ମାଟ୍ରିକ୍ ପରୀକ୍ଷା ଦେଲା ମାଙ୍କେଡିଆ ଝିଅ ମୋନିକା : ଜନଜାତିର ପ୍ରଥମ ବୋର୍ଡ ପରୀକ୍ଷାର୍ଥୀ

38

କନକ ବ୍ୟୁରୋ : ପ୍ରଥମ ମାଙ୍କଡିଆ ଝିଅ ଦେଉଛି ମାଟ୍ରିକ ପରୀକ୍ଷା । ମାଙ୍କଡିଆ ଜନଜାତିର ଝିଅର ନାଁ ମୋନିକା । ଯାଜପୁର ଜିଲ୍ଲା ମାଙ୍କଡ଼ିଆ ବସ୍ତିରେ ବାସ କରନ୍ତି ମୋନିକା । ଏହି ଆଦିବାସୀ ଝିଅ ତାଙ୍କ ଜନଜାତିର ପ୍ରଥମ ଝିଅ ଭାବେ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଯାହା ସେ ଅଂଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ମନରେ ଅନେକ ସ୍ୱପ୍ନ ନେଇ ମୋନିକା ଦେଉଛି ପରୀକ୍ଷା ।

ବିକାଶଠାରୁ ଅନେକ ଦୂରରେ ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଂଚଳର ମାଙ୍କଡ଼ିଆ ବସ୍ତି । ଶିକ୍ଷା ସଚେତନତା ଅଭାବରୁ ଏଠାରେ ଥିବା ଅଧିବାସୀ ବଣ ଜଙ୍ଗଲରେ ବାସ କରନ୍ତି । ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ କେହି ଜଣେ ବି ମାଟ୍ରିକ୍ ପର୍ଯ୍ୟନ୍ତ ଯାଇ ପାରିନାହାଁନ୍ତି । ଆଉ ପ୍ରଥମ କରି ଦଶମ ପରୀକ୍ଷା ଦେଉଛନ୍ତି ମାଙ୍କଡିଆ ଝିଅ ମୋନିକା । ଯାହା ସେ ଅଂଚଳରେ ଅନ୍ୟ ମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି । ଭଙ୍ଗା କୁଡ଼ିଆରେ ଡ଼ିବିରି ଆଲୁଅରେ ପାଠ ପଢିବାକୁ ପଡ଼ୁଛି ତାଙ୍କୁ । କୈାଣସି ସରକାରୀ ଯୋଜନା ଛୁଇଁ ପାରିନି ଏହି ବସ୍ତିକୁ । ପାଠପଢି ଜଣେ ଭଲ ମଣିଷ ହେବେ ବୋଲି କୁହନ୍ତି ମୋନିକା ।

ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଂଚଳର ଶ୍ରମଶକ୍ତି ଉଚ୍ଚ ବିଦ୍ୟାଳୟ । ଯେଉଁଠି ପାଢ ପଢନ୍ତି ମୋନିକା । ମୋନିକାଙ୍କୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଠାରୁ ଆରମ୍ଭ କରି ଶିକ୍ଷୟତ୍ରୀ ପର୍ଯ୍ୟନ୍ତ ସମସ୍ତେ ପଢିବା ପାଇଁ ଉତ୍ସାହିତ କରିଥାନ୍ତି । ମୋନିକା ମାଟ୍ରିକରେ କୃତକାର୍ଯ୍ୟ ହେଲେ ତାଙ୍କୁ ପ୍ରଶାସନିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ।

ବିଲୁପ୍ତ ପ୍ରାୟ ମାଙ୍କେଡିଆ ଓ ଜୁଆଙ୍ଗ ଜନଜାତିର ପିଲାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଆବଶ୍ୟକ । ଏହାଦ୍ୱାରା କେବଳ ଗୋଟିଏ ମୋନିକା ନୁହେଁ ଶହ ଶହ ମୋନିକା ସୃଷ୍ଟି ହୋଇପାରିବେ । ତେବେ ପାଠପଢ଼ା ପ୍ରତି ଆଗ୍ରହ ଓ ଆତ୍ମବିଶ୍ୱାସ ଥିବା ମୋନିକା ଭଳି ପିଲାଙ୍କ ଭବିଷ୍ୟତ ପ୍ରତି ସତର୍କ ଦୃଷ୍ଟି ଦେବା ଏକାନ୍ତ ଅପରିହାର୍ଯ୍ୟ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –