କ୍ଷମତା ଯୁଦ୍ଧର କ୍ଷତାକ୍ତ ଚରିତ୍ର ! କଣ ଘଟିଥିଲା ଶହୀଦନଗରରେ?

51

vlcsnap-2017-03-20-00h06m56s176କନକ ବ୍ୟୁରୋ : ମେ ୨୯, ୨୦୧୨ । ହଠାତ ରାଜ୍ୟ ରାଜନୀତି ହୋଇ ଉଠିଥିଲା ସରଗରମ । ଶହୀଦନଗରରେ ଗହଳି ବଢିଲା । ପ୍ୟାରୀମୋହନଙ୍କ ଘର ସାମ୍ନାରେ ଲୋକଙ୍କ ଭିଡ ଜମିଲା । ଅଭିଯୋଗ ଆସିଲା, କ୍ଷମତା ଅପହରଣ ପାଇଁ ପ୍ୟାରୀଙ୍କ ଘରେ ଚାଲିଛି ଷଡଯନ୍ତ୍ର । ଗଣମାଧ୍ୟମରେ ବ୍ରେକିଂ ନ୍ୟୁଜ ଆସିବା କ୍ଷଣି ହଟଚମଟ ଆରମ୍ଭ ହୋଇଗଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଭୁବନେଶ୍ୱରରେ ନଥାନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ୨୦୦୦ ମସିହାରେ ଦାୟିତ୍ୱ ନେବାପରେ ପ୍ରଥମ ଥର ପାଇଁ ଯାଇଥାନ୍ତି ବିଦେଶ । ଆଉ ଠିକ ଏତିକି ବେଳେ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନଙ୍କ ଘରେ ନେତାଙ୍କ ଭିଡ ଜମିବା ସହ ସାଧା କାଗଜରେ ବିଧାୟକଙ୍କ ଦସ୍ତଖତ ନେବାର ଅଭିଯୋଗ ଆସିଲା । ଶହୀଦନଗର ଏ/୧୧୧ ଅର୍ଥାତ ପ୍ୟାରୀଙ୍କ ବାସଭବନକୁ ଜଣେ ପରେ ଜଣେ ବିଧାୟକ, ମନ୍ତ୍ରୀ ନେତା ଛୁଟୁଥାନ୍ତି । ବିଜେଡି ରାଜନୀତିରେ ଏହା ଥିଲା ଘଡିସନ୍ଧିର ମୁହୁର୍ତ୍ତ । ଗୋଟିଏ ପଟେ ଥିଲେ ଦଳର ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କ କ୍ୟାମ୍ପ ଆଉ ଅନ୍ୟପଟେ ଥିଲେ ନବୀନ ଗୋଷ୍ଠୀ ।

କଥା ଏତିକିରେ ସରିନଥିଲା, ସରକାର ଗଠନ ପାଇଁ କୁଆଡେ ପ୍ୟାରୀବାବୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିସାରିଥିବା ନେଇ କୁହାଗଲା । ସଂଖ୍ୟା ଯୋଗାଡ ସରିଥିଲା, ରାଜ୍ୟପାଳଙ୍କ ଠାରୁ ସମୟ ମଧ୍ୟ ନେଇଥିବା କୁହାଗଲା । ଏପରିକି ବିଧାୟକଙ୍କ ରହଣି ପାଇଁ ଭୁବନେଶ୍ୱରର ତାରକା ହୋଟେଲରେ ବ୍ୟବସ୍ଥା କରାଯାଇଥିଲା । ଅର୍ଥାତ ଲଗାତର ୩ ଥର କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକଙ୍କୁ ସେହି ସମୟରେ କ୍ଷମତାଚ୍ୟୁତ କରିବାକୁ ତମାମ ରଣନୀତି ପ୍ୟାରୀ କରିସାରିଥିବାର ଅଭିଯୋଗ ବି ହେଲା ।

ସେପଟେ ନବୀନ ଗୋଷ୍ଠୀ ମଧ୍ୟ ସ୍ଥିତିର ମୁକାବିଲା କରିବା ପାଇଁ ଅଂଟା ଭିଡିଥିଲେ । ନବୀନ ନିବାସରେ ଏକାଠି ହୋଇଥିଲେ କିଛୀ ବରିଷ୍ଠ ମନ୍ତ୍ରୀ , ବିଧାୟକ ଆଉ ନେତା । କ୍ଷମତା ରାଜନୀତିର ଏ ଲଢେଇ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ମୋଡ ନେଉଥିଲା । କିଛି ବରିଷ୍ଠ ନେତା ନବୀନଙ୍କ ସହ ଟେଲିଫୋନରେ କଥା ହେଉଥିଲେ, କିଭଳି ସରକାର ବଂଚି ରହିବ ଆଉ ପ୍ୟରୀଙ୍କ ଗୋଟିଚାଳନା ଫେଲମାରିବ । ଗଣମାଧ୍ୟମରେ ରିପୋର୍ଟ ଆସିଲା, ନିଜେ ନବୀନ ଲଣ୍ଡନରୁ ପ୍ୟାରୀଙ୍କ ସହ କଥା ବି ହୋଇଥିଲେ । ଯଦିଓ କଥାବାର୍ତ୍ତାର ବିଷୟବସ୍ତୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସିଥିଲା ତେବେ କୁହାଗଲା, ପ୍ୟାରୀ କୁଆଡେ ନବୀନଙ୍କୁ କ୍ଷମତା ଛଡାଇ ନେବାର ଡର ଦେଖାଇଥିଲେ ।

ଏହାରି ଭିତରେ କିନ୍ତୁ ପ୍ୟାରୀଙ୍କ କ୍ୟାମ୍ପରେ ଥିବା କିଛି ନେତା ନବୀନ ନିବାସ ଆଡେ ମୁହାଁଇ ସାରିଥିଲେ । ଏପରିକି ପ୍ୟାରୀଙ୍କ ସହ ଗୁପ୍ତରେ ହାତ ମିଳାଇଥିବା କିଛି ନେତା ବି ନିଜ ଗାଡିର ଦିଗକୁ ନବୀନ ନିବାସ ଆଡେ ମୋଡିଥିଲେ । ଫଳରେ ନବୀନ ନିବାସରେ ନେତାଙ୍କ ଭିଡ ଜମିବା ସହ ପ୍ୟାରୀଙ୍କ କ୍ୟାମ୍ପର ଶକ୍ତି କମିଥିଲା । ରାତି ତମାମ ଚାଲିଥିଲା କ୍ଷମତା ହରଣ ଆଉ ବଂଚାଇବାର କଳାକୈାଶଳ । ଆଉ ଏହାରି ଭିତରେ ରାତି ପାହି ସକାଳ ହୋଇଥିଲା । ଦିନକ ଭିତରେ ନବୀନ ଲଣ୍ଡନରୁ ଆସି ଭୁବନେଶ୍ୱରରେ ପହଂଚିଲେ । ନବୀନ ନିବାସରେ ଜଣେ ପରେ ଜଣେ ନେତାଙ୍କୁ ଭେଟିଲେ । ଆଉ ତାପରେ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନର ପର୍ବ । ପ୍ୟାରୀଙ୍କ ସହ କିଛି ନେତାଙ୍କ ଉପରେ ପଡିଥିଲା ନବୀନଙ୍କ ଖଣ୍ଡା ଚୋଟ । ଦଳରେ ତିଆରି ଦିନରୁ ଥିବା ଆଉ ସଫଳତାର ଶୀର୍ଷରେ ପହଂଚାଇବାରେ ସହଯୋଗ କରିଥିବା ପ୍ୟାରୀମୋହନ ବିଜେଡିରୁ ବହିଷ୍କୃତ ହୋଇଥିଲେ । ଗୋଟିଏ ସମୟରେ ଉଭୟ ନବୀନ ଆଉ ପ୍ୟାରୀଙ୍କ ଭିତରେ ପାଣି ଗଳୁନଥିବା ବେଳେ ନବୀନ ତାଙ୍କୁ ଦେଇଥିଲେ ବେଇମାନର ଆଖ୍ୟା ।

ତେବେ ବଡ କଥା ହେଉଛି, ମେ ୨୯, ୨୦୧୨ର ସେହି ରାତିରେ ପ୍ୟାରୀଙ୍କ ଘରେ କଣ ଘଟୁଥିଲା, ତାହା ଆଜି ବି ରହସ୍ୟ ଘେରରେ । କାହିଁକି ବିଧାୟକଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନିଅଯାଉଥିଲା ତାହା ବି ସନ୍ଦେହରେ । ପ୍ୟାରୀମୋହନ ନିଜେ ଏହି ତମାମ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରି ଆସୁଥିଲେ । ହେଲେ ଏହି ଅପବାଦରୁ ସେ ମୁକୁଳି ପାରିନଥିଲେ ।