କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡଲାଇନ୍ । ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତି ସହ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ।

234

କନକ ବ୍ୟୁରୋ: କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ଚିଠି ପରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିଠି ଲେଖି ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବେଡ୍, ଅକ୍ସିଜେନ୍ ଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପଜିଟିଭ୍ ଚିହ୍ନଟ ହେଲେ, ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ ସ୍ୱାସ୍ଥ୍ୟ ଅଧିକାରୀ । ଆଉ ହସ୍ପିଟାଲ ଗୁଡ଼ିକରେ ଟେଷ୍ଟ କିଟ୍, ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି । ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି କରୋନା ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ଓଡ଼ିଶାରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩ରେ ପହଁଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ଗତ ୨୪ ଘଂଟାରେ ୫ଜଣ ମୃତ୍ୟୁ ହୋଇଛି ।