ଦେଶର ସର୍ବବୃହତ୍ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କଠାରୁ ଋଣ ନେଇ ଜାଣିଶୁଣି ଋଣ ପରିଶୋଧ କରୁ ନଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ସରକାରୀ ବ୍ୟାଙ୍କ ଗୁଡ଼ିକ ଜାଣିଶୁଣି ଋଣ ପରିଶୋଧ କରା ଯାଇ ନଥିବା ମୋଟ ଋଣ ମଧ୍ୟରୁ ପ୍ରାୟ ୨୭ ପ୍ରତିଶତ କେବଳ ଷ୍ଟେଟ ବ୍ୟାଙ୍କର । ଜାଣିଶୁଣି ଋଣ ପରିଶୋଧ କରୁ ନଥିବା ୧୭୬୨ ଜଣଙ୍କ ଉପରେ ଷ୍ଟେଟ ବ୍ୟାଙ୍କର ୨୫,୧୦୪ କୋଟି ଟଙ୍କା ପଡ଼ି ରହିଛି । ଏହା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରହିଛି । ଋଣ ପରିଶୋଧ କରୁ ନଥିବା ୧୧୨୦ଜଣଙ୍କ ଉପରେ ୧୨,୨୭୮ କୋଟି ଟଙ୍କା ପଡ଼ି ରହିଛି । ଜାଣିଶୁଣି ଋଣ ପରିଶୋଧ କରାଯାଉ ନଥିବା ମୋଟ ଋଣ ମଧ୍ୟରୁ ୪୦ ପ୍ରତିଶତ ଋଣ ଏହି ଦୁଇଟି ବ୍ୟାଙ୍କ ଉପରେ ରହିଛି ।
ସରକାରୀ ବ୍ୟାଙ୍କ ଗୁଡ଼ିକଠାରୁ ଋଣ ନେଇ ଜାଣିଶୁଣି ଋଣ ପରିଶୋଧ କରୁ ନଥିବା ମୋଟ ଋଣରାଶି ୯୨,୩୭୬ କୋଟି ଟଙ୍କା ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ୨୦୧୬-୧୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣର ଋଣ ରହିଛି । ୨୦୧୫-୧୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୭୬,୬୮୫ କୋଟି ଟଙ୍କାରେ ରହିଥିଲା । ଅର୍ଥାତ୍ ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ଏଥିରେ ୨୦.୪ ପ୍ରତିଶତ ବୃଦ୍ଧି ଘଟିଛି ।
ଏତଦବ୍ୟତୀତ ଜାଣିଶୁଣି ଋଣ ଖିଲାପୀଙ୍କ ସଂଖ୍ୟା ବର୍ଷକୁ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୬ ମାର୍ଚ୍ଚ ସୁଦ୍ଧା ଏମାନଙ୍କ ସଂଖ୍ୟା ୮୧୭୬ ଜଣ ଥିବାବେଳେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୮୯୧୫କୁ ବୃଦ୍ଧି ଘଟିଛି । ଜାଣିଶୁଣି ଋଣ ଖିଲାପ କ୍ଷେତ୍ରରେ ୮୯୧୫ଟି ମାମଲା ମଧ୍ୟରୁ ବ୍ୟାଙ୍କ ଗୁଡ଼ିକ ୧୯୧୪ଟି ମାମଲାରେ ଏତଲା ଦାଏର କରିଛନ୍ତି । ଏତଲା ଦିଆଯାଇଥିବା ବ୍ୟକ୍ତିମାନଙ୍କ ଉପରେ ୩୨,୪୮୪ କୋଟି ଟଙ୍କା ବାକି ପଡ଼ିଛି ।
୨୦୧୬-୧୭ରେ ଷ୍ଟେଟ ବ୍ୟାଙ୍କ ଓ ଏହାର ୫ଟି ସହଯୋଗୀ ବ୍ୟାଙ୍କ ସମେତ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୋଟ ୮୧,୬୮୩ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି । ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରେ ଏହି ଋଣ ଛାଡ଼ ସର୍ବାଧିକ । ୨୦୧୫-୧୬ ଆର୍ଥିକ ବର୍ଷ ତୁଳନାରେ ଏହି ଋଣ ଛାଡ଼ ରାଶି ୪୧ ପ୍ରତିଶତ ଅଧିକ।
ମୋଟ ଏନପିଏ ୬ ଲକ୍ଷ ୪୧ ହଜାର କୋଟି
ସରକାରୀ ବ୍ୟାଙ୍କ ଗୁଡ଼ିକର ମୋଟ ଅନାଦାୟ ଋଣ ୨୦୧୭ ମାର୍ଚ୍ଚ ସୁଦ୍ଧା ୬ ଲକ୍ଷ ୪୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ୨୦୧୫-୧୬ ଆର୍ଥିକ ବର୍ଷର ଶେଷ ସୁଦ୍ଧା ଏହି ରାଶି ୫ ଲକ୍ଷ ୨ ହଜାର କୋଟି କୋଟି ଟଙ୍କାରେ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜାଣିଶୁଣି ଋଣ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରିଜର୍ଭ ବ୍ୟାଙ୍କ ଏବଂ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ।
ସେମାନଙ୍କ ନାମ ଏବଂ ଫଟୋ ଖବରକାଗଜରେ ପ୍ରକାଶ କରି ଲଜ୍ଜିତ କରିବା ଲାଗି ପଦକ୍ଷେପମାନ ନେଉଛି । ଋଣ ନେଇଥିବା ବ୍ୟକ୍ତି ପରିଶୋଧ କରିବାର କ୍ଷମତା ଥିଲେ ମଧ୍ୟ ଯେତେବେଳେ ଋଣ ପରିଶୋଧ କରନ୍ତି ନାହିଁ ବା ବ୍ୟାଙ୍କର ଅଗୋଚରରେ ସଂସ୍ଥାର ଅର୍ଥ ଏବଂ ସମ୍ପତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଅନ୍ତି ସେତେବେଳେ ତାଙ୍କୁ ଜଣେ ଜାଣିଶୁଣି ଋଣ ଖିଲାପକାରୀ ବ୍ୟକ୍ତିର ଆଖ୍ୟା ଦିଆଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/money-1.jpg)