ଫଳ ଉପରେ ଷ୍ଟିକର୍ ଲଗାଇ ପାରିବେନି ଦୋକାନୀ। ‘ଟେଷ୍ଟେଡ୍ ଓକେ’, ‘ବେଷ୍ଟ କ୍ବାଲିଟି’ ଲେଖି ଭୁତେଇ ପାରିବେନି ଦୋକାନୀ

Advertisment
ଫଳ ଉପରେ ଷ୍ଟିକର୍ ଲଗାଇ ପାରିବେନି ଦୋକାନୀ। ‘ଟେଷ୍ଟେଡ୍ ଓକେ’, ‘ବେଷ୍ଟ କ୍ବାଲିଟି’ ଲେଖି ଭୁତେଇ ପାରିବେନି ଦୋକାନୀ

Source:HLN

ଫଳ ଉପରେ ଷ୍ଟିକର୍‌ ଲଗାଇ ପାରିବେନି ଦୋକାନୀ। ‘ଟେଷ୍ଟେଡ୍ ଓକେ’, ‘ବେଷ୍ଟ କ୍ବାଲିଟି’ କିମ୍ବା ବ୍ୟବସାୟୀଙ୍କ କମ୍ପାନି ନାଁ ଭଳି ଲୋଭନୀୟ ଷ୍ଟିକର୍‌ ଲଗାଇ ଗ୍ରାହକଙ୍କୁ ଭୂତାଉଥିବା ଦୋକାନୀଙ୍କ ଉପରେ ରୋକ୍ ଲଗାଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ। ଏଫ୍‌ଏସ୍ଏସ୍‌ଏଆଇ ପକ୍ଷରୁ ଏଥିପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି। ଷ୍ଟିକରରେ ଲାଗୁଥିବା ଅଠା ଦେହ ପାଇଁ କ୍ଷତିକାରକ ଥିବାରୁ ଏହାକୁ ନ ଲଗାଇବା ପାଇଁ ଗାଇଡଲାଇନ୍‌‌‌‌ରେ ନିର୍ଦ୍ଦେଶ ରହିଛି। ରାଜଧାନୀରେ ଖୁବ୍‌ଶୀଘ୍ର ଏ ନେଇ ଫଳ ଗୋଦାମଗୁଡ଼ିକୁ ସଚେତନ କରାଯିବ ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ସେଓ, ଆମ୍ବ, କଦଳୀ, କିୱିଜ୍‌, ସିମ୍‌ଲା ଲଙ୍କା ଓ ନାସପାତି ଭଳି ଫଳଗୁଡ଼ିକରେ ଫଳ ଦୋକାନୀମାନେ ବିଭିନ୍ନ ପ୍ରକାରର ଷ୍ଟିକର୍‌ ଲଗାଉଛନ୍ତି। ଷ୍ଟିକର୍‌ ଲଗାଇ ଦୋକାନୀମାନେ କେତେବେଳେ ଇମ୍ପୋଟେଡ୍ ତ ଆଉ‌ କେତେବେଳେ ଦାମୀ ଫଳ ବୋଲି ଗ୍ରାହକଙ୍କୁ କହୁଛନ୍ତି। ତେବେ ଷ୍ଟିକର୍‌ ଲଗା ଫଳ ଯେ ସବୁଠାରୁ ଭଲ, ତାହା କହିବା ମୁସ୍କିଲ। ତଥାପି ଦୋକାନୀମାନେ ଏହି ଷ୍ଟିକର୍‌ ଲଗାଇ ଗ୍ରାହକଙ୍କୁ ଭୁତାଉଛନ୍ତି। ତେବେ ଫଳ ଉପରେ ଷ୍ଟିକର୍‌ ଲଗାଇବାକୁ ବାରଣ କରିଛି ଏଫ୍‌ଏସ୍‌ଏସ୍‌ଏଆଇ। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଜାରି ଗାଇଡ୍‌ଲାଇନରେ କୁହାଯାଇଛି ଯେ ଅଧିକାଂଶ ସମୟରେ ଫଳ ଉପରେ ବ୍ୟବସାୟୀଙ୍କ କମ୍ପାନି ନାଁ, ବେଷ୍ଟ କ୍ବାଲିଟି ଓ ଟେଷ୍ଟେଡ୍ ଓକେ ଭଳି ଷ୍ଟିକର୍‌ ଦୋକାନୀମାନେ ଲଗାଉଛନ୍ତି।

