ମୋଦିଙ୍କୁ ବିବାହ କରିବାକୁ ଧାରଣା ! ଯନ୍ତର ମନ୍ତରଠାରେ ଧାରଣାରେ ବସିଛନ୍ତି ଜଣେ ୪୦ ବର୍ଷୀୟ ମହିଳା

27

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାହ କରିବା ପାଇଁ ଜଣେ ୪୦ ବର୍ଷୀୟ ମହିଳା ଦିଲ୍ଲୀସ୍ଥିତ ଯନ୍ତର ମନ୍ତର ଠାରେ ଧାରଣାରେ ବସିଛନ୍ତି । ଗୋଟାଏ ବିଚିତ୍ର କାରଣ ଦର୍ଶାଇ ଧାରଣା ଦେଇଥିବା ଏହି ମହିଳାଙ୍କର ମାନସିକ ସ୍ଥିତି କ’ଣ ତାହା ଜଣାପଡ଼ି ନାହିଁ ।

ରାଜସ୍ଥାନ ଅନ୍ତର୍ଗତ ଜୟପୁରରୁ ଆସିଥିବା ଓମ୍ ଶାନ୍ତି ଶର୍ମା ଗତ ସେପ୍ଟେମ୍ବର ୮ ତାରିଖରୁ ଧାରଣାରେ ବସିଛନ୍ତି । ସେ ସଫେଇ ଦେଇ କହିଛନ୍ତି ଯେ ତାଙ୍କର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି। ପ୍ରଧାନମନ୍ତ୍ରୀ ମୋଦି ଏକେଲା ଏବଂ ତାଙ୍କର ଅନେକ କାର୍ଯ୍ୟ ଥିବାରୁ ଶାନ୍ତି କେବଳ ତାଙ୍କର ସେବା କରିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

‘ମୁଁ ପୂର୍ବରୁ ବାହା ହୋଇ ଥିଲି କିନ୍ତୁ ସେ ବନ୍ଧନ ସ୍ଥାୟୀ ହୋଇ ପାରିଲା ନାହିଁ । ଗତ କେତେ ବର୍ଷ ହେବ ମୁଁ ଏକେଲା ରହୁଛି । ବହୁ ବିବାହ ପ୍ରସ୍ତାବକୁ ମୁଁ ମନା କରି ଦେଇଛି । ନରେନ୍ଦ୍ର ମୋଦିଙ୍କୁ ବିଭା ହେବା ପାଇଁ ଏବେ ମୁଁ ଏଠାକୁ ଆସିଛି’ ବୋଲି ଯନ୍ତର ମନ୍ତରର ଗୋଟିଏ ପାର୍ଶ୍ୱରେ ଛୋଟ ଚାଳିଆଟିରେ ବସି ଶାନ୍ତି କହିଛନ୍ତି ।

ସେ କାହିଁକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭା ହେବାକୁ ଚାହାନ୍ତି ଏବଂ କାହିଁକି ଧାରଣାରେ ବସିଛନ୍ତି ବୋଲି ପଚରା ଯିବାରୁ ସେ କହିଛନ୍ତି କି ମୁଁ ଜାଣେ ତାଙ୍କୁ ଭେଟିବା ସକାଶ ଲୋକେ ମତେ ଅନୁମତି ଦେବେ ନାହିଁ । କିନ୍ତୁ, ମୁଁ ଏ କଥା ମଧ୍ୟ ଜାଣେ ଯେ ତାଙ୍କର ସହାୟତା ଆବଶ୍ୟକ । ସେ ମୋ ପରି ଏକେଲା ।

ଏଠି ଲୋକେ ମୋ କଥା ଶୁଣି ହସୁଛନ୍ତି । ମୁଁ ସେମାନଙ୍କୁ କହିବାକୁ ଚାହେଁ ମୁଁ ତୁଚ୍ଛାଟାରେ ମୋଦିଙ୍କୁ ବିଭା ହେବାକୁ ଚାହୁଁ ନାହିଁ, ତାଙ୍କ ପ୍ରତି ମୋର ସମ୍ମାନ ବୋଧ ରହିଛି । ଆମ ସଂସ୍କୃତିରେ, ପିଲାଟି ବେଳୁ ଶିକ୍ଷା ଦିଆ ଯାଇଥାଏ, ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ।

ଶାନ୍ତି ପୁଣି ମଧ୍ୟ କହିଛନ୍ତି କି, ଜୟପୁରରେ ମୋର ବହୁତ ଜମିବାଡ଼ି ଅଛି । ସେଥିରୁ କିଛି ବିକି ମୋଦିଙ୍କ ପାଇଁ କିଛି ଉପଢ଼ୌକନ କିଣିବି ବୋଲି ବିଚାରିଛି । ମୋଦି-ଜୀ ମତେ ଭେଟିବାକୁ ନ ଆସିବା ଯାଏଁ ମୁଁ ଧାରଣାରେ ବସିଥିବି ।

ଏଠାରେ ଆମେ କହି ରଖୁଛୁ କି, ଶାନ୍ତି ଶର୍ମା ଯନ୍ତର ମନ୍ତର ଠାରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭା ହେବା ନିମନ୍ତେ ଧାରଣା ବଜାୟ ରଖିବାକୁ ଗୁରୁଦ୍ୱାର ଏବଂ ମନ୍ଦିରଗୁଡ଼ିକରେ ଭୋଜନ କରୁଛନ୍ତି । ଯନ୍ତର ମନ୍ତରରୁ ଧାରଣାସ୍ଥଳ ଅନ୍ୟତ୍ର ହଟାଇବାକୁ ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲର ଆଦେଶ ଯୋଗୁଁ ସେ ଚିନ୍ତିତ।

ସୌଜନ୍ୟ : ଆଜତକ୍