍ବରରେ ରଖିଥିଲେ ତାଙ୍କର ବୟାନ । ଯେଉଁ ସମୟରେ ରାଜ୍ୟ ରାଜନୀତିରେ ବିଜେପି ଏକ ଶକ୍ତି ଭାବେ ଉଭା ହୋଇନଥିଲା । ନେତା ମାନେ ସାଢେ ଚାରି କୋଟି ଓଡିଆଙ୍କ ଦଳ ଭାବେ ବିଜେଡିକୁ ଉପସ୍ଥାପନ କରୁଥିଲେ । ହେଲେ ଏହାରି ଭିତରେ ସରିଛି ପଂଚାୟତ ନିର୍ବାଚନ । ଯେଉଁଠି ବିଜେଡିର ଶକ୍ତି ଅପେକ୍ଷାକୃତ ଭାବେ ବଢିଛି । ରାଜ୍ୟରେ ଦ୍ୱିତୀୟ ଦଳ ଭାବେ ଉଭା ହୋଇଛି ବିଜେପି । ୨୦୧୨ ତୁଳନାରେ ବିଜେଡି ୨୫ ପ୍ରତିଶତ ଆସନ ହରାଇଥିବା ବେଳେ ବିଜେପି ପାଖାପାଖି ୯ ଗୁଣା ଅଧିକ ଆସନ ପାଇଥିଲା । ଆଉ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଥିଲା । ଏହାପରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଯାଇଛି ।
ଗତ କିଛି ଦିନର ରାଜନୈତିକ କାର୍ଯ୍ୟକଳାପ ଦେଖିଲେ ଲାଗୁଛି, ବିଜୁ ଜନତା ଦଳର ନେତାଙ୍କ ମନରେ ଏକ ଅଜଣା ଡର ପ୍ରବେଶ କରିଛି । ଆଉ ଯେଉଁ ଦଳକୁ ବିଜେଡି ନେତା ମାନେ ସାଇନବୋର୍ଡ ପାର୍ଟି ଭାବେ ଉଲ୍ଲେଖ କରୁଥିଲେ, ଆଜି ତାକୁ ଡରିବା ବା ରଣନୀତିକୁ ନେଇ ବିଚଳିତ ହେବା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ଦାମ ବାବୁ କଂଗ୍ରେସ ସହ ମେଂଟ ବାବଦରେ ବୟାନ ଦେଇଛନ୍ତି । ତେଣୁ ଉଭୟ ଭର୍ତ୍ତହରି ଓ ଦାମ ବାବୁଙ୍କ ବୟାନକୁ ବିଜେଡିର ଅନ୍ଦର ମହଲ ଭିନ୍ନ ନିକିତିରେ ତଉଲୁଛି । ପଂଚାୟତ ନିର୍ବାଚନର ଭୋଟ୍ ଆଣିଛି ଏହି ଫରକ୍ ।
ଏବେ ନଜର ପକାନ୍ତୁ ଭୋଟ୍ ସମୀକରଣ ଉପରେ । ୨୦୧୪ ନିର୍ବାଚନରେ ବିଜେଡି ପାଇଥିଲା ପାଖାପାଖି ୪୪ ପ୍ରତିଶତ ଭୋଟ । ସାରା ଦେଶରେ ବିଜେପି ସପକ୍ଷରେ ହାୱା ବହୁଥିବା ବେଳେ ଓଡିଶାରେ କିନ୍ତୁ ନବୀନ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ୧୧୭ ବିଧାନସଭା ଆସନ ଓ ୨୦ ଲୋକସଭା ଆସନରେ ବାଜି ମାରି ନବୀନ ରେକର୍ଡ ସ୍ଥାପନ କରିଥିଲେ । ୧୮ ପ୍ରତିଶତ ଭୋଟ ପାଇଥିଲା ଭାରତୀୟ ଜନତା ପାର୍ଟି । ୧୦ ଜଣ ବିଧାୟକ ଓ ଜଣେ ସାଂସଦ ଜିତିଥିଲେ ବିଜେପିର । କଂଗ୍ରେସ ୨୫ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଥିଲା । ଆଉ ଜିତିଥିଲା ୧୬ଟି ବିଧାନସଭା ସିଟ୍ ।
ତେବେ ପଂଚାୟତ ନିର୍ବାଚନ ପରେ ସ୍ଥିତି ବଦଳିଯାଇଛି । ରାଜ୍ୟରେ ଦୁଇ ନମ୍ବର ଦଳ ହୋଇଛି ବିଜେପି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପାଇଛି ପାଖାପାଖି ୪୨ ପ୍ରତିଶତ ଭୋଟ । ବିଜେପି ପାଖାପାଖି ୩୪ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ପାଇଥିଲା ୧୮ ପ୍ରତିଶତ ଭୋଟ । ଯାହା ସ୍ପଷ୍ଟ ଭାବେ ଦର୍ଶାଉଥିଲା ଯେ, ରାଜ୍ୟରେ ବିଜେପି ତାର ଶକ୍ତି ଏକାଠି କରୁଛି । ଉଭୟ ବିଜେଡି ଓ କଂଗ୍ରେସ ନିଜ ନିଜ ଭୋଟ ହରାଇଥିବା ବେଳେ ବିଜେପି ଆଗକୁ ବଢିବାରେ ସମର୍ଥ ହୋଇଥିଲା । ଏହାକୁ ଆଖି ଆଗରେ ରଖି ବିଜେଡି କିଛି ବଡ ଧରଣର ଯୋଜନା କରୁଛି କି? ଯାହାର ଅଂଶ ସ୍ୱରୁପ ଡାକ୍ତର ଦାମୋଦର ରାଉତ ଦେଇଛନ୍ତି କଂଗ୍ରେସ ସହ ମେଂଟ ବୟାନ୍ ।
ଅତୀତରେ ବିହାରରେ ବିଜେପିକୁ ଅଟକାଇବାକୁ ଆରଜେଡି-ଜେଡିୟୁଓ କଂଗ୍ରେସ ଏକାଠି ହୋଇଥିଲେ । ଉଦ୍ଦେଶ୍ୟ ଥିଲା ସାମ୍ପ୍ରଦାୟିକ ଶକ୍ତିକୁ ଅଟକାଇବା । ଆଉ ଏହି ମହାମେଂଟ କ୍ଷମତାକୁ ବି ଆସିଲା । ହେଲେ ମହାମେଂଟକୁ ବଂଚାଇ ରଖାଯାଇପାରିଲାନି । ଉତ୍ତରପ୍ରଦେଶ ନିର୍ବାଚନରେ ମହାମେଂଟର ପରିକଳ୍ପନା କରାଯାଇଥିଲା । ହେଲେ ଏହା ବାସ୍ତବତାର ରୁପ ନେଲାଇନାହିଁ । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେତାମାନେ ସ୍ୱୀକାର ମଧ୍ୟ କରିଥିଲେ । ଯଦି ମହାମେଂଟ ଗଠନ ହୋଇଥାନ୍ତା ତେବେ ବିଜେପି ଜିତିପାରିନଥାନ୍ତା । ତେଣୁ ମହାମେଂଟର ପରିକଳ୍ପନାର ଅଂଶସ୍ୱରୁପ ଆଗାମୀ ଦିନରେ କଂଗ୍ରେସ ଯେ ବିଜେଡି ପାଖକୁ ନଯିବ, ଏହାକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ ।
ଏବେ ଆସିବା ଜାତୀୟ ସ୍ତରରେ ଚାଲିଥିବା ମହାମେଂଟ ପରିକଳ୍ପନାର ପ୍ରସଙ୍ଗକୁ । ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଭାବେ ଦାୟିତ୍ୱ ପାଇବା ପରେ ସୋନିଆ ଗାନ୍ଧୀ ୟୁପିଏ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ । ସୋନିଆଙ୍କର ମେଂଟ ରାଜନୀତିରେ ଅଭିଜ୍ଞତା ବି ଢେର । ୧୦ ବର୍ଷ ଧରି ୟୁପିଏ କ୍ଷମତାସୀନ ଥିଲା । ଆଉ ମେଂଟ ରାଜନୀତିରେ ସଫଳତାର ସହ ଗୋଟିଚାଳନା କରିଥିଲେ ସୋନିଆ ଗାନ୍ଧୀ । ତେଣୁ ଆଗାମୀ ଦିନରେ ମୋଦି ବନାମ ମହାମେଂଟର ଚାଲିଥିବା ପରିକଳ୍ପନା ବାସ୍ତବତାର ରୁପ ନେଇପାରେ । ଆଉ ସେହି ସମୟରେ ଅଣ ସାମ୍ପ୍ରଦାୟିକ ଦଳଙ୍କୁ ଏକାଠି ହେବାକୁ ଜାତୀୟ ସ୍ତରରୁ ଆହ୍ୱାନ ଉଠିପାରେ । ଆଉ ସେଭଳି ସ୍ଥଳେ ବିଜେଡିର ଆଭିମୁଖ୍ୟ କଣ ରହିବ । ବିଜେଡି ସେହି ସମୟରେ କଂଗ୍ରେସ ସହ ଯାଇ ୟୁପିଏର ଅଂଶୀଦାର ହେବ କି ନାହିଁ, ତାହା ହେବ ସବୁଠାରୁ ବଡ ନିଷ୍ପତ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେଡି ଆବଶ୍ୟକତା ଠାରୁ ଅଧିକ ବିଚଳିତ ହୋଇଛି । ହୁଏତ ଦଳ ଚିନ୍ତା କରୁଛି, ଆଗାମୀ ଦିନରେ ବିଜେପିକୁ ଏକାକି ଟକ୍କର ଦେବାକୁ ଦଳ ସକ୍ଷମ ନୁହେଁ, ତେଣୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ । ଫଳସ୍ୱରୁପ ବିଜେଡିର ନେତାମାନେ ଏଭଳି ବୟାନମାନ ରଖୁଛନ୍ତି । ଯାହା ତୃଣମୁଳ ସ୍ତରରେ କର୍ମୀଙ୍କ ଦ୍ୱନ୍ଦ୍ୱରେ ପକାଇପାରେ । ଆଜିର ଦିନରେ ବିଜେଡି ପାଇଁ ବଡ ବିପଦ ପ୍ରତିପକ୍ଷ ନୁହେଁ, ବରଂ ନିଜ ଦଳରେ ଚାଲିଥିବା ଅନ୍ତଃକନ୍ଦଳ । ଅର୍ଥାତ୍ ନିଜ ଦଳରେ ନେତାମାନେ ଯେଉଁ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି, ତାହା ଆଗାମୀ ଦିନରେ ଦଳକୁ ଅଡୁଆରେ ପକାଇପାରେ ।
ତେବେ ପ୍ରଶ୍ୱ ଉଠୁଛି, ଯଦି କଂଗ୍ରେସ ଓ ବିଜେଡି ମଧ୍ୟରେ ବୁଝାମଣା ହୁଏ ତେବେ ଓଡିଶାରେ ଭୋଟର ଏହାକୁ କିଭଳି ଗ୍ରହଣ କରିବେ? ୨୦୦୦ ମସିହାରେ ଯେତେବେଳେ ବିଜେଡି-ବିଜେପି ମେଂଟ କ୍ଷମତାକୁ ଆସିଥିଲେ, ସେତେବେଳେ ଭୋଟରଙ୍କ କଂଗ୍ରେସ ବିରୋଧୀ ଆଭିମୁଖ୍ୟ ଭୋଟରେ ପ୍ରତିଫଳିତ ହୋଇଥିଲା । ଦୁଇ ଦୁଇ ଥର ମେଂଟ ସରକାର କ୍ଷମତାକୁ ଆସିଲା । ଆଉ ଏହାପରେ ବିଜେଡି ଏକାକି ଦୁଇ ଦୁଇ ଥର ଶାସନ ଗାଦିକୁ ଆସିଛି । ଯଦି କଂଗ୍ରେସ ଓ ବିଜେଡି ମଧ୍ୟରେ ମେଂଟ ହୁଏ ତେବେ ଏହା ଦଳ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ହୋଇପାରେ ।
ତେବେ ବିବାଦ ପରେ ମଙ୍ଗଳବାର ଦାମ ବାବୁ କହିଛନ୍ତି, ତାଙ୍କ କଥାର ଅର୍ଥକୁ ଅନର୍ଥ କରାଯାଇଛି । ବିଜେଡି ଏକାକୀ ଲଢିବ ଆଉ ୧୨୫ ଆସନରେ ଜିତିବ । ବିଜୁ ଜନତା ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ । ସୁର୍ଯ୍ୟପାତ୍ର କହିଛନ୍ତି, ଦାମ ବାବୁଙ୍କ କଥା ସହଜରେ ହଜମ ହେଉନାହିଁ । କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ।
ତେବେ ସ୍ଥିତି ଯାହା ହେଉ ନା କାହିଁକି, ଦାମ ବାବୁ ଏକ ଗୁଢ ରହସ୍ୟ ସାମ୍ନାକୁ ଆଣିଛନ୍ତି । ତେବେ ଏହାକୁ ଠିକ ବାହୁବଳୀର ସେହି ଦୃଶ୍ୟ ସହ ତୁଳନା କରାଯାଇପାରେ । ଯେଉଁଠି ହାତ ଉପରେ ଛୋଟ ଶିଶୁଟି ବଂଚି ରହିଥିଲା । ଆଉ ଦାମ ବାବୁଙ୍କ ଅନୁସାରେ, ଆଗାମୀ ଦିନରେ ହାତ ସାହାରାରେ ଶଙ୍ଖ ନିଜ ସ୍ଥିତି ବଜାୟ ରଖିବାକୁ ଉଦ୍ୟମ କରିବ । ସେଠି ମାହେସ୍ମତୀ ସାମ୍ରାଜ୍ୟର ଉଦ୍ଧାର ପାଇଁ ଶିବଗାମୀ ଉଦ୍ୟମ କରିଥିଲେ । ଆଉ ଓଡିଶାରେ ସାମ୍ପ୍ରଦାୟିକ ଶକ୍ତି ବିଜେପିକୁ ରୋକିବାକୁ କେଉଁ ସ୍ତରରେ ଉଦ୍ୟମ ଆରମ୍ଭ ହେଉଛି, ତାଉପରେ ନଜର । ସେତେବେଳେ କଣ ଏହି ନାରା ଦିଆଯିବ, ବିଜେଡିକୋ ହାଥ୍ ପସନ୍ଦ ହେ, ଓଡିଶାକୋ ୟେ ସାଥ୍ ପସନ୍ଦ ହେ ।