ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା ! ମିଳିଲାନି ଷ୍ଟେଚର , ମହିଳା ନିଜ ସ୍ୱାମୀଙ୍କୁ ଚଟାଣରେ ଘୋଷାଡି ନେଲେ ଏକ୍ସ-ରେ କୋଠରୀକୁ

161

ବେଙ୍ଗାଲୁର : ମଧ୍ୟବିତ୍ତ ପରିବାରର ଅଭାବୀ ମଣିଷ । ରୋଗବ୍ୟାଧି ହେଲେ ଭରସା କରେ ସରକାରୀ ଡାକ୍ତରଖାନାକୁ । ଅଳ୍ପ ପଇସାରେ ଭଲ ଚିକିତ୍ସା ଓ ସୁବିଧା ପାଇଁ ଧାଇଁଯାଏ ଡାକ୍ତରଖାନାକୁ । ହେଲେ ସେଠି ଚିକିତ୍ସା ପାଇଁ ଯଦି ଘୋର ସଂଘର୍ଷ କରିବାକୁ ପଡେ । ତାହେଲେ ସେ କାହାକୁ କହିବ ? ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରରେ । ଏକ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାକୁ ନେଇ ଚାରିଆଡେ ଚର୍ଚ୍ଚା ।

ସୂଚନା ଅନୁସାରେ, ଶିବାମୋଗାର ଏକ ସରକାରୀ ଡାକ୍ତରଖାନାକୁ ଜଣେ ବୟସ୍କ ମହିଳା ନିଜ ରୋଗଗ୍ରସ୍ତ ସ୍ୱାମୀକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ହେଲେ ସେଠାରେ ତାଙ୍କୁ ଅସହ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏକ୍ସ-ରେ କୋଠରୀକୁ ସ୍ୱାମୀଙ୍କୁ ନେବା ପାଇଁ ଏକ ଷ୍ଟେଚର ବି ମିଳିନଥିଲା । ଏହି ମହିଳାଙ୍କ କହିବାନୁସାରେ , ଅନେକ ଅନୁରୋଧ କରିଥିଲେ ବି ଡାକ୍ତରଖାନାର କୈାଣସି କର୍ମଚାରୀ ଶୁଣିନଥିଲେ ତାଙ୍କର ଦୁଃଖ । ବରଂ ତାଙ୍କୁ ମାଗିଥିଲେ ହାତ ଗୁଂଜା ଅର୍ଥ । ଅନ୍ୟ ଉପାୟ ନପାଇ ସେ ଶେଷରେ ଡାକ୍ତରଖାନାର ଚଟାଣରେ ଘୋଷାଡି ଘୋଷାଡି ନେଇଥିଲେ ସ୍ୱାମୀଙ୍କୁ । କେହି ବି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ ।

ଚଟାଣରେ ଘୋଷାଡି ନେବା ଦ୍ୱାରା ସେହି ବ୍ୟକ୍ତିଙ୍କର କହୁଣୀରେ ଖଣ୍ଡିଆ ହୋଇଯାଇଛି । ଟିଭି ଚ୍ୟାନେଲଗୁଡିକରେ ଏହି ଦୃଶ୍ୟର ଭିଡିଓ ଦେଖିଲା ପରେ ଚାରିଆଡେ ଆଲୋଚନା ଚାଲିଛି । ଡାକ୍ତରଖାନାର ଡାଇରେକ୍ଟର ଡ. ସୁଶିଲ୍ କୁମାର କହିଛନ୍ତି , ଏହି ପ୍ରସଙ୍ଗରେ ସେବିକା ଚିତ୍ରା , ଜ୍ୟୋତି ଓ ଆଶାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ଏବଂ ସମ୍ବନ୍ଧିତ ବିଭାଗକୁ ଏଥିନେଇ ପତ୍ର ଲେଖାଯାଇଛି । ରୋଗୀର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାର ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –