ଜମା କମିଲେ ଜରିମାନା : ଆକାଉଂଟରେ ସର୍ବନିମ୍ନ ଟଙ୍କା ଜମା ନେଇ ଏସବିଆଇ ଗାଇଡ ଲାଇନ

59

କନକ ବ୍ୟୁରୋ : ଏଣିକି ଏସବିଆଇ ଖାତାରେ ସର୍ବନିମ୍ନ ଜମା ନରଖିଲେ ଦେବାକୁ ପଡିବ ଜରିମାନା । ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ଜମାକୁ ନେଇ କଠୋର ହୋଇଛି । ଯେଉଁ ଗ୍ରାହକମାନେ ସେମାନଙ୍କ ସଂଚୟ ଖାତାରେ ମାସିକ ହାରାହାରି ଜମା ନରଖିବେ ସେମାନଙ୍କଠାରୁ ବ୍ୟାଙ୍କ ଜରିମାନା ଆଦାୟ କରିବ । ସର୍ବନିମ୍ନ ଜମାକୁ ନେଇ ନୁଆ ନିୟମ ଏପ୍ରିଲ ୧ତାରିଖରୁ ଲାଗୁ ହେବ ।

ସଂଚୟ ଖାତା ପରିଚାଳନା ପାଇଁ ଯେଉଁ ଅର୍ଥ ବ୍ୟାଙ୍କକୁ ବହନ କରିବାକୁ ପଡୁଛି ତାହାର କିଛି ଅଂଶ ଉଠାଇବା ଲାଗି ବ୍ୟାଙ୍କ ଏହି ନିୟମ ଲାଗୁ କରିବ । ପୂର୍ବରୁ ଏସବିଆଇ ଏହି ନିୟମକୁ କାର୍ଯ୍ୟକାରୀ କରୁଥିଲା । କିନ୍ତୁ ଗ୍ରାହକ ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ୨୦୧୨ ଜୁଲାଇରେ ଏହି ନିୟମକୁ ଉଠାଇ ଦେଇଥିଲେ । ଏବେ ପୁଣି ଏହି ନିୟମ କାର୍ଯ୍ୟକାରୀ ହେବ ।

ଏସବିଆଇର ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ମେଟ୍ରୋ ସହରରେ ଗ୍ରାହକଙ୍କ ଖାତାରେ ମାସକୁ ସର୍ବନିମ୍ନ ୫ହଜାର ଟଙ୍କା ରହିବା ଦରକାର । ସହରାଂଚଳ ଗ୍ରାହକଙ୍କ ଖାତାରେ ୩ହଜାର ଟଙ୍କା ଓ ଅର୍ଧ ସହରାଂଚଳ ଗ୍ରାହକଙ୍କ ଖାତାରେ ୨ହଜାର ଟଙ୍କା ସର୍ବନିମ୍ନ ରହିବା ଦରକାର । ଗ୍ରାମାଂଚଳର ଗ୍ରାହକଙ୍କ ପାଇଁ ଏହି ସୀମାକୁ ୧ହଜାର ରଖାଯାଇଛି । କୌଣସି ମାସରେ ଯଦି ସର୍ବନିମ୍ନ ଜମା ରାଶି ଧାର୍ଯ୍ୟ ସୀମା ଠାରୁ ତଳକୁ ଖସିଲେ ଗ୍ରାହକଙ୍କୁ ଜରିମାନ ସହ ସେବା କର ଗଣିବାକୁ ପଡିବ । ସର୍ବନିମ୍ନ ସୀମାଠାରୁ ଜମା ପରିମାଣ କେତେ ତଳକୁ ଖସିଛି ସେହି ଅନୁସାରେ ଜରିମାନାର ପରିମାଣ ଧାର୍ଯ୍ୟ କରାଯିବ ।

ମେଟ୍ରୋ ସହରରେ ଜରିମାନାର ପରିମାଣ ୫୦ରୁ ୧୦୦ଟଙ୍କା ଓ ଗ୍ରାମାଂଚଳରେ ୨୦ରୁ ୫୦ଟଙ୍କା ସହ ସେବା କର ଆଦାୟ କରାଯିବ । ସର୍ବନିମ୍ନ ଜମାର ଧାର୍ଯ୍ୟ ସୀମାଠାରୁ ୫୦ପ୍ରତିଶତ, ୫୦ରୁ ୭୫ପ୍ରତିଶତ ଓ ୭୫ପ୍ରତିଶତ ପର୍ଯ୍ୟନ୍ତ ଜମାରାଶି କମ ହେଲେ ସେହି ଅନୁସାରେ ଜରିମାନାର ପରିମାଣ କମ କିମ୍ବା ଅଧିକ ହେବ । ମେଟ୍ରୋ ସହରରେ ଥିବା ସଂଚୟ ଖାତାରେ ଯଦି ଗ୍ରାହକଙ୍କ ଜମା ରାଶି ୫ହଜାର ଟଂକା ଠାରୁ ୫୦ ପ୍ରତିଶତ କମିଯିବ ତେବେ ୫୦ଟଙ୍କାର ଜରିମାନା ସହିତ ସେବା କର ଆଦାୟ କରାଯିବ ।

ଏସବିଆଇରେ ଏବେ ୨୫କୋଟି ସଂଚୟ ଖାତା ରହିଛି । ବିମୁଦ୍ରାକରଣ ପରେ ବହୁ ସଂଖ୍ୟକ ଖାତା ଖୋଲାଯାଇଛି । ଏହି ସବୁ ଖାତା ଗୁଡିକୁ ପରିଚାଳନା କରିବା ବାବଦରେ ବ୍ୟାଙ୍କକୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଏହାସହ ସଂଚୟ ଖାତାରୁ ଟଙ୍କା ଉଠାଣକୁ ନିରୁତ୍ସାହତି କରିବା ପାଇଁ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଉଛି  ।