ଯୋଗ ଭଗାଏ ରୋଗ ! ରୁକସାନାଙ୍କ ନିକଟରେ ହାର୍ ମାନିଲା କର୍କଟ

39

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଶରୀରକୁ ସୁସ୍ଥ ଆଉ ମନକୁ ଶାନ୍ତ ରଖେ ଯୋଗ। ଯୋଗ କରୁଥିବା ବ୍ୟକ୍ତି ନିରୋଗ ହୁଅନ୍ତି। ଏପରିକି ରୋଗୀ ନିୟମିତ ଯୋଗ ଅଭ୍ୟାସ କଲେ ଆରୋଗ୍ୟ ଲାଭ କରି କର୍ମଚଞ୍ଚଳ ହୁଏ। ଏପରି ଏକ ବିରଳ ଘଟଣା କଟକର କାଫଲାବଜାର ବାସିନ୍ଦା ରୁକସାନା ବେଗମଙ୍କ କ୍ଷେତ୍ରରେ ଘଟିଛି। ଯୋଗ ଅଭ୍ୟାସ କରି ରୁକସାନା ଏବେ ଗର୍ଭାଶୟ କର୍କଟରୁ ସଂପୂର୍ଣ୍ଣ ସୁସ୍ଥ ଓ କର୍ମଚଞ୍ଚଳ। ପରିବାର ପାଇଁ ବୋଝ ହୋଇଥିବା ରୁକସାନା ପରିବାରକୁ ସଂପୂର୍ଣ୍ଣ ସମ୍ଭାଳୁଛନ୍ତି। ରୁକସାନାଙ୍କୁ ଦେଖି ତାଙ୍କ ସ୍ୱାମୀ ଫିରୋଜ୍ ଖାନ ଏବେ ଯୋଗକୁ ଆପଣେଇଛନ୍ତି।

କାଫଲବଜାରର ରୁକସାନ୍ ବେଗମଙ୍କର ଗର୍ଭାଶୟରେ ଟ୍ୟୁମର ହୋଇଥିଲା। ଯନ୍ତ୍ରଣାରେ ରୁକସାନା ବସିଉଠି ପାରିଲେ ନାହଁ। ଘରକାମ ଛାଡି ବେଡରେ ପଡ଼ିରହିଲେ। ଟ୍ୟୁମରରେ କ୍ୟାନସର ସଂକେତ ଜଣାପଡ଼ିବାରୁ ଚିକିତ୍ସା କରୁଥିବା ଡାକ୍ତର ଅପରେସନ ପାଇଁ କହିଲେ। ଅସହ୍ୟ ଯନ୍ତ୍ରଣା ପାଇଁ ବିଷ ଇଂଜେକ୍ସନ ଦେଇ ମାରିଦେବାକୁ ରୁକସାନା ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଅପରେସନ୍ ସରିଲା। କିନ୍ତୁ ପୂର୍ବଭଳି ଯନ୍ତ୍ରଣା କମିଲା ନାହିଁ। ଏହି ସମୟରେ ତାଙ୍କ ବାନ୍ଧବୀ ମଞ୍ଜୁଲତା ପାଇକରାୟ ରୁକସାନାଙ୍କୁ ଯୋଗ କରିବାକୁ ପରାମର୍ଶ ଦେଲେ। କିନ୍ତୁ ମୁସଲିମ୍ ସଂପ୍ରଦାୟର ହୋଇଥିବାରୁ ରୁକସାନା ସଂକୋଚ କଲେ। କିନ୍ତୁ ସ୍ୱାମୀ ଫିରୋଜ୍ ଖାନଙ୍କ ପ୍ରେରଣା ଓ ଶ୍ରୀମତୀ ପାଇକରାୟଙ୍କ ଉଦ୍ୟମରେ ରୁକସାନା ଗତବର୍ଷ ଡିସେମ୍ବର ମାସରେ ଅଲିଶାବଜାର ଯୋଗ ଶିକ୍ଷା କେନ୍ଦ୍ରରେ ଭର୍ତ୍ତି ହେଲେ। ଯୋଗଗୁରୁ ମନମୋହନ ବେହେରାଙ୍କ ପ୍ରଶିକ୍ଷଣରେ ନିୟମିତ ଯୋଗ ଅଭ୍ୟାସ କଲେ।

