ଆତ୍ମସମୀକ୍ଷା, ନୈତିକତା କେବଳ ଏକ ବାହାନା । ସର୍ବପୁରାତନ ଦଳକୁ ତଳିତଳାନ୍ତ କରାଇ ଓଡିଶାରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଠେଲିଦେଇ ପ୍ରଭାରୀ ପଦ ଛାଡିଛନ୍ତି ବି. କେ.ହରିପ୍ରସାଦ । ଜିଲ୍ଲା ପରିଷଦ ନିର୍ବାଚନରେ ଦଳର ଦୟନୀୟ ପ୍ରଦର୍ଶନର ଉତ୍ତର ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି ପ୍ରସାଦ । ହେଲେ ଏହି ଅଧିକାର କଣ ତାଙ୍କର ଅଛି? ଯିଏ ପଂଚାୟତ ନିର୍ବାଚନ ସମୟରେ ଦଳ କିଭଳି କଡା ମୁକାବିଲା କରିବ, ସେନେଇ କୈାଣସି ରଣନୀତି ପ୍ରସ୍ତୁତ କଲେନି କି ନେତାଙ୍କ ମନୋବଳ ବୃଦ୍ଧି କରିବାକୁ ଓଡିଶାରେ ଡେରା ପକାଇଲେନି, ସେ କିଭଳି ନୈତିକତା ଭଳି ଶଦ୍ଦକୁ ଢାଲ କରିବେ? ହଁ, ଯଦି କଠିନ ପରିଶ୍ରମ କରିବା ସହ କଂଗ୍ରେସକୁ ସଂଗଠିତ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥାନ୍ତେ ତେବେ କଥା ଅଲଗା ପ୍ରକାର ହୋଇଥାନ୍ତା । ସେତେବେଳେ ଆତ୍ମସମୀକ୍ଷା କରି ନିଷ୍ପତ୍ତି ନେଇଥିଲେ ହରିପ୍ରସାଦଙ୍କୁ ଶୋଭାଦେଇଥାନ୍ତା ।
ଜିଲ୍ଲା ପରିଷଦର ପ୍ରଥମ ପର୍ଯ୍ୟାୟ ଫଳାଫଳରୁ ସ୍ପଷ୍ଟ ଜଣାପଡୁଥିଲା, କଂଗ୍ରେସ ତୃତୀୟ ସ୍ଥାନକୁ ଯିବ ହେଲେ ନେତା ମାନୁନଥିଲେ । ତାରକା ପ୍ରଚାରକ ତାଲିକାର ଏକ ନମ୍ବରରେ ଥିବା ସତ୍ୱେ ହରିପ୍ରସାଦ ପ୍ରଚାରର ମଙ୍ଗ ଧରିନଥିଲେ । ଯେତେବେଳେ କିଛି ବିଧାୟକଙ୍କ ନାଁ ତାରକା ପ୍ରଚାରକ ତାଲିକାରେ ରଖିନଥିଲା ପିସିସି, ସେତେବେଳେ ହରିପ୍ରସାଦଙ୍କ ଭଳି ନେତାଙ୍କ ନାଁ ରଖିବାର କଣ ଆବଶ୍ୟକତା ଥିଲା? ଯିଏ ଶେଷ ଆଡକୁ କେବଳ ବାଧ୍ୟବାଧ୍ୟକତାରେ ଆସି ହାତଗଣତି ପ୍ରଚାରରେ ଭାଗ ନେଲେ ।
୨୦୧୪ ନିର୍ବାଚନରେ ମଧ୍ୟ ଓଡିଶା ଦାୟିତ୍ୱରେ ଥିଲେ ବି. କେ. ହରିପ୍ରସାଦ । ନିର୍ବାଚନର କିଛି ଦିନ ଆଗରୁ ଜଗଦୀଶ ଟାଇଟଲରଙ୍କୁ ହଟାଇ ତାଙ୍କ ସ୍ଥାନରେ ହରିପ୍ରସାଦଙ୍କୁ ଦାୟିତ୍ୱ ଦିଆଯାଇଥିଲା । ନିରଂଜନ ପଟ୍ଟନାୟକଙ୍କୁ ହଟାଇ ଜୟଦେବ ଜେନାଙ୍କୁ ପିସିସି ସଭାପଦି ପଦ ଦିଆଗଲା । ତେବେ ଏହି ପରିବର୍ତ୍ତନ ସେ ସମୟରେ କଣ ପାଇଁ କରାଯାଇଥିଲା, ତାର ଉତ୍ତର ଆଜିଯାଏଁ କେନ୍ଦ୍ରୀୟ ନେତୃତ୍ୱ ଦେବାରେ ଅସମର୍ଥ । ୨୦୧୪ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ କମିଲା, ବିଜେପି ବଢିଲା । ବଡ କଥା ହେଉଛି ଓଡିଶାରେ ଯେଉଁ ଭାଜପାର ୧୯୮୫ ଯାଏଁ ଜଣେ ବିଧାୟକ ନଥିଲେ, ୧୯୯୮ ଯାଏଁ ଲୋକସଭାରେ ଜଣିଏ ସାଂସଦ ଥିଲେ, ସେହି ଦଳକୁ କଂଗ୍ରେସ ମୁକାବିଲା କରିବାରେ ଅସମର୍ଥ ଥିଲା । ଦଳର ଭୋଟ ପ୍ରତିଶତ କମିଥିଲା । ଏହି ସମୟରେ ନୈତିକତା ଦାୟିତ୍ୱ ନିଜ ଉପରେ ନେଇଥିଲେ ଜୟଦେବ ଜେନା । ହରିପ୍ରସାଦ କିନ୍ତୁ ସେହି ସମୟରେ ଆତ୍ମସମୀକ୍ଷା କରିନଥିଲେ । ଟଙ୍କା ନେଇ ଟିକେଟ ବିକ୍ରି କରିଥିବାର ସାଂଘାତିକ ଅଭିଯୋଗ ଆସିଲା । ଜେନା ଦ୍ୱୟ (ଶ୍ରୀକାନ୍ତ-ଜୟଦେବ)ଙ୍କୁ ନେଇ ସେତେବେଳେ ହଟଚମଟ ସୃଷ୍ଟି ହେଲା । ସବୁ ଗଣିତ ଭୁଲ ହେବା ସତ୍ୱେ ନୈତିକତାର ଶଦ୍ଦ ସେତେବେଳେ ବ୍ୟବହାର କରିବାକୁ ହରିପ୍ରସାଦ ବୋଧହୁଏ ଭୁଲିଯାଇଥିଲେ ।
୨୦୧୭ ପଂଚାୟତ ନିର୍ବାଚନ ପାଇଁ ହରିପ୍ରସାଦ-ପ୍ରସାଦଙ୍କୁ ହାଇକମାଣ୍ଡ ଦାୟିତ୍ୱ ଦେଲେ । ପ୍ରସାଦ କହିଲେ, ଏହା ତାଙ୍କ ପାଇଁ ଅଗ୍ନୀପରୀକ୍ଷା । ସମସ୍ତଙ୍କୁ ଏକାଠି କରିବାକୁ ମୁଁ ନୁହେଁ ଆମେ ନାରା ଦେଲେ । ହେଲେ ନେତା ଏକାଠି ହେବା ବଦଳରେ ବହୁଧା ବିଭାଜିତ ହୋଇଗଲେ । ଯିଏ ଯେଉଁ ବାଟରେ ପାରିଲା, ପରସ୍ପରର ବାଟ ଓଗାଳିଲା । ସ୍ଥିତି ଏପରି ହେଲା ଯେ ଦିଲ୍ଲୀ ଦରବାରରେ ଚାଲିଲା ପିସିସି ବନାମ ବିଧାୟକ ଦଳର ଯୁଦ୍ଧ । ପ୍ରସଙ୍ଗକୁ ନେଇ ଉଭୟେ ଅଲଗା ଅଲଗା ବାଟରେ ଲୋକଙ୍କ ପାଖରେ ପହଂଚିଲେ । ବିଧାୟକ ଦଳ ଭିତରେ ମୁଖ୍ୟ ସଚେତକ ପଦକୁ ନେଇ ଲାଗିଲା ଟଣାଓଟରା । ଏହି ସମସ୍ତ ବିବାଦର ସମାଧାନ କରିବାରେ ଉଭୟେ ହରିପ୍ରସାଦ ଆଉ ପ୍ରସାଦ ଫେଲ ମାରିଲେ ।
ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ହରିପ୍ରସାଦଙ୍କୁ ଯେଉଁଭଳି ଭାବରେ ଅପଦସ୍ତ କରାଗଲା ଆଉ କଂଗ୍ରେସ ଭବନରେ ତାଙ୍କ ବିରୋଧରେ ପୋଷ୍ଟର ଲାଗିଲା, ସେହିଦନ ହିଁ ସେ ଦାୟିତ୍ୱ ଛାଡିଦେବାର ଆବଶ୍ୟକତା ଥିଲା । ପଦକୁ ଯାବୁଡି ଧରିବାର ଅର୍ଥ କଣ ବୁଝାପଡୁନଥିଲା । ଯେତେବେଳେ ଦଳର
ସାଧାରଣ କର୍ମୀଟିଏ ପ୍ରଭାରୀଙ୍କ ସହ ନଥିଲା, ସେତେବେଳେ ସେ କିଭଳି ଆତ୍ମସମୀକ୍ଷା କରୁନଥିଲେ, ତାହାହିଁ ବଡ ପ୍ରଶ୍ନ । ହରିପ୍ରସାଦଙ୍କ ଇସ୍ତଫା ପରେ ଏବେ ପ୍ରସାଦଙ୍କୁ ନେଇ ଚର୍ଚ୍ଚା ବଢିଲାଣି । ପିସିସି ସଭାପତିବଦଳିବେ କି? ନେତୃତ୍ୱ ପରିବ ର୍ନ ହୋଇଗଲେ ଯେ କଂଗ୍ରେସର ଭାଗ୍ୟ ବଦଳିବ, ଏହା ଭାବିବା ଭୁଲ । ଦଳର ପାଦ ତଳୁ ମାଟି ଖସିଗଲାଣି । କର୍ମୀ ଅନ୍ୟ ଦଳ ଆଡେ ମୁହାଁଇଲେଣି । ଏଭଳି ସ୍ଥଳେ ମେଂଟ ରାଜନୀତିରେ ବିଶ୍ୱାସ କରୁଥିବା ସର୍ବପୂରାତନ ରାଜନୈତିକ ଦଳ ଓଡିଶା
ପରିପ୍ରେକ୍ଷୀରେ ସେଭଳି ଆଭିମୁଖ୍ୟ ଗ୍ରହଣ କରିବାର ସମ୍ଭାବନା ଅଧିକ । ହୁଏତ ୨୦୧୯ରେ ଓଡିଶାରେ ବିଜେପିକୁ ରୋକିବାକୁ ବିଜେଡି ସହ କଂଗ୍ରେସ ମେଂଟ କରିପାରେ, ଯାହା ବିହାର ଆଉ ୟୁପିରେ ଦେଖିବାକୁ ମିଳିଛି, ତେଣୁ ଏହାକୁ ଆଖି ଆଗରେ ରଖି ପିସିସିକୁ ନୂଆ ନେତୃତ୍ୱ ମିଳିପାରେ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନେତା ନୈତିକତାର ଯେତେବେଳେ ଦ୍ୱାହି ଦେଇ ନେତା ପଦ ଛାଡନ୍ତି, ତାହା ଆଜିର ଦିନରେ ହାସ୍ୟାସ୍ପଦ ଲାଗେ । ବି. କେ. ହରିପ୍ରସାଦଙ୍କ କ୍ଷେତ୍ରରୁ ଏହା ସ୍ପଷ୍ଟ ପ୍ରମାଣିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/B-K-HARIPRASAD.jpg)