ନା ଅଛି ଟଙ୍କା, ନା ଅଛି ଗାଡିଘୋଡା… ବିନା ମୋବାଇଲରେ, ଛିଣ୍ଡା ଚପଲରେ ଚାଲିଚାଲି ଗାଁ ଗାଁ ପ୍ରଚାର କରୁଛନ୍ତି ଭରତ । ବାଲେଶ୍ୱରର ବେଣୁ ମଉସାଙ୍କ ପରି ସାମ୍ନାକୁ ଆସିଲା ଆଉ ଏକ କାହାଣୀ । ଭୋଟ ବେଳେ ଦେଶ ଦେଖୁଛି ଦୁଇ ଦରିଦ୍ର ପ୍ରାର୍ଥୀଙ୍କ ପ୍ରଚାର ।

239

କନକ ବ୍ୟୁରୋ: ନିର୍ବାଚନ କଥା ଉଠିଲେ ମନକୁ ଆସେ ପୁଳା ପୁଳା ଟଙ୍କା, ଅମାପ ଅର୍ଥବଳ, ବାହୁବଳ, ଆଉ ହାଇଟେକ ପ୍ରଚାର କଥା । ବିନା ଟଙ୍କାରେ ନିର୍ବାଚନ ଲଢିବା କଥା ଭାବିବା ଭୁଲ । ହଁ ଆପଣ କହିପାରିବେ ପୂର୍ବରୁ ଲୋକେ ବିନା ଟଙ୍କାରେ ଜିତୁଥିଲେ । ମଧୁର ବଚନ, ବଳିଷ୍ଠ ବ୍ୟକ୍ତିତ୍ୱକୁ ଦେଖି ଲୋକେ ନେତାଙ୍କ ନାଁରେ ଭୋଟ ବାଡେଇ ଦେଉଥିଲେ । କିନ୍ତୁ ଆଜିର ଦିନରେ ଯଦି ଅର୍ଥବଳ କି ବାହୁବଳ ନାହିଁ ତେବେ ନିର୍ବାଚନୀ ବୈତରଣୀ ପାର ହେବା କାଠିକର ପାଠ । ଏଠି ପ୍ରଶ୍ନ ଉଠେ ଗରିବଟିଏ କଣ ନିର୍ବାଚନ ଲଢି ପାରିବନି ? ଲୋକଙ୍କ ସ୍ୱାର୍ଥ ଓ ସମାଜର ପରିବର୍ତ୍ତନ ପାଇଁ ସେ କଣ ସାମ୍ନାକୁ ଆସିପାରିବନି? ଯେଉଁମାନଙ୍କର ଦଳ ଅଛି, ଯେଉଁମାନଙ୍କର ଅଚଳା ଅଚଳ ସମ୍ପତ୍ତି ରହିଛି ସେମାନେ କଣ ଏକା ପ୍ରାର୍ଥୀ ହୋଇପାରିବେ? ନା, ଏକଥାକୁ ଭୁଲ ପ୍ରମାଣିତ କରିବାକୁ ଆଗେଇ ଆସିଛନ୍ତି ଏମାନେ ।

ଆପଣଙ୍କ ସାମ୍ନାରେ ଏବେ ଦୁଇଟି ଚିତ୍ର । ଗୋଟିଏ ବାଲେଶ୍ୱରର ଅନ୍ୟଟି ବିହାରର । 

ଜଣଙ୍କୁ ଛୁଇଁଲାଣି ୯୦ ଅନ୍ୟ ଜଣଙ୍କୁ ୭୨ । ଦୁଇଜଣଙ୍କ ଭିତରେ ସାମାନ୍ୟତମ ଫରକ ରହିଛି । ବେଣୁ ମଉସା ଗାମୁଛାଟିଏ ପିନ୍ଧି ଭଙ୍ଗା ସାଇକେଲରେ ପ୍ରଚାର କରୁଛନ୍ତି ଆଉ ବିହାରର ଭରତ ଛିଣ୍ଡା ଚପଲରେ ଚାଲି ଚାଲି ଲୋକଙ୍କୁ ଭୋଟ ମାଗୁଛନ୍ତି । ବୟସର ଅପରାହ୍ଣରେ ବି ସମାଜର ବିକାଶ ପାଇଁ ଏମାନେ ଅଣ୍ଟା ଭିଡିଛନ୍ତି । ଦାରିଦ୍ରତାର ଦାଣ୍ଡରେ ଛିଡା ହୋଇ ବି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । କାରଣ ଏମାନଙ୍କର ଗୋଟିଏ ଲକ୍ଷ୍ୟ ଦେଶ ପାଇଁ କିଛି କରିବା, ଜାତି ପାଇଁ କିଛି କରିବା ସର୍ବୋପରି ନିଜ ଅଞ୍ଚଳର ସମସ୍ୟା ଦୂର କରିବା ।

ବାଲେଶ୍ୱର ବେଣୁ ମଉସାଙ୍କ ପରି ବିହାରର ଭରତ ମହତୋ ଏବେ ଚର୍ଚ୍ଚାରେ ରହିଛନ୍ତି । ଗରିବର ଗଳିରେ ବଢିଥିବା ଭରତ ଦାରିଦ୍ରତାର କଷାଘାତ ସତ୍ୱେ ସମାଜର ପରିବର୍ତ୍ତନ ପାଇଁ ଗୋଡ କାଢିଛନ୍ତି । ନା ତାଙ୍କ ପାଖେ ଅଛି ଖଣ୍ଡେ ମୋବାଇଲ, ନା ପିନ୍ଧିବାକୁ ଚପଲ । ଛିଡା ପଟି ତପଲରେ ଚାଲି ଚାଲି ସେ ଭୋଟ ଭିକ୍ଷା କରୁଛନ୍ତି । ବିହାର ଲଖିସରାୟ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ଛିଡା ହୋଇଥିବା ଭରତ । କେବଳ ଏଥର ନୁହେଁ ପୂର୍ବରୁ ଅନେକ ଥର ମଧ୍ୟ ସେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇ ଆସିଛନ୍ତି । ମାତ୍ର ପାଖରେ ଦଳ, ବଳ ନଥିବାରୁ ସେ ସବୁଥର ପରାଜିତ ହୋଇଛନ୍ତି । ତେବେ ଏଥର ବିଧାୟକ ପ୍ରାର୍ଥୀ ହୋଇ ବୁଢା ବୟସରେ ବ୍ୟାଟେଲ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ।

ଗରିବର କୁଡିଆରେ ରହୁଥିବା ଭରତ ଝିଅ ବାହାଘର ପାଇଁ କରିଥିବା କରଜ ଏଯାଏଁ ସୁଝିପାରି ନାହାନ୍ତି । ଦୁଇ ପୁଅ ବାହାରେ ଏକ କମ୍ପାନୀରେ ଖଟି ଘର ଚଳାଉଛନ୍ତି ଆଉ ଏତିକି ବେଳେ କିଛି ପରିବର୍ତ୍ତନ ଆଶାରେ ପୁଣି ପ୍ରାର୍ଥୀ ହୋଇଛନ୍ତି ଭରତ । ଆଉ ଛିଣ୍ଡା ଚପଲରେ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ।

ଏପଟେ ଯଦି ଓଡିଶା କଥା ଦେଖିବା ତାହାଲେ ଗତ କିଛି ଦିନ ହେବ ସେନସେସନ ପାଲଟିଛନ୍ତି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ସବୁଠାରୁ ବୟସ୍କ ପ୍ରାର୍ଥୀ ବେଣୁଧର ବାରିକ । ୯୦ ବର୍ଷ ବୟସରେ ଲୋକଙ୍କ ହକ ପାଇଁ ବସ୍ତି ବାସିନ୍ଦାଙ୍କ ସ୍ୱର ସାଜିବାକୁ ନଇଁପଡିଥିବା ଅଣ୍ଟାକୁ ସିଧା କରିଛନ୍ତି ବେଣୁଧର । ପେଶାରେ ବାରିକ ହୋଇଥିବାରୁ ଖୁର, କଇଁଚି ଧରି ଲୋକଙ୍କୁ ଖିଅର କରୁଥୁବା ବେଣୁଧର ସକାଳେ ନିଜ ବେଉସା ସାରି ଭଙ୍ଗା ସାଇକେଲ ଖଣ୍ଡେ ଧରି ପ୍ରଚାର ପାଇଁ ବାହାରି ଯାଆନ୍ତି । ତେବେ ଗରିବ ହୋଇଥିବାରୁ ପାଖରେ ଫୁଟି କଉଡିଟିଏ ନାହିଁ ତେଣୁ ଏକାଏକା ନିଜ ପାଇଁ ପ୍ରଚାର କରୁଛନ୍ତି ବେଣୁ । ମାତ୍ର ମଉସାଙ୍କ ଏଭଳି ଜୋସ ଦେଖିବା ପରେ ସୋସିଆଲ ମିଡିଆରେ ତାଙ୍କ ବିଷୟରେ ପ୍ରଚାର ହେବା ପରେ ଏବେ ଅନେକ ଯୁବପିଢିଙ୍କ ସହ ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ପାଇଁ ମାଗଣରେ ପ୍ରଚାର କରିବେ ବୋଲି ବାହାରିଛନ୍ତି ।

ତେବେ ଯେଉଁ ବୟସରେ ଲୋକେ ବିଶ୍ରାମ ନେବା କଥା, ରୋଗ ବିଛଣାରେ ପଡି ଥୁରୁଥୁରୁ ଦେହରେ ଘରେ ରହିବା କଥା ସେହି ବୟସରେ ଏ ଦୁଇ ବୃଦ୍ଧ ସମାଜ ପାଇଁ ଲଢେଇ କରୁଛନ୍ତି । ନିର୍ବାଚନରେ ଏ ଦୁଇ ଜଣ ଜିତନ୍ତୁ ବା ହାରନ୍ତୁ ତାହା ତ ସମୟ କହିବ ହେଲେ ଏ ବୟସରେ ଏମିତି ସାହସ ପାଇଁ ଏମାନେ ସବୁଦିନ ଲୋକଙ୍କ ମନରେ ଜିତି କି ହିଁ ରହିବେ ।