ତେବେ ଫଳ ସାମାନ୍ୟ ନଷ୍ଟ ହୋଇ ଆସିବା କିମ୍ବା ଖଣ୍ଡିଆ ଖାବରାକୁ ଲୁଚାଇବାକୁ ଯାଇ ଦୋକାନୀମାନେ ଏଭଳି ଷ୍ଟିକର୍‌ ଲଗାଉଥିବା ନଜରକୁ ଆସୁଛି। ଏଭଳି ଷ୍ଟିକର୍‌ର କୌଣସି ମୂଲ୍ୟ ନାହିଁ। ଫଳ ଉପରେ ଛିଦ୍ର ଥିବା ଯୋଗୁଁ ଏହାର ସଂସ୍ପର୍ଶରେ ଆସୁଥିବା ଯେ କୌଣସି ଜିନିଷ ଏହା ଭିତରକୁ ପ୍ରବେଶ କରିଥାଏ। ଫଳ ଉପରେ ଲାଗୁଥିବା ଷ୍ଟିକର୍‌ ଅନେକ ପ୍ରକାର ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହେଉଥିବା ବେଳେ ଷ୍ଟିକର୍‌ ସହାୟତାରେ ବିଷାକ୍ତ ରାସାୟନିକ ପଦାର୍ଥ ଫଳ ଭିତରକୁ ପ୍ରବେଶ କରିଥାଏ। ଏହାସହ ଖୋଲା ବଜାରରେ ବିକ୍ରି ହେଉଥିବା ଫଳ ଉପରେ ସୂର୍ଯ୍ୟକିରଣ ପଡ଼ିବା ଯୋଗୁଁ ଷ୍ଟିକର୍‌ରେ ଲାଗିଥିବା ଅଠା ଅଧିକ ମାତ୍ରାରେ ଫଳ ଭିତରକୁ ଯାଇଥାଏ। ଏହି ଫଳକୁ ଖାଇବା ଫଳରେ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡ଼ୁଥିବା କେତେକ ସର୍ବେକ୍ଷଣରୁ ଜଣାପଡ଼ିଛି। ତେଣୁ ଷ୍ଟିକର୍‌ ଲଗା ଫଳ ଖାଇବା ପୂର୍ବରୁ ଗ୍ରାହକମାନେ ଷ୍ଟିକର୍‌ ଲାଗିଥିବା ସ୍ଥାନକୁ ଭଲ ଭାବରେ ଛେଲି କିମ୍ବା କାଟି ଖାଇବା ଉଚିତ୍।

ସେହିପରି ଫଳ ବ୍ୟବସାୟୀମାନେ ଫଳ ଉପରେ ସିଧାସଳଖ ଷ୍ଟିକର ନ ଲଗାଇବା ସହ ଫଳ ପ୍ୟାକେଟ୍ ଉପରେ ଷ୍ଟିକର୍‌ ଲଗାଇ ପାରିବେ। ରାଜ୍ୟ ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଗାଇଡଲାଇନ୍ ଆସିବା ପରେ ଖୁବଶୀଘ୍ର ରାଜଧାନୀରେ ଥିବା ଫଳ ଗୋଦାମଗୁଡ଼ିକୁ ଏଥିପାଇଁ ସଚେତନ କରାଯିବ। ସିଧାସଳଖ ଫଳ ଦୋକାନୀମାନଙ୍କୁ ସଚେତନ କରିବା ସମ୍ଭବ ନ ଥିବାରୁ ରାଜଧାନୀରେ ୮ଟି ପ୍ରମୁଖ ଫଳ ଗୋଦାମରେ ସଚେତନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲାକୁ ଏଫ୍‌ଏସ୍‌ଏସ୍‌ଏଆଇର ଗାଡଇଲାଇନ୍‌କୁ ପଠାଇ ଦିଆଯାଇଛି। ରାଜଧାନୀରେ ବିଭିନ୍ନ ଫଳ ଗୋଦାମରେ ଫଳ ପଚାଇବା ପାଇଁ ଅନେକ ବେଆଇନ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି, ଯାହାକି ଦେହ ପାଇଁ କ୍ଷତିକାରକ। ତେଣୁ ଫଳ ଗୋଦାମରେ ସଚେତନ କରିବା ସହ ଆବଶ୍ୟକ ପଡ଼ିଲେ ଚଢ଼ଉ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe