କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍ । କେମିତି ସୁରୁଖୁରରେ ନିର୍ବାଚନ ହେବ ସେନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଏବେ ମୈଦାନରେ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର । ମେ’ ୩୧ରେ ହେବାକୁ ଥିବା ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି ।
ଚଳିତଥର ୨୭୯ଟି ବୁଥରେ ନିର୍ବାଚନ ହେବ । ଆଉ ଏଥିପାଇଁ ଆବଶ୍ୟକୀୟ ଇଭିଏମ ଓ ଭିଭିପାଟ୍ ମେସିନ ଉପଲବ୍ଧ ରହିଛି । ଯେହେତୁ ସ୍କୁଲର ନାଁ ବଦଳିଛି, ତେଣୁ ଭୋଟର ମାନେ ବୁଥକୁ ନେଇ ଦ୍ୱନ୍ଦ୍ୱରେ ନପଡି ଏହାର ଯାଞ୍ଚ କରାଇନେବେ । ଏହାଛଡା କରୋନା ଓ ଅନ୍ୟାନ୍ୟ ଦୃଷ୍ଟିରୁ ୫୨୫ ଜଣ ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ । କିନ୍ତୁ ୩୨୫ ଜଣ ପୋଷ୍ଟାଲ ଭୋଟ ଦେଇପାରିବେ ବୋଲି ଯାଞ୍ଚ ପରେ ସ୍ପଷ୍ଟ ହୋଇଛି । ତେଣୁ ଆସନ୍ତାକାଲି ଠାରୁ ସେମାନଙ୍କ ଠାରୁ ପୋଷ୍ଟାଲ ଭୋଟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଏହି ସମୟରେ ଅଧିକାରୀ ମାନେ ଉପସ୍ଥିତ ରହିବେ । ଯେଉଁମାନେ ପୋଷ୍ଟାଲ ଭୋଟ ଦେବେ ବୋଲି ସ୍ଥିର ହୋଇଛି ସେମାନେ ବୁଥକୁ ଯାଇ ଭୋଟ ଦେଇପାରିବେ ନାହିଁ ।
ଚଳିତଥର ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ୫୦% ବୁଥରେ ୱେବକାଷ୍ଟିଂ ହେବ । ୧୯୫୦ ଟୋଲ ଫ୍ରି ନମ୍ବରରେ କଲ କରି ସବୁ ସୂଚନା ପାଇପାରିବେ । ମୁଁ ବି ଭୋଟ ଦେବି କ୍ୟାମ୍ପେନ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ଭୋଟ ହାର ବଢାଇବାକୁ ଏହି ପ୍ରୟାସ କରାଯାଇଛି । ସେହିଭଳି ୨୭୯ଟି ବୁଥ୍ ମଧ୍ୟରେ ୩୦ଟି ମଡେଲ ବୁଥ୍ ରହିଛି ଓ ୫ଟି ପିଙ୍କ୍ ବୁଥ୍ ରହିଛି ।
ଏହାବାଦ୍ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟର ମାନେ ୩ ଦିନ ଛୁଟି ନେଇପାରିବେ । ଗୋଟ ପୂର୍ବ ଦିନ, ଭୋଟ ଦିନ ଓ ଭୋଟ ପରଦିନ ଛୁଟି ନେଇପାରିବେ ଭୋଟର । ସେହିଭଳି ନିର୍ବାଚନମଣ୍ଡଳୀରେ ଥିବା ଭୋଟରଙ୍କ ପାଇଁ ଗୋଟିଏ ଦିନର ଛୁଟି ପାଇଁ ଘୋଷଣା ହୋଇଛି ।