ବିପଦରେ ଦେଶର ବ୍ୟବସାୟୀ, ଆଶଙ୍କାରେ କର୍ମଚାରୀଙ୍କ ଭାଗ୍ୟ ।ସ୍ୱଦେଶୀ ବଜାରରେ ପସିଲା ବିଦେଶୀ କଂପାନୀ

26

ବିକ୍ରି ହେଲା ଫ୍ଲିପକାର୍ଟ । ଆମେରିକାର ବୃହତ୍ତମ ରିଟେଲ କମ୍ପାନି ଓ୍ଵାଲମାର୍ଟ ଭାରତର ବୃହତ୍ତମ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ଅଧିଗ୍ରହଣ କରିଛି । ଓ୍ଵାଲମାର୍ଟ ପ୍ରାୟ ୧୬ ବିଲିୟନ ଡଲାର ବିନିମୟରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ ଖରିଦ କରିଛି । ଏହି ଅଧିଗ୍ରହଣ ପରେ ଏବେ ଭାରତୀୟ ବଜାରରେ ଦୁଇଟି ଆମେରିକୀୟ ରିଟେଲ କମ୍ପାନି ଆମାଜନ ଓ ଓ୍ଵାଲମାର୍ଟ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବ ।

ଫ୍ଲିପକାର୍ଟ କମ୍ପାନିର ମୋଟ ମୂଲ୍ୟାଙ୍କନ ୨୦ ବିଲିୟନ ଡଲାର ହୋଇଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୧ ଲକ୍ଷ ୩୪ ହଜାର କୋଟି । ୨୦୦୭ରେ ମାତ୍ର ଦୁଇ ବେଡ୍ରମ ବିଶିଷ୍ଟ ଏକ ଫ୍ଲାଟରେ ଆରମ୍ଭ ହୋଇଥିବା ଏହି କମ୍ପାନି ଏବେ ସଫଳତାର ଶିଖରକୁ ଛୁଇଁଛି । ଆଇଆଇଟି ଦିଲ୍ଲୀର ଦୁଇଜଣ ଛାତ୍ର ତଥା ଆମାଜନର ପୂର୍ବତନ କର୍ମଚାରୀ ସଚିନ ବନସଲ ଓ ବିନି ବନସଲ ଏହାକୁ ଆରମ୍ଭ କରିଥିଲେ ।

ବାଙ୍ଗାଲୋରର କୋରମଙ୍ଗଲାରେ ଏକ ଦୁଇ ବେଡରୁମ ଫ୍ଲାଟରୁ ଏକ ଅନଲାଇନ ବୁକ ଷ୍ଟୋର ଭାବେ ଏହା ଆରମ୍ଭ ହୋଇଥିବା କମ୍ପାନି ଏବେ ଭାରତର ବୃହତ୍ତମ ଇ-କମର୍ସ କମ୍ପାନିରେ ପରିଣତ ହୋଇଛି । ୨୦୦୮ରେ ଏହା ବାଙ୍ଗାଲୋରରେ ନିଜର ପ୍ରଥମ ଅଫିସ ଖୋଲିଥିଲା ଓ ୨୦୦୯ରେ ଦିଲ୍ଲୀ ଓ ମୁମ୍ବାଇରେ ଏହା ନିଜର ଅଫିସ ଖୋଲିଲା । ଏବେ ବାଙ୍ଗାଲୋରରେ ଥିବା ଫ୍ଲିପକାର୍ଟ ଅଫିସ ପ୍ରାୟ ୮.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ରହିଛି । ଏବେ ଏହା ଅଧିନରେ ଫେସନ ପୋର୍ଟାଲ ଜାବଙ୍ଗ ଓ ମିଣ୍ଟ୍ରା, ପେମେଣ୍ଟ ଆପ ଫୋନପେ ଓ ଲଜିଷ୍ଟିକ୍ସ ଫାର୍ମ ଇ-କାର୍ଟ ରହିଛି ।

ଅନ୍ୟପଟେ ଏହି ବ୍ୟବସାୟିକ ଡିଲ ଦ୍ୱାରା ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବାକୁ ୱାଲମାର୍ଟ ଫ୍ଲିପକାର୍ଟକୁ ମାଧ୍ୟମ କରୁଛି । ଏହି ଅଧିଗ୍ରହଣ ମଲ୍ଟି ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜିନିବେଶ ରୋଜଗାର ସୃଷ୍ଟି କରୁଥିବା ସୁଯୋଗକୁ ପ୍ରଭାବିତ କରିପାରେ । ଖାଲି ଏତିକି ନୁହେଁ ଏହି ଡିଲ ଦ୍ୱାରା ଦେଶର ପାଖାପାଖି ୩ କୋଟି ସାଧାରଣ ବ୍ୟବସାୟୀଙ୍କ ଉପରେ ଗଭୀର ପ୍ରଭାବ ପଡିପାରେ । କୁହାଯାଉଛି କି, ଏହାଦ୍ୱାରା ଦେଶର ୬ ଲକ୍ଷ କର୍ମଚାରୀଙ୍କ ଚାକିରି ବିପଦରେ ପଡିପାରେ ।

ଏଠାରେ ଆମେ କହି ରଖୁଛୁ କି, ଏହି ବ୍ୟାବସାୟିକ ଡିଲ୍କୁ ବିରୋଧ କରିଛି ଆରଏସଏସ୍ ସମର୍ଥିତ ସ୍ୱଦେଶୀ ଜାଗରଣ ମଂଚ । ଏନେଇ ମଂଚ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛି । ଫ୍ଲିପକାର୍ଟ ଅଧିଗ୍ରହଣ ବେଳେ ପ୍ରଚଳିତ ଆଇନର ଉଲ୍ଲଂଘନ କରାଯାଇଥିବା ମଂଚ ଚିଠିରେ ଦାବି କରିଛି । ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବାକୁ ୱାଲମାର୍ଟ ଫ୍ଲିପକାର୍ଟକୁ ମାଧ୍ୟମ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହି ଅଧିଗ୍ରହଣ ଅନୈତିକ ଓ ରାଷ୍ଟ୍ରହିତ ବିରୋଧୀ ବୋଲି ସ୍ୱଦେଶୀ ଜାଗରଣ ମଂଚ କହିଛି । ମଲ୍ଟି ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜିନିବେଶ ରୋଜଗାର ସୃଷ୍ଟି କରୁଥିବା ସୁଯୋଗକୁ ପ୍ରଭାବିତ କରିବ ଓ ଏହା କୃଷକବିରୋଧୀ ବୋଲି ଚିଠିରେ ଉଲ୍ଲେଖ କରିଛି ମଂଚ । ସ୍ୱଦେଶୀ ଜାଗରଣ ମକ୍ଟକ୍ଟ୍ରର ସହ ସଂଯୋଜକ ଅଶ୍ୱିନୀ ମହାଜନ ଏହି ଡିଲ୍ ବାତିଲ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଫ୍ଲିପକାର୍ଟ ଅଧିଗ୍ରହଣକୁ ସିପିଏମ୍ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି ।