ଭାରତୀୟ ଡାକ ସପ୍ତାହ ଅବସରରେ ଆଜି ସାରାଦେଶରେ ଚିଠିପତ୍ର ଦିବସ ପାଳିତ

126

କନକ ବ୍ୟୁରୋ : ଚିଠି! ଦିନ ଥିଲା ଏହି ଶବ୍ଦ ଶୁଣିବା ମାତ୍ରେ ମନରେ ଶିହରଣ ଖେଳି ଯାଉଥିଲା । ଦୁଇଟି ମଣିଷ ମଧ୍ୟରେ ସେତୁ ପାଲଟିଥିଲା ଚିଠି । ବିଜ୍ଞାନର ଉନ୍ନତି ସହ ଆଜି ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଇମେଲ, ମେସେଜିଂ ଆପ୍, ସୋସିଆଲ ମିଡିଆ ଆଦି ଯୋଗାଯୋଗର ବଳିଷ୍ଠ ମାଧ୍ୟମ ହୋଇଛି । ଏହି ବିବର୍ତ୍ତନ ଭିତରେ ଭାରତୀୟ ଡାକ ସେବା ମଧ୍ୟ ସମୟ ସହ ତାଳ ଦେଇ ତା’ର ଢାଂଚା ଓ ଆଭିମୁଖ୍ୟ ବଦଳାଇଛି । ବ୍ୟକ୍ତିଗତ ଭାବର ଆଦାନପ୍ରଦାନରେ ହୁଏତ ଭାରତୀୟ ଡାକ ପଛକୁ ଚାଲିଯାଇଛି । ହେଲେ ଭାରତୀୟ ଡାକ ଜରିଆରେ କର୍ପୋରେଟ୍ ଚିଠିପତ୍ର ବିନିମୟ ବୃଦ୍ଧି ପାଇଛି । ଭାରତୀୟ ଡାକ ସପ୍ତାହ ଅବସରରେ ଆଜି ସାରାଦେଶରେ ପାଳନ ହେଉଛି ଚିଠିପତ୍ର ଦିବସ ।

ଚିଠି, ବ୍ୟକ୍ତିକୁ ବ୍ୟକ୍ତି ମଧ୍ୟରେ ବାନ୍ଧି ରଖିଥାଏ ଏହି ଦୁଇଟି ଅକ୍ଷର । ଆଉ ଭାରତୀୟ ଡାକ ସେବା ସାରା ଦେଶର ଜୀବନ ଧାରା । ସମୟ ବଦଳିବା ସହ ଏବେ ବଦଳିଯାଇଛି ଯୋଗାଯୋଗର ମାଧ୍ୟମ । ଚିଠି ବଦଳରେ ଇଂଟରନେଟରେ ଇମେଲ, ମେସେଜିଂ ଆପ୍, ସୋସିଆଲ ମିଡିଆରେ ତ୍ୱରିତ ବାର୍ତା ପଠାଉଛନ୍ତି ଲୋକ । ହେଲେ ଏବେ ବି ଡାକସେବା ନିଜ ସ୍ଥିତି ବଜାୟ ରଖିପାରିଛି । ପରିସ୍ଥିତି ସହ ତାଳ ଦେଇ ଆଜି ମଧ୍ୟ ଯୋଗଯୋଗର ଅନ୍ୟତମ ବଡ଼ ମାଧ୍ୟମ ଭାବେ ପ୍ରତିଷ୍ଠା କରିପାରିଛି ଭାରତୀୟ ଡାକ ସେବା । ବ୍ୟକ୍ତିଗତ ସ୍ତରରେ ଚିଠି ପତ୍ର ଆଦାନପ୍ରଦାନ ହ୍ରାସ ପାଇଥିଲେ ବି ବିଜିନେସ ଏବଂ କର୍ପୋରେଟ୍ ଚିଠି ଆଦାନପ୍ରଦାନ ବୃଦ୍ଧି ପାଇଥିବା କହିଛନ୍ତି ଓଡ଼ିଶାର ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ।

ଯୋଗାଯୋଗର ବିକାଶ ପରେ ଭାରତୀୟ ଡାକ ସେବା ପରିବର୍ତନ କରିଛି ତାର ଆଭିମୁଖ୍ୟ । ଏବେ ବ୍ୟାକିଂ ସେବା ଯୋଗାଇ ଦେଉଛି ପୋଷ୍ଟ ଅଫିସ । ଇ-ପୋଷ୍ଟ, ଇ-ମନିଅର୍ଡର ଜରିଆରେ ଗ୍ରାହକଙ୍କ ଚାହିଦା ମେଂଟାଉଛି ବିଭାଗ । ଆଜି ବି ସ୍ପିଡ୍ ପୋଷ୍ଟ ସବୁଠାରୁ ଅଧିକ ପ୍ରଭାବଶାଳୀ ମାଧ୍ୟମ ହୋଇଛି । ବିଶ୍ୱସନୀୟତାରେ ଏହା ସୁବୁଠୁ ଆଗରେ । ଇ-କମର୍ସ କ୍ଷେତ୍ରରେ ମଧ୍ୟ ଅନନ୍ୟ ଅବଦାନ ରହିଛି ଡାକସେବାର ।

୧୬୩ ବର୍ଷ ଧରି ସେବା ଯୋଗାଇଆସୁଛି ଦେଶର ଏହି ସବୁଠୁ ବଡ଼ ନେଟୱର୍କ । ପ୍ରାୟ ସାଢେ ୪ ଲକ୍ଷ କର୍ମଚାରୀ ଦେଢ ଲକ୍ଷରୁ ଅଧିକ ପୋଷ୍ଟ ଅଫିସ ଜରିଆରେ ସେବା ଯୋଗାଇ ଆସୁଛନ୍ତି । ଗ୍ରାମାଂଚଳର ପ୍ରାୟ ୯୦ ପ୍ରତିଶତ ଅଂଚଳକୁ ଛୁଇଁପାରିଛି ଭାରତୀୟ ଡାକ ।