ଘରେ ସର୍ଟସର୍କିଟ୍ କି ଗ୍ୟାସ୍ ଲିକ୍ ହେଲେ ଆଉ ଭୟ ନାହିଁ। ଯଦି ଆପଣଙ୍କ ଅନୁପସ୍ଥିତିରେ ଘରେ କିମ୍ବା ସୋ ରୁମ୍ରେ ନିଆଁ ଲାଗି ଯାଉଛି ତାହାଲେ ଆପଣଙ୍କ ମୋବାଇଲକୁ ଆପେଆପେ କଲ୍ ଆସିବ। ବିଦ୍ୟୁତ ସଂଯୋଗ ବି ସେଇକ୍ଷଣି ବିଚ୍ଛିନ୍ନ ହୋଇଯିବା ସହ ସାଇରନ୍ ବାଜି ଉଠିବ। ଯେପର୍ଯ୍ୟନ୍ତ ଅଘଟଣ ନଟଳିଛି କିମ୍ବା ମରାମତି ନହୋଇଛି ସେପର୍ଯ୍ୟନ୍ତ ବିଦ୍ୟୁତ ଆସିବ ନାହିଁ। ‘ଭଏସ୍ କଲିଂ ଏଲ୍ପିଜି ସିକ୍ୟୁରିଟି ସିଷ୍ଟମ୍’ ଯନ୍ତ୍ର ଏପରିକ କମାଲ ଦେଖାଇବ। ଯୁବ ପ୍ରତିଭା ସନ୍ତୋଷ ପରିଡ଼ା ନିର୍ମିତ କରିଛନ୍ତିି ଏହି ଯନ୍ତ୍ର। ଘରେ ଚୋରି ହେଲେ ମଧ୍ୟ ଏହି ମେସିନ୍ ତୁରନ୍ତ ସୂଚନା ଦେବ। ଖୁବ୍ଶୀଘ୍ର ତାଙ୍କର ଏହି ଯନ୍ତ୍ର ବଜାରକୁ ଆସିବ ବୋଲି ସେ କହିଛନ୍ତି।
ବାଲିଅନ୍ତା ବ୍ଲକ ଅନ୍ତର୍ଗତ ତେରବାଟିଆ ଗ୍ରାମ ଜନ୍ମିତ ସନ୍ତୋଷ ଆଇଟିଆଇ ପାସ କରିବା ପରେ ନୂଆ ସୃଷ୍ଟିର ନିଶା ଘାରିଛି। ସନ୍ତୋଷଙ୍କ କହିବା ଅନୁଯାୟୀ, ଏହି ମେସିନ୍ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଗ୍ୟାସ୍ ଲିକ୍ କିମ୍ବା ସର୍ଟ ସର୍କିଟ୍ ହେବା ମାତ୍ରେ ୧ ସେକେଣ୍ଡ ଭିତରେ ଉପଭୋକ୍ତାଙ୍କ ମୋବାଇଲ୍କୁ କଲ୍ ଯିବ। ମେସିନ୍ଟି ଘରେ କିମ୍ବା ସପିଂ ମଲ୍ରେ ସଂଯୋଗ କରାଯିବା ସମୟରେ ଉପଭୋକ୍ତାଙ୍କ ଫୋନ୍ ନମ୍ବର ସହିତ ଏହାକୁ ସଂଯୋଗ କରାଯିବ। କୌଣସି ଅଘଟଣ ଘଟିଲେ ଏହା ସଙ୍ଗେସଙ୍ଗେ ଘଟଣା ସମ୍ପର୍କରେ ସୂଚନା ଦେବ। ଘରକୁ ଆସିଥିବା ବିଦ୍ୟୁତ ସଂଯୋଗ ଆପେଆପେ କଟିଯିବ। ପାଖରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ନିଆଁ ଲିଭାଇବା କାମ କରିବ। ଗ୍ୟାସ୍ ଲିକ୍ ସମ୍ପର୍କରେ ସୂଚନା ଶୀଘ୍ର ପାଇବା ପାଇଁ ଏହି ମେସିନ୍କୁ ରୋଷେଇ ଘରେ ଲଗାଇବାକୁ ହେବ। ସର୍ଟସର୍କିଟ୍ ପାଇଁ ଘରର ବିଦ୍ୟୁତ ସଂଯୋଗ ହୋଇଥିବା ସ୍ଥାନରେ ଏହାକୁ ଲଗାଇବାକୁ ପଡ଼ିବ।
ଚୋରି ରୋକିବା ପାଇଁ ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ମେସିନ୍କୁ ଲଗାଇବାକୁ ପଡ଼ିବ। ଚୋର ଘର ଭିତରକୁ ପଶିଲେ ଝରକା କିମ୍ବା କବାଟ ତାଡ଼ିଲେ ସଙ୍ଗେ ସଙ୍ଗେ ସାଇରନ୍ ବାଜି ଉଠିବ ଓ ଲୁହବୁହା ଗ୍ୟାସ୍ ବାହାରିବ। ଘରର ଦୁଇ ଜଣ ବ୍ୟକ୍ତିଙ୍କ ନିକଟକୁ କଲ୍ ଆସିବ। ଘର ମାଲିକ କଲ୍ ରିସିଭ୍ କଲେ ଘରେ ଯାହା ଘଟୁଥିବ ତାହା ସେମାନେ ଶୁଣି ପାରିବେ। ଏପରିକି ଘର ମାଲିକ ଚାହିଁଲେ ଚୋର ସହିତ କଥା ମଧ୍ୟ ହୋଇପାରିବେ। ଘରେ ଲାଗିଥିବା ଉଫରରେ ମାଲିକଙ୍କ କଥା ଶୁଭିବା ସହିତ ଚୋର କଥା ମଧ୍ୟ କଲ୍ ଯାଇଥିବା ବ୍ୟକ୍ତିମାନଙ୍କୁ ଶୁଣାଯିବ। ଏହି ମେସିନ୍ରେ ରିଲେ କଣ୍ଟାକ୍ଟର, ଡିସ୍ପ୍ଲେ, ପାଓ୍ଵାର କଣ୍ଟ୍ରୋଲ୍ ଡିଭାଇସ୍, ଉଫର ଓ ସେନ୍ସର ସଂଯୋଗ ହୋଇଛି। ମେସିନ୍ର ଦାମ ୧୫ହଜାର ଟଙ୍କା ରଖାଯିବ ବୋଲି ସନ୍ତୋଷ କହିଛନ୍ତି। ଉପଭୋକ୍ତା ଚାହିଁଲେ ଏହି ୩ ମେସିନ୍ରୁ ଗୋଟିଏ ଲେଖାଏଁ ମେସିନ୍କୁ ଘରେ ଲଗାଇ ପାରିବେ। ଚାଇନାରୁ ଆବଶ୍ୟକ ଜିନିଷପତ୍ର ମଗାଇ ଭୁବନେଶ୍ୱରେ ଏହାକୁ ପ୍ରସ୍ତୁତ କରିବା ପାଇଁ ଯୋଜନା ହୋଇଥିବା ସେ କହିଛନ୍ତି।