ସଂଗଠନ ଠାରୁ ସମୀକରଣ ଯାଏଁ ! ଓଡିଶାରେ ଅମିତ ଶାହା ଦେବେ କି ୧୦ଟି ପ୍ରଶ୍ନର ଉତ୍ତର?

43

IMG-20170906-WA0015କନକ ବ୍ୟୁରୋ : ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତିନି ମାସରେ ଏହା ହେବ ଦ୍ୱିତୀୟ ଗସ୍ତ । ଯାହାକୁ ନେଇ ବିଜେପି କ୍ୟାମ୍ପ ଚଳଚଂଚଳ ଆଉ ରାଜ୍ୟ ରାଜନୀତି ସରଗରମ । ସମାବେଶ ଠାରୁ ଆରମ୍ଭ କରି ରୁଦ୍ଧଦ୍ୱାର ଆଲୋଚନା ଯାଏଁ, ବିଜେପିର ଚାଣକ୍ୟ ସବୁ ଦିଗକୁ ସ୍ପର୍ଶ କରି ୧୨୦ ରୋଡମ୍ୟାପ ପାଇଁ କାର୍ଯ୍ୟ କରିବାକୁ ଚେତାଇ ଦେବାର ଯଥେଷ୍ଟ ସମ୍ଭାବନା ରହଛି ।

ତେବେ ଗସ୍ତ କାଳରେ ସବୁଠାରୁ ବଡ ରାଜନୀତିର କଥା ଆସିବ, ଅମିତ ଶାହାଙ୍କ ସାମ୍ବାଦିକ ସମ୍ମିଳନୀରୁ । ଗୁରୁବାର ମଧ୍ୟାହ୍ନରେ ଅମିତ ଶାହା ସାମ୍ବାଦିକଙ୍କୁ ସାକ୍ଷାତ କରିବେ । ଦୀର୍ଘଦିନ ପରେ ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରିବେ ଶାହା । ଶେଷଥର ପାଇଁ ସଭ୍ୟ ସଂଗ୍ରହକରିବାକୁ ଆସିଥିବା ବେଳେ ଭୁବନେଶ୍ୱର କାର୍ଯ୍ୟାଳୟରେ ସେ ସାମ୍ବାଦିକଙ୍କ ସହିତ ଆଲୋଚନା କରିଥିଲେ । ହେଲେ ଏବେ ପାଣି ପାଗ ବଦଳିଗଲାଣି । ସେତେବେଳେ ରାଜ୍ୟରେ ନିଜର ସ୍ଥିତି ନେଇ ସଂଘର୍ଷ କରୁଥିଲା ବିଜେପି । ଆଉ ଏବେ ଦଳ ଦ୍ୱିତୀୟ ସ୍ଥାନରେ । ଶାସକ ଦଳ ବିଜେଡିକୁ ଦେଉଛି କଡା ଟକ୍କର । ତେଣୁ ଅମିତ ଶାହାଙ୍କ ଏହି ସାମ୍ବାଦିକ ସମ୍ମିଳନୀ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ହେଲେ ଏଥିରେ ଅନେକ ପ୍ରଶ୍ନ ଏମିତି ଆସିବ, ଯାହାର ସିଧା ଉତ୍ତର ଦେବାକୁ ପଡିବ ବିଜେପିର ଏହି ଚାଣକ୍ୟଙ୍କୁ ।

IMG-20170906-WA0016– ୧୨୦ ଆସନ ଜିତିବାର ଯେଉଁ ଦୃଢୋକ୍ତି ଅମିତ ଶାହା ଦେଖାଇଛନ୍ତି, ଏହା କିଭଳି ସମ୍ଭବ? ଏଥିପାଇଁ କିଛି ସ୍ୱତନ୍ତ୍ର ରଣନୀତି ରହିଛି କି ଯାହା ଦଳର ସିଟ ସଂଖ୍ୟା ଏକାଥରେ ୧୨ ଗୁଣା ବଢାଇଦେବ?

– ଯଦି ରାଜ୍ୟରେ କଂଗ୍ରେସର ପାରମ୍ପରିକ ଭୋଟ ଏକାଠି ହୋଇଯାଏ, ତେବେ ଏହାର କ୍ଷତି ବିଜେପି ସହିବ କି ନାହିଁ? କାରଣ ପଂଚାୟତ ନିର୍ବାଚନରେ କଂଗ୍ରେସ ଭୋଟ ବହୁ ପରିମାଣରେ ବିଜେପି ପାଖକୁ ଅସିଥିଲା?

– ରାଜ୍ୟରେ ବିଜେପି ନିର୍ବାଚନ ଆଗରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରିବ କି ନାହିଁ? ନବୀନଙ୍କ ବିରୋଧରେ ଦଳ କାହାକୁ ଚେହେରା ଭାବେ ଉପସ୍ଥାପନ କଲେ ଅସୁବିଧା କଣ? ନା ଓଡିଶାରେ ନବୀନ ବନାମ ମୋଦି ଲଢେଇ ହେବ?

