ଶାସକ ବିରୋଧୀ ଏକାଠି ହେଲେ, ସାମ୍ବାଦିକଙ୍କ ସୁରକ୍ଷା କଥା ଉଠାଇଲେ । କହିଲେ, ଚତୁର୍ଥ ସ୍ତମ୍ଭ ସୁରକ୍ଷା ପାଇଁ କେବେ ହେବ ଆଇନ?

286

କନକ ବ୍ୟୁରୋ: ଗୃହରେ ଉଠିଲା ଗଣମାଧ୍ୟମ ପ୍ରତିନିଧଙ୍କ କଥା । ସାମ୍ବାଦିକଙ୍କ ସୁରକ୍ଷା ନେଇ ଦାବି ଜଣାଇଲେ ଉଭୟ ଶାସକ ଓ ବିରୋଧୀ । ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସେତୁ ପାଲଟିଥିବା ସାମ୍ବାଦିକଙ୍କ ଚିହ୍ନଟ ଏଯାବତ୍ କରାଯାଇ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ଏପରିକି ରାଜ୍ୟର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଅନେକ କିଛି କରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଚିହ୍ନ କରିପାରି ନାହାନ୍ତି । ତେଣୁ ତୁରନ୍ତ ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର ଆଉ ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ ହୋଇଥିବାରୁ ଚତୁର୍ଥ ସ୍ତମ୍ଭ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ।

ସେହିପରି କଂଗ୍ରେସ ନେତା ନରଂସିହ ମିଶ୍ର ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବିଧାନସଭାରେ ଦାବି ଉଠାଇଛନ୍ତି । ନରସିଂହ କହିଛନ୍ତି କି, ଗଣମାଧ୍ୟମ ଯୋଗୁଁ ଆମେ ସମସ୍ତ ଘଟଣା ଏବଂ ଏହା ପଛର ମୂଳ ତଥ୍ୟ ପାଇ ପାରୁଛୁ । ଆଉ ଯେଉଁ ସାମ୍ବାଦିକ କି ସାମ୍ବାଦିକା ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଲୋକଙ୍କ ଅପହଞ୍ଚ ସ୍ୱରକୁ ସରକାରଙ୍କ ପାଖରେ ପହଁଚାଉଛି ସେ ଆଜି ବିପଦରେ ତେଣୁ ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର ।

ଅନ୍ୟପଟେ ନରସିଂହ ଏବଂ ପ୍ରଫୁଲ୍ଲ ସାମଲଙ୍କୁ ସମର୍ଥନ ଜଣାଇ. କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି ଜଣାଇଛନ୍ତି । ତୁରନ୍ତ ରାଜ୍ୟ ସରକାରଙ୍କୁ ବିଚାର ବିମର୍ଶ କରି ଏନେଇ ଆଇନ ବ୍ୟବସ୍ଥା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ ।