କ୍ୟାଟ୍ରିନାଙ୍କ ହାତରେ ସାଜିବ ସ୍ପେଶାଲ ମେହେନ୍ଦୀ: ଆସିବ କେଉଁଠୁ?

106

କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ଭିକି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ସେନ୍ସେସନ କ୍ୟାଟ୍ରିନା କୈଫ୍ । ଏଥିପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି । ହୋଟେଲ ଠାରୁ ଆରମ୍ଭ କରି ଡ୍ରେସ୍ ସବୁକିଛି ହେବ ସ୍ପେଶାଲ । ମେହେନ୍ଦୀ ବି ଏଥିରୁ ବାଦ ପଡିନି । କ୍ୟାଟ୍ରିନାଙ୍କ ପାଇଁ ବରାଦ ହୋଇଛି ବିଶ୍ୱ ପ୍ରସିଦ୍ଧ ମେହେନ୍ଦୀ ।

କ୍ୟାଟଙ୍କ ହାତରେ ଶୋଭା ପାଇବ ରାଜସ୍ଥାନ ପାଲି ଜିଲ୍ଲା ସୋଜତର ବିଶ୍ୱ ପ୍ରସିଦ୍ଧ ମେହେନ୍ଦି ।କ୍ୟାଟ୍ରିନାଙ୍କ ମେହେନ୍ଦି ଉତ୍ସବ ପାଇଁ ସୋଜତର ଜଣେ ମେହେନ୍ଦି ବ୍ୟବସାୟୀଙ୍କୁ ଅର୍ଡର ଦିଆଯାଇଛି । ଏହା ପୂର୍ବରୁ ଏହି ମେହେନ୍ଦୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଖ୍ୟାତନାମା ଉଦ୍ୟୋଗପତିଙ୍କ ଝିଅଙ୍କ ହାତରେ ଲାଗିଛି । ଖୁବ ଶିଘ୍ର କ୍ୟାଟ ଭିକିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବାବେଳେ ରାଜସ୍ଥାନର ସବାଇ ମାଧପୁରର ଏକ ଦାମୀ ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ । ଡିସେମ୍ବର ୭ରୁ ୯ ପର୍ଯ୍ୟନ୍ତ ଏହି ବିବାହ ମାହୋଲ ଜାରି ରହିବ । ସୋଜତର ମେହେନ୍ଦୀ ବ୍ୟବସାୟୀ ନୀତେଶ ଅଗ୍ରୱାଲଙ୍କ କମ୍ପାନୀ ‘ନ୍ୟାଚୁରାଲ ହର୍ବାଲ’କୁ କ୍ୟାଟ୍ରିନା ମେହେନ୍ଦୀ ଉତ୍ସବ ପାଇଁ ଅର୍ଡର ଦେଇଛନ୍ତି । କ୍ୟାଟ୍ରିନାଙ୍କ ପାଇଁ ୨୦ କେଜିର ମେହେନ୍ଦୀ ଓ ୪୦୦ ହିନା ନ୍ୟାଚୁରାଲ କୋନ୍ ସୋଜତରୁ ଆସିବ । ନୀତେଶ ଏଥିପାଇଁ ଦୁଇଥର ସାମ୍ପୁଲ ପଠାଇସାରିଲେଣି । ଡିସେମ୍ବର ପହିଲା ସୁଦ୍ଧା ମେହେନ୍ଦି ଜୟପୁରକୁ ଆସିବ ।

କଥା ହେଉଛି ସୋଜତ ମାଟିରେ ତମ୍ବା ଅଂଶ ରହିଛି । ତେଣୁ ଏହି ମେହେନ୍ଦୀର ଗୁଣବତ୍ତା ଅଧିକ । ଦେଶର ବିଭିନ୍ନ ରାଜ୍ୟ ସମେତ ସାରା ବିଶ୍ୱର ପାଖାପାଖି ୧୦୦ଟି ଦେଶକୁ ଏହି ମେହେନ୍ଦୀ ରପ୍ତାନି ହୋଇଥାଏ । ରାଜସ୍ଥ୍ାନର ରାଜପରିବାର, ଫିଲ୍ମ ତାରକା ଓ ବଡବଡ ବ୍ୟବସାୟୀଙ୍କ ପ୍ରଥମ ପସନ୍ଦ ସୋଜତ ମେହେନ୍ଦୀ ଭାରତର ସବୁଠୁ ବଡ ମେହେନ୍ଦି ମଣ୍ଡି ।ଏହା ଚାରିଆଡେ ‘ରାଜସ୍ଥାନୀ ମେହେନ୍ଦୀ’ ଭାବେ ପରିଚିତ ।