– କିଛି ଦିନ ଆଗରୁ ଇଣ୍ଡିଆ ଟୁଡେରେ ଏକ ରିପୋର୍ଟ ଆସିଥିଲା, ନରେନ୍ଦ୍ର ମୋଦି ଜଗନ୍ନାଥ ଧାମ ପୁରୀରୁ ନିର୍ବାଚନ ଲଢି ପାରନ୍ତି, ଏହା ପଛରେ କିଛି ଆଧାର ଅଛି କି?

– ବିଜେଡି ସହିତ ନିର୍ବାଚନୀ ମେଂଟ ହେବାର ସମ୍ଭାବନା ଅଛି କି? ହୁଏତ ନିର୍ବାଚନ ପରେ କିମ୍ବା ପୁର୍ବରୁ? କେନ୍ଦ୍ରରେ ଆବଶ୍ୟକ ପଡିଲେ ବିଜେଡିର ସହାୟତା ନିଆଯିବ କି ନାହିଁ?

– ଯଦି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କ୍ଷମତାକୁ ଆସେ, ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ କି? ଓଡିଶାରେ ବିଜେପିର ଚେହେରା କିଏ?

– ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିବା ବିଜୟ ମହାପାତ୍ରଙ୍କୁ ନେଇ ଆଭିମୁଖ୍ୟ କଣ? ଲଗାତର ସେ ଦଳ ବିରୋଧୀ ମତ ଦେଉଛନ୍ତି, ଏପରିକି ୧୨୦ ଆସନ ଜିତିବାକୁ ନେଇ ଆପଣ ଦେଖାଇଥିବା ଦୃଢୋକ୍ତିକୁ ସେ ଚାଲେଂଜ ମଧ୍ୟ ଦେଇଥିଲେ । କାର୍ଯ୍ୟାନୁଷ୍ଠାନ ବାବଦରେ ଦଳ ପଛଘୁଂଚା କାହିଁକି ଦେଉଛି?

– ବିଜେଡିକୁ ଭାଙ୍ଗି ବିଜେପି ଏଠି ଶାସନ ଗାଦିକୁ ଆସିବାକୁ ଲକ୍ଷ ରଖିଛି ବୋଲି ଟାଇମ ମ୍ୟାଗାଜିନରେ ମଧ୍ୟ ଖବର ପ୍ରକାଶ ପାଇଥିଲା । ଏଭଳି କିଛି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଦଳ ଟାର୍ଗେଟ କରୁଛି କି?

– ବିଜେଡିର ୧୨୩, କଂଗ୍ରେସର ୮୫, ଆପଣଙ୍କର ୧୨୩ । କାହା ଗଣିତ ଠିକ ହେବ? ନା କେବଳ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢାଇବାକୁ ୧୨୦ ଅଙ୍କକୁ ଦଳ ସାମ୍ନାକୁ ଆଣିଛି?

– ଦେଶରେ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି କି? ୨୦୧୮ ଶେଷ ଭାଗରେ ନିର୍ବାଚନ ହେବାକୁ ଯାଉଛି କି?

ହେଲେ ଏହାରି ଭିତରେ ଶକ୍ତି ପ୍ରଦର୍ଶନ ପାଇଁ ବିଜେପି ଭରପୁର ଉଦ୍ୟମ କରୁଛି । ୮ତାରିଖରେ ଜନତା ମୈଦାନରେ ଦଳ ୯୯୯ ମଣ୍ଡଳରୁ ୧୦୦ ଲେଖାଏଁ  କାର୍ଯ୍ୟ କର୍ତ୍ତାଙ୍କୁ ଆଣି ସମାବେଶ କରିବାକୁ ରଣନୀତି କରିଛି । ଆଉ ଏଠାରେ ହିଁ ରଣନୀତି ବାବଦରେ ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସମାବେଶକୁ ଆସିବାକୁ ଥିବା ଲକ୍ଷେ ଲୋକଙ୍କୁ ୧୦୦ ଲେଖାଏଁ ଭୋଟର ଦାୟିତ୍ୱ ଦିଆଯିବ । ଅର୍ଥାତ ୧ କୋଟି ଭୋଟ ଉପରେ ଶାହାଙ୍କ ନଜର ରହିବ । ଯାହାର ଅଧାରରେ ଦଳ ଏଠି ସରକାରକୁ ଆସିବାକୁ ଚିନ୍ତା କରୁଛି । ଏହାରି ଭିତରେ ନଜର ରହିବ, ଏହି ୧୦ଟି ପ୍ରଶ୍ନର ଉତ୍ତର ଅମିତ ଶାହା କେଉଁ ଢଙ୍ଗରେ ରଖୁଛନ୍ତି ।