ମହିଳା ପୁରୁଷ ପ୍ରତ୍ୟେକ ମନ୍ଦିରକୁ ଯାଇ ଭଗବାନଙ୍କ ପୂଜାର୍ଚ୍ଚନା କରିବା ଆମେ ଦେଖିଛେ । ହେଲେ ରେଳ ଟ୍ରାକକୁ ଦୈନିକ ପୂଜା କରିବା ଘଟଣା ବୋଧ ହୁଏ କେଉଁଠି ଦେଖାଯାଏନାହିଁ । ବିହାରର ଦୁଇ ଗ୍ରାମବାସୀ ଏହି ପୂଜା କରି ପ୍ରଶାସନକୁ ସେମାନଙ୍କର ଅସୁବିଧା ସଂପର୍କରେ ଅବଗତ କରାଇବାର ଉଦ୍ୟମ କରୁଥିଲେ ମଧ୍ୟ ଏହା ଫଳପ୍ରଦ ହେଉନାହିଁ ।
ପାଟନାଠାରୁ ୫୫କି.ମି ଦୂର ଅଥମଲଗୋଲା ଅଂଚଳରେ ଥିବା ଦୁଇଟି ଗ୍ରାମ ହେଉଛି ମିଲକିଚକ୍ ଏବଂ ସଖରପୁର । ଏହି ଦୁଇ ଗ୍ରାମ ମଝିରେ ପାଟନା-କୋଲକାତା ମେନ୍ ରେଳଲାଇନ ଯାଇଛି । ବହୁବର୍ଷ ତଳେ ଏଠାରେ ଏକ ରେଳ ଫାଟକ ଥିଲା । କିନ୍ତୁ ଗତ କିଛି ବର୍ଷ ଧରି ଏହି ଫାଟକଟି ବନ୍ଦ ପଡିଛି । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ପାଇଁ ମାନବରହିତ ଏହି ଟ୍ରାକ୍ ଦେଇ ଲୋକଙ୍କୁ ଯିବାକୁ ପଡିଥାଏ । ଛୋଟପିଲା ମାନେ ମଧ୍ୟ ଏହି ରାସ୍ତା ଦେଇ ଯିବାକୁ ବାଧ୍ୟ ହୋଇଥାନ୍ତି । ପ୍ରତିବର୍ଷ ରେଳ ଦୁର୍ଘଟଣାରେ ୪/୫ ଜଣଙ୍କର ମୃତ୍ୟୁ ହେଉଥିବା ଦେଖାଯାଏ । ଏହାକୁ ଦୃଷ୍ଟିରେ ରଖି ଗ୍ରାମର ମହିଳାମାନେ ନିୟମିତ ଗ୍ରାମରେ ତଥା ପରିବାରରେ ଯେଭଳି କୈାଣସି ରେଳକୁ ନେଇ ଅଘଟଣ ନଘଟେ, ସେଥିପାଇଁ ପୂଜାର୍ଚ୍ଚନା କରିଥାନ୍ତି ।
ଗ୍ରାମବାସୀଙ୍କ କହିବାନୁସାରେ ବାରମ୍ବାର ଏଠାରେ ଏକ ରେଳ ଫାଟକ ଲଗାଇବା ପାଇଁ ଆମେ ପ୍ରଶାସନ ଓ ରେଳ ବିଭାଗ ନିକଟରେ ଦାବି କରି ଆସୁଥିବା ବେଳେ କେହି ଶୁଣିନାହାଁନ୍ତି ।