ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଦେଶର ସବୁଠାରୁ ବଡ ପେମେଂଟ ବ୍ୟାଙ୍କରେ ପରିଣତ ହୋଇଛି । ଗତକାଲିଠାରୁ ଭାରତୀୟ ଡାକ ବିଭାଗ ଅଧିନରେ ଆରମ୍ଭ ହୋଇଛି ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ ଭୁବନେଶ୍ୱରରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରାଦେଶରେ ୬୫୦ଟି ବ୍ରାଂଚ ଓ ୩୨୫୦ ଆକ୍ସେସ୍ ପଏଂଟରେ ପେମେଂଟ ବ୍ୟାଙ୍କ ଆରମ୍ଭ ହୋଇଛି ।

Advertisment

ସେହିପରି ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କକୁ ନେଇ ଗ୍ରାହକଙ୍କ ମନରେ ଥିବା ପ୍ରଶ୍ନ ତଥା ଦ୍ୱନ୍ଦ୍ୱର ସମାଧାନ ପାଇଁ ଡାକ ବିଭାଗ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଛି । ଏଥିସହିତ ହିଁ ଇମେଲ ଆଇଡି ଏବଂ ବ୍ରାଂଚ ଯିବାର ବିକଳ୍ପ ମଧ୍ୟ ଗ୍ରାହକଙ୍କ ସୁବିଧା ପାଇଁ ଉପଲବ୍ଧ କରାଇଛି । ଏହାଛଡା ଧିରେ ଧିରେ ସମସ୍ତ ଡାକ ବିଭାଗଗୁଡିକରେ ମଧ୍ୟ ଆପଣ ପୋଷ୍ଟ ପେମେଂଟ ବ୍ୟାଙ୍କକୁ ନେଇ ସେବାଗୁଡିକର ଲାଭ ଉଠାଇପାରିବେ ।

ଟୋଲ ଫ୍ରି ନମ୍ବର

ଆପଣ ଆପଣଙ୍କ ମୋବାଇଲ ନମ୍ବରରୁ ୧୫୫୨୯୯ରେ କଲ କରି ସବୁ ସମସ୍ୟାର ସମାଧାନ ପାଇପାରିବେ । ଏଠାରେ ଆପଣଙ୍କୁ ପ୍ରତିଟି ପେମେଂଟ ବ୍ୟାଙ୍କ ସହ ଜଡିତ ପ୍ରତିଟି ପ୍ରଶ୍ନର ଉତର ମିଳିବ । ଏହାଛଡା ୧୮୦୦-୧୮୦-୭୯୮୦ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯାଇଛି ।

ଇମେଲ କରନ୍ତୁ

ଟୋଲ ଫ୍ରି ମୋବାଇଲ ନମ୍ବର ପରେ ଆପଣ ଇମେଲ ଜରିଆରେ ମଧ୍ୟ ନିଜର ସମସ୍ୟା ସଂପର୍କରେ ଅବଗତ କରାଇପାରିବେ । ଆଉ ତାର ସମାଧାନ ବି କରିପାରିବେ । ଏଥିପାଇଁ ଆପଣ [email protected]   ରେ ନିଜ ଇମେଲ ପଠାଇପାରିବେ । ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ତରଫରୁ ଆପଣଙ୍କୁ ସମୟ ପୂର୍ବରୁ ଉତର ମିଳିଯିବ ।

ଶାଖାକୁ ଯାଆନ୍ତୁ

ତୃତୀୟ ତଥା ଶେଷ ବିକଳ୍ପ ହେଲା ଆପଣ ସିଧା ସଳଖ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କର ଶାଖାକୁ ଯାଇ ଆପଣଙ୍କ ସବୁ ପ୍ରଶ୍ନର ଜବାବ ପାଇପାରିବେ । ଆପଣଙ୍କ ଅଂଚଳରେ ବ୍ୟାଙ୍କର ଶାଖା କେଉଁଠି ଅଛି । ଏସଂପର୍କରେ ଜାଣିବା ପାଇଁ https://www.ippbonline.com/web/ippb/agent କୁ ଯାଇ ଜାଣିପାରିବେ । ଏଠାରେ ଆପଣଙ୍କୁ ହୋମ ପେଜରେ ହିଁ ସମସ୍ତ ସୂଚନା ମିଳିଯିବ । ଏଥିସହିତ ହିଁ ଆପଣଙ୍କୁ 'Locate Us' ର ବିକଳ୍ପ ମଧ୍ୟ ମିଳିବ ।

ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମନରେ ପେମେଂଟ ବ୍ୟାଙ୍କକୁ ନେଇ କୌଣସି ବି ପ୍ରଶ୍ନ ରହିଛି ତେବେ ଆପଣ ଉପରୋକ୍ତ ତିନୋଟି ଉପାୟରେ ତାର ସମାଧାନ କରିପାରିବେ ।

ଏବେ ନଜର ପକାନ୍ତୁ କି କି ସୁବିଧା ପାଇବେ ପୋଷ୍ଟାଲ ପେମେଂଟ ବ୍ୟାଙ୍କରୁ

- ଉଭୟ କରେଂଟ ଓ ସେଭିଂ ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା ଓ ଉଠାଣ

- ଅନ୍ୟ ବ୍ୟାଙ୍କ ଭଳି ମନି ଟ୍ରାନସ୍ଫର ବା ଟଙ୍କା ସ୍ଥାନାନ୍ତର

- ଇଲେକ୍ଟ୍ରିବିଲ, ପାଣି ବିଲ୍, ଫୋନ୍ ବିଲ୍, ବୀମା ପ୍ରିମିୟମ ଆଦି ପଇଠ

- ସରକାରଙ୍କ ବିଭିନ୍ନ ଯୋଜନାରେ ସବ୍ସିଡି ଅର୍ଥ ହସ୍ତାନ୍ତର

- ଋଣ, ଛୋଟ ନିବେଶ, ମିଚ୍ୟୁଆଲ୍ ଫଣ୍ଡ ଓ ବୀମା ସୁବିଧା

- ତୃତୀୟ ପକ୍ଷ ସହ ଅନୁବନ୍ଧିତ ହୋଇ ଲୋନ ସୁବିଧା