ଡୋକଲାମ ବିବାଦକୁ ନେଇ ଚୀନ ବାରମ୍ବାର ଧମକ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ସମୁଦ୍ର ପଥରେ ମଧ୍ୟ ଚୀନ ଆଗାମୀ ଦିନରେ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଏପରି ପରିସ୍ଥିତିରେ ସମୁଦ୍ର ମାର୍ଗରେ ନିଜର ଶକ୍ତି ବୃଦ୍ଧିରେ ଜୁଟିଥିବା ଭାରତୀୟ ନୌସେନା ଦୀର୍ଘ ବର୍ଷ ପରେ ଚଳିତ ମାସରେ ଦୁନିଆର ସବୁଠାରୁ ଘାତକ ସବମରିନ(ବୁଡ଼ାଜାହାଜ) ମଧ୍ୟରୁ ଜଙ୍ଗିବେଢା ‘ଆଇଏନଏସ କଲଭାରୀ’କୁ ସାମିଲ କରିବାକୁ ପ୍ରସ୍ତୁତି ଚଳାଇଛି । ଏହି ବୁଡ଼ାଜାହାଜ ବିଶ୍ୱର ସବୁଠୁ ବିପଦଜ୍ଜନକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ । ଯାହାର ବିଶେଷତ୍ଵ ହେଉଛି ଗୁପ୍ତ ପ୍ରକ୍ରିୟାରେ ଶତ୍ରୁ ପକ୍ଷକୁ ଆକ୍ରମଣ କରିବା ।

Advertisment

ଏହି ବୁଡ଼ାଜାହାଜର ଅନ୍ୟ ଏକ ବିଶେଷତ୍ଵ ଏହା ଯେ ସମୁଦ୍ରରେ ଶତ୍ରୁ ପକ୍ଷ ଏହାର ଗତିବିଧିକୁ ମଧ୍ୟ ଠଉରେଇ ପାରିବେ ନାହିଁ। ଖବର ମୁତାବକ, ସମୁଦ୍ର ଭିତରେ ନିଜର ଶକ୍ତି ବୃଦ୍ଧି କରୁଥିବା ଭାରତ ପାଇଁ ଆଇଏନଏସ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭାରତ ଏହି ପରି ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ଅର୍ଡର କରିଛି । ଭାରତ ୧୫ ବୁଡ଼ାଜାହାଜ ମୁକାବିଲାରେ ଚୀନ ପାଖରେ ରହିଛି ୬୦ ବୁଡ଼ାଜାହାଜ ।

ମଝଗାଓଁ ଡକ ସିପ ବିଲଡର୍ସ ଲିମିଟେଡ(ଏମଡିଏସଏଲ)ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାକେଶ ଆନନ୍ଦ ଗତ ମାସରେ କହିଥିଲେ ଯେ, ଆଇଏନଏସ କଲଭାରୀକୁ ଅଗଷ୍ଟରେ ଭାରତକୁ ପ୍ରଦାନ କରାଯାଇପାରେ। ଏହି ବୁଡ଼ାଜାହାଜର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି। ଆଇଏନଏସ କଲଭାରୀ ହେଉଛି ଡିଜେଲ ଓ ଇଲେକଟ୍ରୋନିକ୍ ବୁଡ଼ାଜାହାଜ।

ସୌଜନ୍ୟ: ଆଜତକ୍