ସୂର୍ଯ୍ୟ ନମସ୍କାର, ଚକ୍ରାସନ, ଭ୍ରମରି, ଚନ୍ଦ୍ରାସନ ଆଦି ଆସନକୁ ନିଖୁଣ ଭାବେ ଅନୁକରଣ ଓ ଅଭ୍ୟାସ କରିବା ସହିତ ବେଦ ଆଧାରିତ ମନ୍ତ୍ରକୁ ଚମତ୍କାର ଭାବେ ଉଚ୍ଚାରଣ କରିବାକୁ ଲାଗିଲେ। ଦୀର୍ଘ ୭ମାସ ପରେ ରୁକ୍ସାନା ଏବେ ସଂପୂର୍ଣ୍ଣ ସୁସ୍ଥ। କ୍ୟାନ୍ସର, ବିପି, ଗ୍ୟାଷ୍ଟ୍ରିକ୍ ଔଷଧ ବ୍ୟବହର ପୂରା ବନ୍ଦ। ସିଡ଼ି ଚଢ଼ି ପାରୁ ନଥିବା ରୁକ୍ସାନା ଏବେ ଘରକୁ ନିଜେ ସମ୍ଭାଳୁଛନ୍ତି। ଦୁଇ ପିଲାଙ୍କୁ ସ୍କୁଲ, କଲେଜ୍ରେ ଛାଡିବା, ବଜାର ଆଣିବା, ସ୍ୱାମୀଙ୍କୁ ଟେଲରିଂ କାର୍ଯ୍ୟରେ ସହାୟତା କରିବା ସହିତ ନିୟମିତ ଯୋଗ କ୍ଲାସ କରୁଛନ୍ତି। ବଞ୍ଚିବା ପାଇଁ ଆଶା ହରାଇଥିବା ରୁକ୍ସାନାଙ୍କ ଭିତରେ ଏବେ ପ୍ରଚୁର ଆତ୍ମବିଶ୍ୱାସ। ରୁକସାନାଙ୍କ ମତରେ ବିନା ଡାକ୍ତର ଓ ମେଡିସିନରେ ଯୋଗ ମଣିଷକୁ ସୁସ୍ଥ ରଖିପାରିବ।

ଦିନକୁ ୫ଥର କୋରାନ ପଢ଼ୁଥିବା ରୁକସାନା କହିଛନ୍ତି, କୋରାନର ପଂକ୍ତି ଓ ବେଦ ଆଧାରିତ ମନ୍ତ୍ର ତାଙ୍କ ହୃଦୟକୁ ସମାନ ଶାନ୍ତି ଦେଇଥାଏ। ରୁକ୍ସାନାଙ୍କ ଆରୋଗ୍ୟ ପ୍ରସଙ୍ଗ ଉପରେ ଏସ୍ସିବି ମେଡିକାଲ ପୂର୍ବତନ ଅଧୀକ୍ଷକ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ୟାମା କାନୁନଗୋ କହିଛନ୍ତି ଯେ ଯୋଗକୁ ମେଡିକାଲ ସାଇନ୍ସ ମାନୁଛି। ଯୋଗ ଦ୍ୱାରା ଶରୀରକୁ ଅଧିକ ଅମ୍ଲଜାନ ପ୍ରବାହ ହେଉଥିବାରୁ ଶୀଘ୍ର ଆରୋଗ୍ୟ ପାଇଁ ସୁଯୋଗ ଦେଇଥାଏ। ରୋଗୀର ବିଶ୍ୱାସ ସବୁଠୁ ବଡ଼ କଥା ବୋଲି ପ୍ରଫେସର କାନୁନଗୋ କହିଛନ୍ତି। କମ୍ ଔଷଧ ଓ ଅଧିକ ଯୋଗ ପାଇଁ ରୁକସାନା ଆରୋଗ୍ୟ ହୋଇଥିବାରୁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ପ୍ରଫେସର କାନୁନଗୋ କହିଛନ୍ତି।