ସଙ୍ଗଠିତ ଅପରାଧ ରୋକିବାକୁ ଆସୁଛି ସ୍ୱତନ୍ତ୍ର ଆଇନ : ଓଡ଼ିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ବିରୋଧୀ ବିଲ ଆଣିବାକୁ ସରକାରଙ୍କ ଯୋଜନା

ୟୁପି, ଗୁଜରାଟ ଓ ମହାରାଷ୍ଟ୍ର ଢାଞ୍ଚାରେ ନିୟନ୍ତ୍ରଣ ହେବ ଅପରାଧ

389

କନକ ବ୍ୟୁରୋ : ସାବାଡ ହେବେ ଗୁଣ୍ଡା । ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଆଇନ୍ । ଏହି ଆଇନର ନାଁ ରହିଛି ଓଡିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ବିରୋଧୀ ବିଲ । ଏହି ଆଇନ୍ ଜରିଆରେ ରାଜ୍ୟ ସରକାର ଅପରାଧୀ, ଡ୍ରଗ୍ସ ଟ୍ରାଫିକିଂ, ମାନବ ଚାଲାଣ, ସାଇବର କ୍ରାଇମ, ଦଲାଲି, ଅପହରଣ ଆଦି ବଢୁଥିବା ଅପରାଧକୁ ରୋକିବା ସହିତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି ।

ରାଜ୍ୟ ସରକାର ଆଣିବାକୁ ଥିବା ଏହି ଆଇନ୍ ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ ସରକାରରେ ରହିଛି । ତିନି ରାଜ୍ୟର ଆଇନକୁ ଦେଖି ରାଜ୍ୟ ସରକାର ବିଲ୍ ପ୍ରସ୍ତୁତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଏହି ଆଇନ୍ ଆଣିବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବାକୁ ହେବ । ଯଦି ଏହି ଆଇନ୍ ରାଜ୍ୟ ସରକାର ଆଣିବେ ତାହେଲେ ଏହାର ତଦନ୍ତ ଅଧିକାରୀ ସବ୍ ଇନସପେକ୍ଟର ଭଳିଆ ଜଣେ ଅଧିକାରୀ ରହିବେ ।

ସେପଟେ, କେବିଏନ୍ ଗ୍ୟାଙ୍ଗ୍ ଲୋକଙ୍କୁ ଭୟଭୀତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଛାତିଥରା ଭିଡିଓ ସାମ୍‌ନାକୁ ଆସିବା ପରେ ଏବେ ସାଧାରଣରେ ମାଳମାଳ ପ୍ରଶ୍ନ ଉଙ୍କି ମାରିଛି। ଭିଡିଓରେ ଖଣ୍ଡା, ବନ୍ଧୁକଠୁ ଆରମ୍ଭ କରି ହକି ଷ୍ଟିକ୍, ଏପରିକି ହାତ ତିଆରି ଚକ୍ର ଥିବା ଖଣ୍ଡା ଆଦି କିଏ ଏମାନଙ୍କୁ ଦେଉଥିଲା । କେଉଁଠାରୁ ଏହି ଭଳି ଆପରାଧିକ କାଣ୍ଡ ଭିଆଉଥିବା ଗୋଷ୍ଠୀ କେଉଁଠୁ ଏହି ଅସ୍ତ୍ର ଆଣୁଥିଲେ । ସବୁ ପରେ ବନ୍ଧୁକ କେଉଁଠାରୁ ଆସୁଥିଲା । ଭିଡିଓରେ ଦେଶୀ ବନ୍ଧୁକଠୁ ଆରମ୍ଭ କରି ବିଦେଶୀ ଆଧୁନିକ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଚୋରା ବନ୍ଧୁକ ଭୁବନେଶ୍ବରରେ ଉପଲବ୍ଧ ହେବା ପଛରେ ଆଉ ଏମାନଙ୍କ ହାତ ଥିବା ପୁଲିସ ଆଶଙ୍କା କରିଛି । ଏହି ଗୋଷ୍ଠୀକୁ କାବୁ କରିବା ଅସ୍ତ୍ରଶସ୍ତ୍ରର ମୂଳ ଲିଙ୍କ୍‌ ପାଖରେ ପହଞ୍ଚିବ ବୋଲି ପୁଲିସ ଆଶାବ୍ୟକ୍ତ କରିଛି ।

ଖଣ୍ଡଗିରିଠୁ ଆରମ୍ଭ କରି ନୂଆପଲ୍ଲୀ, ସିଆର୍‌ପି, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍ ସମେତ ଭୁବନେଶ୍ବର ପ୍ରମୁଖ ଛକ ଅଞ୍ଚଳରେ କେବିଏନ୍ ଗ୍ୟାଙ୍ଗ୍‌ର ଦବ୍‌ଦବା ରହିଥିଲା । ଏହି ଛକରେ କେଉଁ ଦୋକାନରୁ କେତେ ବଟି ଆଦାୟ ହେବ; କିଏ କେତେ ଚାନ୍ଦା ଦେବ; କେଉଁ ଜାଗାରେ କିଏ ବସିବ; ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଲେ ସମାଧାନ କେମିତି ହେବ ଆଦି ସବୁ ପ୍ରକାରର ଯୋଜନା କରୁଥିଲା ଏହି ଗ୍ୟାଙ୍ଗ୍‌ । ଏପରିକି ଦାଦାବଟି ବିଭିନ୍ନ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଭଳି ସଙ୍ଗିନ ମାମଲା ଖଣ୍ଡଗିରି ଥାନାରେ ରହିଥିବା ଜଣାପଡ଼ିଛି ।