କଂଗ୍ରେସ୍ ଅଧ୍ୟକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡା ସମାଲୋଚନା । ମୋଦି କହିଲେ,ଅପରିପକ୍ୱ ଓ ଅହଙ୍କାରୀ ରାଜନେତା

41

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ହେବେ ବୋଲି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରୁ ଖିଅ ଧରି ମୋଦି କରିଛନ୍ତି ଜୋରଦାର ଆକ୍ରମଣ । ରାହୁଲଙ୍କୁ ଇସାରା କରି ମୋଦି କହିଛନ୍ତି, ଏହି ନାମଦାର ନେତା ନିଜ ମେଂଟ ସହଯୋଗୀଙ୍କୁ ବିଶ୍ୱାସ କରନ୍ତି ନାହିଁ ଏବଂ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଖାତିର କରନ୍ତି ନାହିଁ । ଏହା ଛଡା କଂଗ୍ରେସ ଅଧ୍ୟକ୍ଷଙ୍କ ଅହଂକାର ଆକାଶ ଛୁଇଁଲାଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ତାଙ୍କୁ ଜଣେ ଅପରିପକ୍ୱ ନେତା କହିବାକୁ ପଛାଇ ନାହାନ୍ତି ମୋଦି । ଦେଶ ଏଭଳି ଜଣେ ନାମଦାର ନେତାଙ୍କୁ ଗ୍ରହଣ କରିବ କି ବୋଲି ମୋଦି ସେ ପ୍ରଶ୍ନ କରିଛନ୍ତି ।

ବେଙ୍ଗାଳୁରୁରେ ନିର୍ବାଚନୀ ସଭାରୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଜୋରଦାର ଆକ୍ରମଣ । ୨୦୧୯ରେ କଂଗ୍ରେସ ସବୁଠାରୁ ବଡଦଳ ହୋଇ ଉଭାହେଲେ ସେ ଦେଶର ପ୍ରଧାନମନ୍ତ୍ରୀ ବନିପାରନ୍ତି ବୋଲି କହିଥିଲେ ରାହୁଲ ଗାନ୍ଧି । ଏହାର ଦିନକ ପରେ ରାହୁଲଙ୍କ ନାଁ ନନେଇ ଏପରି କଡା ଭାଷାରେ ନିନ୍ଦା କରିଛନ୍ତି ମୋଦି । ରାହୁଲଙ୍କ ଅହଙ୍କାର ଆକାଶ ଛୁଇଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ବାକ ଚାତୁରିରେ ବେଶ ପାରଙ୍ଗମ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ବୟାନରୁ ମିଳିଯାଇଛି ବଡ ଖିଅ । ଯାହାକୁ ନେଇ କର୍ଣ୍ଣଟକ ବିଧାନସଭା ନିର୍ବାଚନ ଅବସରରେ ରାହୁଲଙ୍କୁ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛନ୍ତି ମୋଦି । କଂଗ୍ରେସ ଯେ, ଗୋଟିଏ ପରିବାର ଦ୍ୱାରା ପରିଚାଳିତ ତାକୁ ହିଁ ବୁଲାଇ ବଙ୍କାଇ କହିବାକୁ ଚାହିଁଛନ୍ତି । କଂଗ୍ରେସ ମୁକ୍ତ ଭାରତର ନାରାଦେଇ କର୍ଣ୍ଣାଟକ ଦଖଲ ଅଭିଯାନରେ ବାହାରିଥିବା ବିଜେପି ପୁଣି ୨୦୧୯ରେ ଦିଲ୍ଲୀ କ୍ଷମତା ବଜାୟ ରଖିବାକୁ ଚାହୁଁଛି । ତେଣୁ ୨୦୧୯ରେ ବିଜେପି କ୍ଷମତା ହରାଇବ ବୋଲି ରାହୁଲ କହିବା ପରେ ଚିହିଁକି ଉଠିଛନ୍ତି ମୋଦି । କହିଛନ୍ତି ମୋଦିକୁ ହଠାଇବା ପାଇଁ ଘନଘନ ବୈଠକ ବସୁଛି । ହେଲେ ମେଂଟ ସହଯୋଗୀଙ୍କୁ ଅନ୍ଧାରରେ ରଖି ରାହୁଲ ନିଜକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଦେବା ଅବିଶ୍ୱାସର ମଞ୍ଜି ବୁଣିଦେଇଛି ।

ଗୋଟିଏ ପଟେ ରାହୁଲଙ୍କ ଉଚ୍ଚାଭିଳାଶ ନେଇ ଲୋକଙ୍କୁ କହିବା ପଛରେ ଭୋଟରଙ୍କୁୁ ପ୍ରଭାବିତ କରିବା ଓ ଅନ୍ୟପଟେ ମେଂଟ ସହଯୋଗୀଙ୍କ ଭିତରେ ଅବିଶ୍ୱାସର ବାତାବରଣ ତିଆରି କରିବା ଲକ୍ଷ୍ୟରେ ମୋଦି ଏହି କଥାକୁ ବଡ ପାଟିରେ କହିବା ଆରମ୍ଭ କରିଦେଇଛନ୍ତି । କହିବାକୁ ଗଲେ କର୍ଣ୍ଣାଟକ ନିର୍ବାଚନ ଏବେ ଦୁଇଟି ଦଳର ସର୍ବୋଚ୍ଚ ନେତାଙ୍କ ଭିତରେ ଲଢେଇରେ ପରିଣତ ହୋଇଛି । କାରଣ ୨୦୧୯ ଲୋକସଭା ନିର୍ବାଚନ ପାଇଁ ବେଙ୍ଗାଳୁରୁରୁ ବଡ ବାର୍ତା ଆସିବାକୁ ଯାଉଛି ।